Explore

Search

April 29, 2026 9:42 pm

ପ୍ରକୃତି, ପରମ୍ପରା ଓ ପର୍ଯ୍ୟଟନର ଅଦ୍ଭୁତ ସଙ୍ଗମ : କୋରାପୁଟ

କୋରାପୁଟ : କୋରାପୁଟ ଜିଲ୍ଲା ଓଡ଼ିଶାର ଏକ ଅପୂର୍ବ ପର୍ଯ୍ୟଟନ କେନ୍ଦ୍ର। ପୂର୍ବଘାଟ ପର୍ବତମାଳାର କୋଳରେ ଅବସ୍ଥିତ ଏହି ଅଞ୍ଚଳ ଘନ ଜଙ୍ଗଲ, ନୀଳ ପାହାଡ଼, ସବୁଜବନାନୀ ପରିବେଶ ଓ ଶାନ୍ତ ଜଳଧାରାର ସଂମିଶ୍ରଣରେ ଏକ ସ୍ୱର୍ଗୀୟ ଅନୁଭୂତି ଦେଇଥାଏ। ଅଙ୍କାବଙ୍କା ପାହାଡ଼ିଆ ରାସ୍ତା, ମେଘମାଳାର ସ୍ପର୍ଶ ଓ ଫୁଲର ସୁଗନ୍ଧ ପର୍ଯ୍ୟଟକଙ୍କୁ ମନମୁଗ୍ଧ କରିଦିଏ ।

କୋରାପୁଟ ମାଟିର ସୌନ୍ଦର୍ଯ୍ୟ ସହ ଏଠାର ଆଦିବାସୀ ସଂସ୍କୃତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଚାଙ୍ଗୁ, ମାଦଳ ଓ ବଇଁଶୀର ମଧୁର ସ୍ୱରରେ ଏଠାର ଲୋକଙ୍କ ଜୀବନ ଏକପ୍ରକାର ଜୀଇଁବାର ଆଶା ଉଜ୍ଜୀବିତ କରେ । ସରଳତା, ଆସ୍ଥା ଓ ପ୍ରକୃତି ପ୍ରତି ଭକ୍ତିଭାବ ଏଠିକାର ଜନଜାତି ଜୀବନର ମୂଳ ଆଧାର।

ପର୍ଯ୍ୟଟନ ଦୃଷ୍ଟିରୁ କୋରାପୁଟର ଗୁରୁତ୍ୱ ଅଲଗା। ସୁଙ୍କି ଓ ଚନ୍ଦ୍ରଗିରି ପର୍ବତ ମାଳା ପର୍ଯ୍ୟଟକଙ୍କୁ ପ୍ରଥମ ଦୃଶ୍ୟରେ ଏହା ଆକର୍ଷିତ କରେ। ଅଳସୀ କ୍ଷେତର ହଳଦିଆ ଛିଟା ଓ ପାହାଡ଼ି ଲୋକନୃତ୍ୟ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ଦେଇଥାଏ।

ଏଠାରେ ଡୁଡୁମା, ରାଣୀ ଡୁଡୁମା ଓ ପୁଞ୍ଜିସିଲ ଭଳି ଜଳପ୍ରପାତ ପ୍ରକୃତିର ଅପରୂପ ସୃଷ୍ଟି। ଦେଓମାଳୀ ପାହାଡ଼ ଏହି ଜିଲ୍ଲାର ସର୍ବୋଚ୍ଚ ଶିଖର ଭାବେ ପରିଚିତ, ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟ । ଗୁପ୍ତେଶ୍ୱର ମନ୍ଦିର ଓ ଶାବରୀ ନଦୀ ଧାର୍ମିକ ଓ ପ୍ରାକୃତିକ ମାହାତ୍ମ୍ୟର ସମନ୍ୱୟ ଦେଖାଏ।

ତଦୁପରି, କୋଲାବ ଓ କୋଚିଲା ଜଳଭଣ୍ଡାରର ଶାନ୍ତ ପରିବେଶ ଓ ନୈସର୍ଗିକ ରୂପରେ ପର୍ଯ୍ୟଟକଙ୍କୁ କାଶ୍ମୀରର ଡାଲ୍ ହ୍ରଦର ଅନୁଭୂତି ଦେଇଥାଏ।

