Explore

Search

May 8, 2026 9:12 pm

ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଖେଳିବେନି ରୋହିତ ଶର୍ମା

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆଶାଅନୁସାରେ ହୋଇନାହିଁ । ପଡ଼ିଆ ଭିତରେ ଯେପରି ସମସ୍ୟା ଦେଖାଯାଉଛି, ସେପରି ଦଳର ଡ୍ରେସିଂ ରୁମ୍‌ ଭିତରେ ମଧ୍ୟ କିଛି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏହାସହିତ ମାଲିକ ନୀତା ଅମ୍ବାନୀ ମଧ୍ୟ ଦଳର ପ୍ରଦର୍ଶନରେ ସନ୍ତୁଷ୍ଟ ନୁହନ୍ତି ବୋଲି କୁହାଯାଉଛି ।

ଏହି ସମୟରେ ସୋସିଆଲ ମିଡିଆରେ ଆଉ ଗୋଟିଏ ଚର୍ଚ୍ଚା ତେଜିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ରୋହିତ ଶର୍ମା ଖେଳିବାକୁ ଇଚ୍ଛୁକ ନୁହନ୍ତି କି ? ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି । କିଛି ମ୍ୟାଚ୍‌ରେ ହାର୍ଦ୍ଦିକ ଖେଳୁଥିବାବେଳେ ରୋହିତ ଆହତ ହୋଇ ବାହାରେ ଥିବା ଦେଖାଯାଇଥିଲା । ଆଉ ଯେତେବେଳେ ହାର୍ଦ୍ଦିକ ଉପସ୍ଥିତ ନଥିଲେ, ସେତେବେଳେ ରୋହିତ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳି ଧମାକଦାର ଇନିଂସ ଖେଳିଥିଲେ ।

୫ ଥର ଚାମ୍ପିଅନ୍ ମୁମ୍ବାଇ ଦୀର୍ଘ ସମୟ ପରେ ବିଜୟ ଧାରାକୁ ଫେରିଛି ଏବଂ ପ୍ଲେ-ଅଫ୍ ଦିଗରେ ଆଶା ବଢ଼ାଇଛି । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ୪୭ତମ ଲିଗ୍ ମ୍ୟାଚରେ ମୁମ୍ବାଇ ୬ ୱିକେଟରେ ଲକ୍ଷ୍ନୌକୁ ପରାଜିତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୨୮ ରନ୍ କରିଥିଲା, ଯାହାର ଜବାବରେ ମୁମ୍ବାଇ ୧୮.୪ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା ।

ତଥାପି, ଏହି ବିଜୟ ଠାରୁ ଅଧିକ ଆଲୋଚନା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ଚାରିପାଖରେ ଘୁରୁଛି । ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ଉପସ୍ଥିତ ନଥିଲେ ଏବଂ ତାଙ୍କ ଅନୁପସ୍ଥିତିକୁ ନେଇ ଆହତ ଥିବା କଥା କୁହାଯାଇଛି । ଅନ୍ୟପଟେ ରୋହିତ ଶର୍ମା ହଠାତ୍ ପ୍ଲେଇଂ ଇଲେଭେନରେ ଫେରି ୪୪ ବଲ୍‌ରେ ୮୪ ରନ୍ କରିଥିଲେ, ଯେଉଁଥିରେ ୬ଟି ଚୌକା ଓ ୭ଟି ଛକା ଥିଲା ।

ଏହା ପରେ ସୋସିଆଲ ମିଡିଆରେ ଆଉ ଗୋଟିଏ ଆଲୋଚନା ଆରମ୍ଭ ହୋଇଛି ହାର୍ଦ୍ଦିକ ନଥିବା ବେଳେ ରୋହିତ ଖେଳିବାକୁ ସହଜ ମନେ କରିଥିଲେ କି? ତେବେ ଏହା ସମ୍ପୂର୍ଣ୍ଣ ଚର୍ଚ୍ଚା ଓ ଅନୁମାନ ଉପରେ ଆଧାରିତ ।

ଅନ୍ୟପଟେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମ୍ପର୍କରେ ରିଆନ୍ ରିକେଲଟନ କହିଛନ୍ତି ଯେ ତାଙ୍କର ପିଠିରେ ସମସ୍ୟା ଅଛି ଏବଂ ଫେରିବା ତାରିଖ ସ୍ପଷ୍ଟ ନୁହେଁ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଟସ୍ ସମୟରେ ତାଙ୍କ ଆହତ ଥିବା କଥା ଜଣାଇଥିଲେ ।

ଏହି ସବୁ ଘଟଣା ମଧ୍ୟରେ ମୁମ୍ବାଇ ଟିମ୍‌ର ଭିତର ମାହୋଲ କେମିତି ଅଛି ତାହାକୁ ନେଇ ଆଗକୁ ଆଉ ଅଧିକ ଆଲୋଚନା ହେବା ନିଶ୍ଚିତ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score