Explore

Search

July 16, 2026 11:36 pm

ଶୁଭେନ୍ଦୁ ସରକାରଙ୍କ ବଡ଼ ଘୋଷଣା, ଜୁନ୍ ୧ରୁ ମହିଳାଙ୍କୁ ମାଗଣା ବସ୍ ସେବା ଓ ୩୦୦୦ ଟଙ୍କା DBT

କୋଲକାତା : ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି । ରାଜ୍ୟରେ ଆସନ୍ତା ଜୁନ୍ ୧ରୁ ଆୟୁଷ୍ମାନ ଭାରତ ଯୋଜନା, ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ସହ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଆରମ୍ଭ କରିବାକୁ ସରକାର ଘୋଷଣା କରିଛନ୍ତି ।

ବିଜେପି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଅନୁସାରେ, ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ମହିଳା ମାଗଣାରେ ବସ୍ ଯାତ୍ରା କରିପାରିବେ। ନିର୍ବାଚନ ପୂର୍ବରୁ ଏକ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘୋଷଣା କରିଥିଲେ।

ଏହା ସହିତ ମହିଳାଙ୍କ ପାଇଁ ଆରମ୍ଭ ହେଉଥିବା ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ସିଧାସଳଖ DBT ମାଧ୍ୟମରେ ଦିଆଯିବ। ପୂର୍ବତନ ସରକାରଙ୍କ ଲକ୍ଷ୍ମୀ ଭଣ୍ଡାର ଯୋଜନାର ୧୫୦୦ ଟଙ୍କା ସହାୟତାର ତୁଳନାରେ ଏହାକୁ ଦ୍ୱିଗୁଣ ସହାୟତା ବୋଲି ବିଜେପି କହିଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଚାଲୁଥିବା କୌଣସି ସାମାଜିକ ଯୋଜନା ବନ୍ଦ କରାଯିବ ନାହିଁ। ବରଂ ନୂଆ ଯୋଜନା ଗୁଡ଼ିକୁ ଯୋଡ଼ି ଲୋକଙ୍କୁ ଅଧିକ ସୁବିଧା ଦେବା ଦିଗରେ କାମ କରାଯିବ। ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ପାଇଁ ନିୟମ ଓ ପ୍ରକ୍ରିୟା ତିଆରି କାମ ଚାଲିଥିବା ବେଳେ, ଏହାକୁ ନୀତିଗତ ମଞ୍ଜୁରି ମିଳିସାରିଛି।

ଗତ ୧୦ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଜନାକୁ ନେଇ ଯେଉଁ ବିବାଦ ଚାଲିଥିଲା, ତାହାର ଏବେ ଅବସାନ ହେବ ବୋଲି ଆଶା କରାଯାଉଛି। ଅନେକ କେନ୍ଦ୍ରୀୟ ଯୋଜନା ଓ ପ୍ରକଳ୍ପ ଯାହା ବର୍ଷ ଧରି ଅଟକି ରହିଥିଲା, ସେଗୁଡ଼ିକୁ ଏବେ ତ୍ୱରିତ ଗତିରେ ଆଗକୁ ବଢ଼ାଇବାକୁ ପଦକ୍ଷେପ ନିଆଯାଉଛି।

ଏହାସହ ଶୁଭେନ୍ଦୁ ଅଧିକାରୀ ସରକାର ଆକ୍ସନ ମୋଡରେ ଥିବା ଦେଖିବାକୁ ମିଳିଛି। ବିଧାୟକମାନଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ କୋଇଲା ଖଣି, ବାଲି ଖଣି ଓ ଗୋଚାଲଣ ମାମଲାରେ ‘ଜିରୋ ଟଲରେନ୍ସ’ ନୀତି ଅପନାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ‘କଟ୍-ମନି’ ସଂସ୍କୃତିକୁ କୌଣସି ଭାବେ ବରଦାସ୍ତ କରାଯିବ ନାହିଁ ଏବଂ ଯେକୌଣସି ଅନିୟମିତତା ବିଷୟରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ବିଧାୟକମାନଙ୍କୁ କୁହାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score