ସମସ୍ତ ଦିଗରୁ ଦେଖିଲେ, କୋରାପୁଟ ହେଉଛି ପ୍ରକୃତି, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ମିଶ୍ରଣ । ଏଠାର ଅଭିଜ୍ଞତା ପର୍ଯ୍ୟଟକଙ୍କ ମନରେ ଅସରନ୍ତି ସ୍ମୃତି ସୃଷ୍ଟି କରେ।

ଜୟପୁର ସହରରୁ ପ୍ରାୟ ୫୫ କି.ମି. ଦୂରରେ ଅବସ୍ଥିତ ପବିତ୍ର ଗୁପ୍ତେଶ୍ୱର ଧାମ ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟରେ ଘେରି ରହିଛି। ବୈପାରୀଗୁଡ଼ା ମାର୍ଗ ଅତିକ୍ରମ କରିବା ପରେ ରାମଗିରି ପର୍ଯ୍ୟନ୍ତ ଯାଇଥିବା ପିଚୁରାସ୍ତା ଘଞ୍ଚ ଜଙ୍ଗଲ ଓ ସବୁଜ ପରିବେଶର ମଧ୍ୟରେ ନେଇଯାଏ। ଡ଼ଙ୍ଗରି ଘାଟିରେ ଥିବା ଡ଼ାଲଖାଇ ଦେବୀଙ୍କ ପୀଠରେ ଭକ୍ତମାନେ ଡ଼ାଳ ଓ ପଥର ଅର୍ପଣ କରି ଆଶୀର୍ବାଦ ନେଇଥାନ୍ତି ।

ଏହି ପଥରେ ଆଗକୁ ବଢ଼ିଲେ ପହଞ୍ଚିବେ ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରେ । ଯେଉଁଠାରେ ଗୁମ୍ଫା ଭିତରେ ବିରାଜିତ ଅଛନ୍ତି ବାବା ଗୁପ୍ତେଶ୍ୱର। ଏଠାରେ ଥିବା ଶିବଲିଙ୍ଗକୁ ଭାରତର ବୃହତ୍ତମ ଶିବଲିଙ୍ଗମାନଙ୍କ ମଧ୍ୟରୁ ଗଣାଯାଏ। ମନ୍ଦିର ପହଞ୍ଚିବା ପାଇଁ ପାହାଡ଼ ଉପରକୁ ପ୍ରାୟ ୨୦୦ଟି ପାହାଚ ଚଢ଼ିବାକୁ ପଡ଼େ, ଯାହାର ଓସାର ପ୍ରାୟ ୩ ମିଟର ଏବଂ ଲମ୍ବ ୨ ମିଟର।

ପ୍ରାକୃତିକ ରୂପରେ ସୁଶୋଭିତ ଏହି ପବିତ୍ର ସ୍ଥଳ ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶାନ୍ତି ସହିତ ଏକ ଅନନ୍ୟ ପର୍ଯ୍ୟଟନ ଅନୁଭବ ଦେଇଥାଏ ।

ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବା ପରେ ପ୍ରଥମେ କିଛି ପାହାଚ ଚଢ଼ିବାକୁ ପଡ଼େ । ତାପରେ ଗୁମ୍ଫା ଭିତରକୁ ଯିବା ପାଇଁ ତଳକୁ ଓହ୍ଲାଇ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ମିଳେ। ଗୁମ୍ଫା ଭିତରେ ଶିବଲିଙ୍ଗ ପାଖରେ ଏକ ସମତଳ ଜାଗା ରହିଛି, ଯେଉଁଠାରେ ଭକ୍ତମାନେ ସହଜରେ ପୂଜାର୍ଚ୍ଚନା କରିଥାନ୍ତି।

