Explore

Search

May 27, 2026 10:30 pm

ଗୁଜରାଟକୁ ହରାଇ ଫାଇନାଲରେ ଆରସିବି

ହାଇଦ୍ରାବାଦ : ଆଇପିଏଲ୍ ୨୦୨୬ର ପ୍ରଥମ କ୍ୱାଲିଫାୟର୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସକୁ ୯୨ ରନରେ ପରାସ୍ତ କରିଛି। ଏହି ଚମତ୍କାର ବିଜୟ ସହ ଆରସିବି ସିଧାସଳଖ ଭାବେ ଆଇପିଏଲ୍ ୨୦୨୬ ଫାଇନାଲରେ ପ୍ରବେଶ କରିଛି। ୨୫୫ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ଟାଇଟନ୍ସ ଦଳ ମାତ୍ର ୧୬୨ ରନରେ ସୀମିତ ହୋଇପଡ଼ିଥିଲା। ଅଧିନାୟକ ରଜତ ପାଟିଦାରଙ୍କ ଆକ୍ରମଣାତ୍ମକ ୯୩ ରନର ପାଳି ଏବଂ ବୋଲରମାନଙ୍କ ଘାତକ ପ୍ରଦର୍ଶନ ଆରସିବିର ବିଜୟର ମୂଳ କାରଣ ହୋଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲା। ଭେଙ୍କଟେଶ ଆୟର ଦ୍ରୁତ ୧୯ ରନ କରି ଭଲ ଆରମ୍ଭ ଦେଇଥିଲେ, କିନ୍ତୁ କାଗିସୋ ରବାଡାଙ୍କ ବଲରେ ସେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ବିରାଟ କୋହଲି ଓ ଦେବଦତ୍ତ ପଡ଼ିକ୍କଲ ଦଳକୁ ସମ୍ଭାଳି ୭୨ ରନର ଭଲ ଭାଗିଦାରୀ କରିଥିଲେ। କୋହଲି ୪୩ ରନ ଏବଂ ପଡ଼ିକ୍କଲ ୩୦ ରନ କରି ଆଉଟ୍ ହେବା ପରେ ଗୁଜରାଟ ମ୍ୟାଚରେ ଫେରିଥିବା ଭଳି ଲାଗୁଥିଲା।

କିନ୍ତୁ ସେଠାରୁ ମ୍ୟାଚର ଚିତ୍ର ପୁରା ପରିବର୍ତ୍ତନ ହୋଇଯାଇଥିଲା । ୨୦ ରନରେ ଜୀବନଦାନ ପାଇଥିବା ରଜତ ପାଟିଦାର ଏହାର ପୂରା ଲାଭ ଉଠାଇଥିଲେ। ସେ କୃଣାଳ ପାଣ୍ଡ୍ୟାଙ୍କ ସହ ମିଶି ଗୁଜରାଟ ବୋଲରମାନଙ୍କୁ ଚାରିଦିଗରେ ପ୍ରହାର କରିଥିଲେ। ଦୁହେଁ ମିଶି ୮୯ ରନର ବିସ୍ଫୋରକ ସଂଯୋଗ ଗଢ଼ିଥିଲେ । କୃଣାଳ ୪୩ ରନ କରି ଆଉଟ୍ ହୋଇଥିଲେ ମଧ୍ୟ ପାଟିଦାର ତାଙ୍କ ତୁଫାନୀ ଇନିଂସ ଜାରି ରଖିଥିଲେ। ସେ ମାତ୍ର ୩୩ଟି ବଲରେ ୯୩ ରନ କରି ଆରସିବିକୁ ୨୫୪ ରନର ବିଶାଳ ସ୍କୋରକୁ ପହଞ୍ଚାଇଥିଲେ।

୨୫୫ ରନର ଲକ୍ଷ୍ୟକୁ ପିଛା କରିବାକୁ ନାମିଥିବା ଗୁଜରାଟ ଆରମ୍ଭରୁ ଚାପରେ ପଡ଼ିଯାଇଥିଲା। ସାଇ ସୁଦର୍ଶନ, ଶୁବମନ ଗିଲ୍, ଜୋସ୍ ବଟଲର, ନିଶାନ୍ତ ସିନ୍ଧୁ ଏବଂ ଜେସନ୍ ହୋଲ୍ଡର ଶୀଘ୍ର ଆଉଟ୍ ହୋଇଥିବାରୁ ଦଳ ୫୧ ରନରେ ୫ଟି ୱିକେଟ୍ ହରାଇଥିଲା। ୱାଶିଂଟନ ସୁନ୍ଦର ମଧ୍ୟ ବିଶେଷ କିଛି କରିପାରି ନଥିଲେ।

ଗୋଟେପଟେ ସମଗ୍ର ଦଳ ଧସିପଡ଼ୁଥିବା ବେଳେ ରାହୁଲ ତେୱାତିଆ ଏକାକୀ ଲଢ଼େଇ କରିଥିଲେ। ସେ ୬୮ ରନର ଜୋରଦାର ପାଳି ଖେଳିଥିଲେ, କିନ୍ତୁ ଆରସିବିର ବଡ଼ ସ୍କୋର ସାମ୍ନାରେ ତାଙ୍କ ଚେଷ୍ଟା ଅପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇଥିଲା। ଶେଷରେ ଗୁଜରାଟ ୧୬୨ ରନରେ ଅଲ୍ ଆଉଟ୍ ହୋଇ ୯୨ ରନରେ ପରାଜୟ ସ୍ୱୀକାର କରିଥିଲା।

ଏହି ବିଜୟ ସହ ଆରସିବି କ୍ରମାଗତ ଦ୍ୱିତୀୟ ଥର ଏବଂ ଆଇପିଏଲ୍ ଇତିହାସରେ ପଞ୍ଚମ ଥର ପାଇଁ ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ଦଳ ପାଖରେ ନିଜ ଟାଇଟଲ୍ ବଜାୟ ରଖିବାର ସୁଯୋଗ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score