Explore

Search

June 4, 2026 1:31 am

ତ୍ରିକୋଣୀୟ ପ୍ରେମ କାହାଣୀ ‘ଡାଏରୀ’

ଭୁବନେଶ୍ୱର : ରଜ ଅବସରରେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଆସୁଛି ଏକ ଭିନ୍ନ ସ୍ୱାଦର ପ୍ରେମ, ରହସ୍ୟ ଓ ରୋମାଞ୍ଚଭରା ଚଳଚ୍ଚିତ୍ର ‘ଡାଏରୀ’। ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ କେନ୍ଦ୍ର କରି ନିର୍ମିତ ଏହି ସିନେମା ଆସନ୍ତା ଜୁନ୍ ୧୨ ତାରିଖରେ ସାରା ଓଡ଼ିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ମୁକ୍ତିଲାଭ ପୂର୍ବରୁ ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସନ୍‌ରେ ଫିଲ୍ମର ଟିଜର୍ ଓ ମ୍ୟୁଜିକ୍ ଲଞ୍ଚ ଉତ୍ସବ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଫିଲ୍ମର କଳାକାର, ନିର୍ମାତା ଓ ବିଭିନ୍ନ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର୍ ଯୋଗଦେଇଥିଲେ। ଟିଜର୍ ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିବା ବେଳେ, ଏହାର କାହାଣୀ ଓ ପ୍ରସ୍ତୁତି ରଜ ବଜାରରେ ନୂଆ ଛାପ ଛାଡ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି ଅଭିନେତା ଓ ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ।

‘ଡାଏରୀ’ର କାହାଣୀ ଏକ ସାତ ବର୍ଷର ଅକୁହା ପ୍ରେମ ଯାତ୍ରାକୁ ଘେରି ଆବର୍ତ୍ତିତ ହୋଇଛି। ଫିଲ୍ମରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁ ସାହୁଙ୍କ ସହ ଅଭିନେତ୍ରୀ ଜସ୍ମିନ ରଥ ଯୋଡ଼ି ବାନ୍ଧିଛନ୍ତି । ଉଭୟଙ୍କ ଅନସ୍କ୍ରିନ କେମିଷ୍ଟ୍ରି ଓ କାହାଣୀର ଅପ୍ରତ୍ୟାଶିତ ଟ୍ୱିଷ୍ଟ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଟିମ୍‌ର ବିଶ୍ୱାସ।

ଟିଜରରେ ଏକ ରହସ୍ୟମୟ ବକ୍ସ ଭିତରୁ ‘୨୦୧୯’ ଲେଖାଥିବା ଡାଏରୀ ବାହାରୁଥିବା ଦୃଶ୍ୟ ଏବଂ “ମୋଠୁ ମୋ ଯାଏଁ…” ଭଳି ଗଭୀର ସଂଳାପ ଦର୍ଶକଙ୍କ ମନରେ କାହାଣୀ ପ୍ରତି ଆଗ୍ରହ ବଢ଼ାଇଛି । ପ୍ରେମ, ବିଚ୍ଛେଦ, ଭାବନା ଓ ରହସ୍ୟର ସମନ୍ୱୟରେ ଗଢ଼ାଯାଇଥିବା ଏହି ଫିଲ୍ମ ଏକ ଭିନ୍ନ ଅନୁଭୂତି ଦେବ ବୋଲି କୁହାଯାଉଛି।

ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । କୁନା ତ୍ରିପାଠୀ କାହାଣୀ, ସ୍କ୍ରିନ ପ୍ଲେ ଓ ସଂଳାପ ଲେଖିଥିବା ବେଳେ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି ଫିଲ୍ମକୁ ଆହୁରି ଦୃଶ୍ୟମାନ କରିଛି। ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜନା କରିଛନ୍ତି ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଆଦିକନ୍ଦ ସାହୁ।

ଫିଲ୍ମର ସଙ୍ଗୀତ ମଧ୍ୟ ଏହାର ଅନ୍ୟତମ ଆକର୍ଷଣ। ମୋଟ ୪ଟି ଗୀତ ଥିବା ଏହି ଚଳଚ୍ଚିତ୍ରରେ ସୋମେଶ ଶତପଥୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅମିତ ନାୟକ ଏବଂ ଲୁବୁନ୍-ଟୁବୁନ୍‌ଙ୍କ କୋରିଓଗ୍ରାଫି ଗୀତଗୁଡ଼ିକୁ ଅଧିକ ଆକର୍ଷଣୀୟ କରିଛି।

ଅର୍ଦ୍ଧେନ୍ଦୁ ସାହୁ, ଜସ୍ମିନ ରଥ ଓ ପ୍ରଜ୍ଞାଙ୍କ ସମେତ ଅନେକ ଜଣାଶୁଣା କଳାକାରଙ୍କ ଅଭିନୟରେ ସମୃଦ୍ଧ ‘ଡାଏରୀ’ ଏଥର ରଜ ଅବସରରେ ଦର୍ଶକଙ୍କ ହୃଦୟ ଜିତିବା ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ସଫଳତାର ଅଧ୍ୟାୟ ଲେଖିବ ବୋଲି ଫିଲ୍ମ ଟିମ୍ ଆଶା ରଖିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score