ଲୋକକଥା ଅନୁସାରେ, ବନବାସ କାଳରେ ଭଗବାନ ରାମଚନ୍ଦ୍ର ଗୁପ୍ତ ଭାବେ ଏହି ଗୁମ୍ଫାରେ ରହି ପ୍ରଭୁ ଶିବଙ୍କ ଉପାସନା କରିଥିଲେ। ପୂଜାରୀଙ୍କ କହିବା ଅନୁଯାୟୀ, ଏହି ଶିବଲିଙ୍ଗର ଆକାର ପ୍ରତିବର୍ଷ ଦୀର୍ଘସ୍ଥାୟୀ ଭାବରେ ବଢ଼ୁଥିବା ବୋଲି ମାନ୍ୟତା ରହିଛି। ଏହି ପବିତ୍ର ସ୍ଥାନ ନିକଟରେ ଅନେକ ଅଲୌକିକ କାହାଣୀ ମଧ୍ୟ ପ୍ରଚଳିତ।

କହାଯାଏ, ଦିନେ ଜୟପୁରର ରାଜା ଶିକାରରୁ ଫେରୁଥିବା ସମୟରେ ଏହି ଅଦ୍ଭୁତ ସ୍ଥାନ ବିଷୟରେ ଜାଣିଥିଲେ। ସେହିଦିନଠାରୁ ଏଠାରେ ପ୍ରତିବର୍ଷ ଭକ୍ତିଭାବରେ ମହାଶିବରାତ୍ରୀ ପାଳନ ହୋଇଆସୁଛି।

ପୂର୍ବରୁ ଗୁପ୍ତେଶ୍ୱର ମନ୍ଦିର ସମ୍ମୁଖରେ ପଥରର ଏକ କାମଧେନୁ ମୂର୍ତ୍ତି ରହିଥିଲା। ଭକ୍ତମାନଙ୍କ ବିଶ୍ୱାସ ଥିଲା, ସେହି କାମଧେନୁ ମୂର୍ତ୍ତିର ଚିରରେ ହାତ ରଖିଲେ ଯଦି ମନୋକାମନା ସତ୍ୟ ହେବାକୁ ଥାଏ, ତେବେ ସେଠାରୁ କ୍ଷୀର ବାହାରୁଥିଲା।

ପ୍ରତ୍ନତତ୍ତ୍ୱ ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ପାହାଡ଼ ଚୂନପଥର ଆସ୍ତରଣରେ ଗଠିତ ଓ ଯାହାଠାରୁ ବାହାରୁଥିବା ପାଣି କ୍ଷୀର ନୁହେଁ, ବରଂ ଚୂନପଥର ମିଶିତ ଜଳ। ‘କାମଧେନୁ’ ନାମକ ପଥର ଗଠନର ଫାଟରୁ ଏହି ଜଳ ବାହାରୁଥିବା କୁହାଯାଏ, ଯଦିଓ ସେହି ସ୍ଥାନଟି ବର୍ତ୍ତମାନ ସୁରକ୍ଷା କାରଣରୁ ବନ୍ଦ କରାଯାଇଛି।

ଏହି ପବିତ୍ର ଗୁମ୍ଫା ପରିସରରେ ମୋଟ ୮ଟି ଗୁମ୍ଫା ଅବସ୍ଥିତ। ପ୍ରଥମ ଏବଂ ସବୁଠାରୁ ବଡ଼ ଗୁମ୍ଫାରେ ପ୍ରଭୁ ବାବା ଗୁପ୍ତେଶ୍ୱରଙ୍କ ଲିଙ୍ଗ ବିଦ୍ୟମାନ ଅଛି। ପ୍ରତ୍ୟେକ ଗୁମ୍ଫାରେ ବିଭିନ୍ନ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଦ୍ୱିତୀୟ ଗୁମ୍ଫାରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି, ତୃତୀୟରେ ରାମକୁଣ୍ଡ, ଚତୁର୍ଥରେ ଗଣେଶ ମୂର୍ତ୍ତି, ପଞ୍ଚମରେ ପାତାଳି ଗଙ୍ଗା, ଷଷ୍ଠରେ ସ୍ଵର୍ଗଦ୍ୱାର, ସପ୍ତମରେ ଦେବକୁଣ୍ଡ ଓ ସୀତାକୁଣ୍ଡ, ଏବଂ ଅଷ୍ଟମ ଗୁମ୍ଫାରେ ରାମ ପାଦୁକା ସହିତ ପାରାଭାଡ଼ି ଅବସ୍ଥିତ।

ଗୁମ୍ଫା ନିକଟରେ ପବିତ୍ର ପାପନାଶିନୀ ଶାବେରୀ ନଦୀ ପ୍ରବାହିତ ହେଉଛି। ଜନଶ୍ରୁତି ଅନୁସାରେ, ଭଗବାନ ରାମଚନ୍ଦ୍ର ଏହି ନଦୀ କୂଳରେ ପିଣ୍ଡଦାନ କରିଥିଲେ। ଆଜି ମଧ୍ୟ ଭକ୍ତମାନେ ଏଠାରେ ପିଣ୍ଡଦାନ କରି ପୂଜାର୍ଚ୍ଚନା କରୁଛନ୍ତି।

ଏହି ଗୁମ୍ଫା ଭିତରେ ପ୍ରାୟ ୨୦୦ ମିଟର ଗଭୀର ଝରଣା ରହିଛି, ଯାହା ଗୁମ୍ଫା ଫୁଟାଇ ଉପରକୁ ରଠିଛି । ଗୁମ୍ଫାର ଭିତର ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାରମୟ, ତେଣୁ ଭିତରକୁ ପ୍ରବେଶ କରିବା ବେଳେ ଟର୍ଚ୍ଚ କିମ୍ବା ମହମବତୀ ନେବା ଆବଶ୍ୟକ। ଏଠାରେ ସଂକୀର୍ଣ୍ଣ ପଥ ଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼େ ଓ ଗୁମ୍ଫା ଭିତରେ ସରୀସୃପ ଓ ବାହୁଡ଼ିଙ୍କ ବାସ ମଧ୍ୟ ଦେଖିବାକୁ ମିଳେ।

ଜନଜାତିୟ ପରମ୍ପରା ଓ ଆଧ୍ୟାତ୍ମିକ ଆସ୍ଥାର ଏକ ଅଦ୍ଭୁତ ସମନ୍ୱୟ ଏହି ପବିତ୍ର ସ୍ଥାନରେ ଦେଖିବାକୁ ମିଳେ। ଦୂରୁଆ ଜନଜାତି ସହିତ ଅନ୍ୟାନ୍ୟ ଆଦିବାସୀ ସମୁଦାୟ ଏହି ଗୁମ୍ଫାଗୁଡ଼ିକୁ ପବିତ୍ର ମନେ କରି ପୂଜାର୍ଚ୍ଚନା କରନ୍ତି। ବାବା ଗୁପ୍ତେଶ୍ୱରଙ୍କ ପୂଜା ପାଳିକ୍ରମରେ ଦୂରୁଆ ଓ ବ୍ରାହ୍ମଣ ପୁଜାରୀମାନଙ୍କ ଦ୍ୱାରା ସମ୍ପନ୍ନ ହୁଏ, ଯାହା ସାମ୍ପ୍ରଦାୟିକ ସମ୍ମିଳନର ଉତ୍କୃଷ୍ଟ ଉଦାହରଣ।

ପ୍ରତିବର୍ଷ ମହାଶିବରାତ୍ରୀ, କାର୍ତ୍ତିକ ଓ ଶ୍ରାବଣ ମାସର ସୋମବାର ଦିନରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ। ଏହି ସମୟରେ କାଉଡ଼ିଆ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳେ। ବଣ୍ଡା, ଗାଦବା, ପରଜା, ଦୂରୁଆ ଓ କୋୟା ଭଳି ବିଭିନ୍ନ ଜନଜାତି ଏଠାରେ ଏକତ୍ରିତ ହୋଇ ପାରମ୍ପରିକ ପୋଷାକ ପିନ୍ଧି ଡେମସା ନୃତ୍ୟ ଓ ଲୋକଗୀତରେ ପରିବେଶକୁ ଉତ୍ସବମୟ କରିଦିଅନ୍ତି।

ମନ୍ଦିର ପରିସରରେ ଯାତ୍ରୀମାନଙ୍କ ପାଇଁ ଦୋକାନ, ଛୋଟ ବଜାର ଓ ରହିବା ପାଇଁ ଗେଷ୍ଟ ହାଉସ ଉପଲବ୍ଧ ଅଛି। ନିକଟରେ ବହୁଥିବା ଶାବେରୀ ନଦୀର ସ୍ୱଚ୍ଛ ଓ ଶାନ୍ତ ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। ଏଠାରେ ଆସି ଲୋକମାନେ ପ୍ରକୃତିର ସୌନ୍ଦର୍ଯ୍ୟ ସହିତ ଆଧ୍ୟାତ୍ମିକ ଶାନ୍ତିର ଅନୁଭବ କରନ୍ତି।

ଭକ୍ତମାନଙ୍କ ଆସ୍ଥା ଅନୁଯାୟୀ, ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କଲେ ମନୋକାମନା ପୂରଣ ହୁଏ। ଏହି କାରଣରୁ ଏଠାକୁ ଆସିଥିବା ଅନେକ ଭକ୍ତ ପୁନଃପୁନି ଦର୍ଶନ ପାଇଁ ଫେରିଆସନ୍ତି।

ଶାବେରୀ ନଦୀ କୋରାପୁଟ, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମା ଅଞ୍ଚଳରୁ ପ୍ରବାହିତ ହୋଇଥାଏ। ଏହାର ଜଳର ବିଶେଷ ରଙ୍ଗ ଓ ପ୍ରାଚୀନ ଉଲ୍ଲେଖ ଏହି ସ୍ଥାନର ଐତିହ୍ୟକୁ ଆହୁରି ଗଭୀର କରିଥାଏ।

ରାଣୀ ଡୁଡୁମା ଜଳ ପ୍ରପାତ

କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ରାଣୀ ଡୁଡୁମା ଜଳପ୍ରପାତ ଏକ ଅଦ୍ଭୁତ ଆକର୍ଷଣ। ପାହାଡ଼ ଓ ଘାଟି ମଝିରେ ଝରିପଡ଼ୁଥିବା ଜଳଧାରାର ମନୋହର ଦୃଶ୍ୟ ପର୍ଯ୍ୟଟକଙ୍କୁ ମୁଗ୍ଧ କରିଦେଇଥାଏ। ଉଚ୍ଚ ଚଟାଣରୁ ତଳକୁ ପଡ଼ୁଥିବା ପାଣିର ଗର୍ଜନ ଓ ଚାରିପାଖର ସବୁଜ ପରିବେଶ ଏହାକୁ ଅଧିକ ଆକର୍ଷଣୀୟ କରିଥାଏ।

କୋରାପୁଟ ସହରରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏହି ଜଳପ୍ରପାତ ଅବସ୍ଥିତ। ସିମିଳିଗୁଡ଼ା ମାର୍ଗରେ ୭ କିଲୋମିଟର ଗଲେ ନନ୍ଦପୁରଠାରୁ ଜଗନ୍ନାଥ ମନ୍ଦିର ପାଖ ଦେଇ ଗ୍ରାମୀଣ ରାସ୍ତାରେ ପ୍ରାୟ ୧.୫ କିଲୋମିଟର ଯିବା ପରେ ଏକ ପ୍ରବେଶଦ୍ୱାର ଦେଖାଯାଏ। ବାମପଟେ ଭୈରବ ମନ୍ଦିର ରହିଛି ଏବଂ ସେଠାରୁ ପ୍ରାୟ ୫୦୦ ମିଟର ପାଦଚାରୀ ରାସ୍ତା ଦେଇ ଯିବା ପରେ ପାହାଡ଼ ଉପରକୁ ଯିବା ପାଇଁ ପାହାଚ ବ୍ୟବସ୍ଥା ରହିଛି। ଏଠାରୁ ଜଳପ୍ରପାତକୁ ନିକଟରୁ ଦେଖିବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର।

ରାଣୀ ଡୁଡୁମା ଜଳପ୍ରପାତ ମାଛକୁଣ୍ଡ ନଦୀର ଦୁଇଟି ଛୋଟ ଧାରା ମିଶି ସୃଷ୍ଟି ହୋଇଛି। କୁଟୁଣୀମାଳା ପାହାଡ଼ରୁ ଝରୁଥିବା ଏହି ଜଳଧାରା ଏକତ୍ରିତ ହୋଇ ବଡ଼ ଚଟାଣ ଉପରୁ ତଳକୁ ପଡ଼ିଥାଏ। ତିନୋଟି ଭିନ୍ନ ସ୍ତରରେ ପାଣି ପଡ଼ୁଥିବାରୁ ଏହାର ରୂପ ଅଧିକ ମନୋମୋହନୀୟ ହୋଇଯାଏ ।

ବର୍ଷସାରା ପାଣି ଭରିଥାଏ । ଏହି ସମୟରେ ଜଳପ୍ରବାହ ବହୁତ ଜୋରରେ ଗର୍ଜନ କରି ତଳକୁ ପଡ଼ୁଥାଏ । ଯାହା ଦୃଶ୍ୟକୁ ଅଧିକ ରୋମାଞ୍ଚକର କରିଥାଏ। ସେଠାରୁ ପାଣି ଦୁଇ ପାହାଡ଼ ମଧ୍ୟରେ ଝରଣା ଆକାରେ ବୋହିଯାଏ।

ସୂର୍ଯ୍ୟର କିରଣ ପାଣିର ଛିଦ୍ରରେ ପଡ଼ି ରଙ୍ଗିନ ଚମକ ସୃଷ୍ଟି କରେ । ଯାହା ଦୃଶ୍ୟକୁ ଅଧିକ ମନମୋହନ କରେ। ପର୍ଯ୍ୟଟକମାନେ ଏଠାରେ ଆସି ପ୍ରକୃତିର ଏହି ଅଦ୍ଭୁତ ରୂପକୁ ନିକଟରୁ ଉପଭୋଗ କରିପାରନ୍ତି। ଏହି ଜଳପ୍ରପାତର ନାମକରଣ ସହ ଜଡିତ ଏକ ଆକର୍ଷଣୀୟ ଲୋକକଥା ମଧ୍ୟ ରହିଛି, ଯାହା ଏହାର ପରିଚୟକୁ ଅଧିକ ରହସ୍ୟମୟ କରିଥାଏ।

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଜଳପ୍ରପାତ ରାଣୀ ଡୁଡୁମା ମାଛକୁଣ୍ଡ ନଦୀର ଜଳଧାରା ଓ କୁଟୁଣୀମାଳା ପର୍ବତ ଶୃଙ୍ଖଳାର ଅଙ୍କଳିରୁ ଉତ୍ପତ୍ତି ହୋଇଛି। ଏହି ସ୍ଥାନ ସହ ଜଡିତ ଏକ ପୁରାତନ କଥା ଆଜି ମଧ୍ୟ ଲୋକମୁଖେ ଶୁଣିବାକୁ ମିଳେ।
ପୁରାତନ ସମୟରେ ନନ୍ଦପୁର ରାଜ୍ୟ ଜୟପୁରର ରାଜଧାନୀ ଥିଲା ଏବଂ ସେଠାରେ ମହାରାଜା ବିଜୟ ଚନ୍ଦ୍ରାକ୍ଷ ଦେବ ଶାସନ କରୁଥିଲେ। ଦିନେ ରାଜା ଶିକାର ଶେଷ କରି ଫେରୁଥିବା ବେଳେ ସେ ଦେଖିଲେ ମହାରାଣୀ କୁଟୁଣୀମାଳା ପାହାଡ଼ ଉପରେ ବସି କାମ କରୁଛନ୍ତି । ସେ ସମୟରେ ରାଣୀଙ୍କ ପୋଷାକ ଖସିଯାଇଥିବା ଦେଖି ରାଜା ତାଙ୍କୁ ସଚେତନ କରିବା ପାଇଁ ତିନୋଟି ତୀର ଛାଡ଼ିଥିଲେ। ହଠାତ୍ ତୀର ପଡିବାରୁ ରାଣୀ ଲଜ୍ଜାବୋଧ କରି ମନରେ ଗଭୀର ଆଘାତ ଅନୁଭବ କଲେ।
ପରେ ରାଜା ମହଲକୁ ଫେରିଗଲେ ମଧ୍ୟ ରାଣୀ ସେହି ପାହାଡ଼ ଉପରେ ଚିନ୍ତାରେ ମଗ୍ନ ହୋଇ ରହିଲେ। ଅପମାନର ଭାବନାରେ ବିବ୍ରତ ହୋଇ ସେ ଶେଷରେ ପାହାଡ଼ ଉପରୁ ଲମ୍ଫ ଦେଇ ନିଜ ଜୀବନକୁ ସମାପ୍ତ କରିଦେଲେ। ଏହି ଦୁଃଖଦ ଘଟଣାକୁ ସ୍ମରଣ କରି ସେହି ଜଳପ୍ରପାତର ନାମ “ରାଣୀ ଡୁଡୁମା” ବୋଲି ପରିଚିତ ହୋଇଲା।
ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଅଦ୍ଭୁତ କଥା ମଧ୍ୟ ପ୍ରଚଳିତ। କୁହାଯାଏ ଯେ ନିଶାର ନିରବ ସମୟରେ ରାଣୀଙ୍କ ଖୋଲା କେଶ ଜଳଧାରାରେ ଭାସୁଥିବା ଭାବନା ଦେଖିବାକୁ ମିଳେ ଏବଂ ଅଜଣା ଶବ୍ଦ ଶୁଣିବାକୁ ମିଳେ।
ବର୍ତ୍ତମାନରେ ରାଣୀ ଡୁଡୁମା ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ପୂର୍ବରୁ ଏଠାକୁ ପହଞ୍ଚିବା ପାଇଁ କଠିନ ପାହାଡ଼ିଆ ପଥ ଅତିକ୍ରମ କରିବାକୁ ପଡୁଥିଲା, କିନ୍ତୁ ଏବେ ସଡ଼କ, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବାରୁ ପର୍ଯ୍ୟଟକମାନେ ସହଜରେ ଏଠାକୁ ଆସିପାରୁଛନ୍ତି। ଜଳପ୍ରପାତର ଶାନ୍ତ ଧାରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ନିକଟରୁ ଆନନ୍ଦ ନେବାର ସୁଯୋଗ ଦେଇଥାଏ।

ଶାବର ଶ୍ରୀକ୍ଷେତ୍ର

କୋରାପୁଟର ହୃଦୟଭାଗରେ ଅବସ୍ଥିତ ଶାବର ଶ୍ରୀକ୍ଷେତ୍ର ଓଡ଼ିଶାର ଏକ ଅଦ୍ୱିତୀୟ ଆଧ୍ୟାତ୍ମିକ ପୀଠ। ଏଠାରେ ଆରାଧ୍ୟ ଦେବତା ଭାବେ ପ୍ରଭୁ ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣର ସୀମାରୁ ଦୂରେ ସମସ୍ତେ ଏକତ୍ରିତ ହୋଇ ଭକ୍ତିଭାବରେ ପୂଜା କରନ୍ତି। ଏହି ପୀଠର ଇତିହାସ ଏକ ସରଳ ଚାଳକୁଡ଼ିଆ ଘରରୁ ଆରମ୍ଭ ହୋଇ ଆଜିର ଏହି ଭବ୍ୟ ମନ୍ଦିରରେ ପରିଣତ ହେବାର ଗାଥା କହେ।

ପୁରାତନ କାଳରେ ଶବର ଜାତିର ଲୋକମାନେ ଏଠାରେ ପ୍ରଭୁଙ୍କୁ ନୀଳମାଧବ ରୂପେ ଆରାଧନା କରୁଥିଲେ ବୋଲି କଥା ଚଳିତା। ଏହି ମନ୍ଦିର ପରିସର ତିନୋଟି ସ୍ତରରେ ବିଭକ୍ତ । ପ୍ରଥମ ସ୍ତରରେ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର, ଦ୍ୱିତୀୟ ସ୍ତରରେ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ସହ ଆନନ୍ଦ ବଜାର, ଏବଂ ଶୀର୍ଷ ସ୍ତରରେ ମୂଳ ଜଗନ୍ନାଥ ମନ୍ଦିର ସହ ପାର୍ଶ୍ୱ ଦେବତାଙ୍କ ମନ୍ଦିର ଅବସ୍ଥିତ।

ଏହି ପୀଠ ସହ ଜଡିତ ଏକ ଅତ୍ୟନ୍ତ ସ୍ପର୍ଶକାତ୍ମକ ଘଟଣା ମଧ୍ୟ ଚଳିତା। ପଦ୍ମଶ୍ରୀ ସଦାଶିବ ରଥ ଶର୍ମା ଜଗନ୍ନାଥ ମୂର୍ତି ପ୍ରତିଷ୍ଠା ସମୟରେ ଏକ ଆଦିବାସୀ ମହିଳା ଭକ୍ତିଭାବରେ ଜଙ୍ଗଲି ଫଳ ନେଇ ପ୍ରଭୁଙ୍କୁ ଭୋଗ ଦେବା ପାଇଁ ଆଗେଇ ଆସିଥିଲେ। ତାଙ୍କର ସରଳ ଭକ୍ତି ଓ ନିର୍ମଳ ଭାବନା ଦେଖି ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ। ଏହି ଘଟଣା ପରେ ଏହି ପୀଠକୁ ‘ଶାବର ଶ୍ରୀକ୍ଷେତ୍ର’ ଭାବେ ପରିଚିତି ମିଳିଥିଲା।

ଇତିହାସ ଅନୁଯାୟୀ, କୋରାପୁଟର ପଦ୍ମପୁର ଅଞ୍ଚଳରେ ଥିବା ଜଗମଣ୍ଡା ପାହାଡ଼ରେ ଶବର ରାଜା ବିଶ୍ୱାବସୁଙ୍କର ଆସ୍ଥାନ ଥିଲା, ଯେଉଁଠି ପ୍ରଭୁ ନୀଳମାଧବ ରୂପେ ପୂଜିତ ହୁଅଥିଲେ। ଏଠାରେ ଆଜିମଧ୍ୟ ପ୍ରଥମେ ଶବର ସମ୍ପ୍ରଦାୟ ପୂଜା କରିବା ପରେ ବ୍ରାହ୍ମଣମାନେ ପୂଜା କରନ୍ତି, ଯାହା ସମାନତାର ଏକ ଅନନ୍ୟ ଉଦାହରଣ।

ଶ୍ରୀକ୍ଷେତ୍ର ପୁରୀର ନୀତି-ନିୟମ ଅନୁସାରେ ଏଠାରେ ମଧ୍ୟ ପୂଜାପାର୍ବଣ ହୋଇଥାଏ। ଘୋଷଯାତ୍ରା ସମୟରେ ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ରଥରେ ଚଢ଼ି ପୂଜା କରନ୍ତି, ଢେମ୍ସା ନୃତ୍ୟ ଓ ସାଇଁଲୋଡ଼ି ଗୀତରେ ପରିବେଶ ଉତ୍ସବମୟ ହୋଇଯାଏ। ଶବର ମୁଖିଆ ଛେରା ପହଁରା କରିବା ପରମ୍ପରା ମଧ୍ୟ ଏଠାରେ ଦେଖିବାକୁ ମିଳେ।

ମନ୍ଦିରକୁ ଉପରକୁ ଯିବା ପାଇଁ ସୁବିଧାଜନକ ପାହାଚ ବ୍ୟବସ୍ଥା ରହିଛି, ମଝିରେ ପାନୀୟ ଜଳ ଓ ବିଶ୍ରାମ ସୁବିଧା ମଧ୍ୟ ଉପଲବ୍ଧ। ଶୀର୍ଷରେ ପହଞ୍ଚିଲେ ଶାନ୍ତ ଓ ସୁନ୍ଦର ପରିବେଶରେ ଭକ୍ତମାନେ ପ୍ରଭୁଙ୍କ ନିକଟରେ ନିଜ ମନର କଥା କହି ଆତ୍ମିକ ଶାନ୍ତି ଅନୁଭବ କରନ୍ତି।

ସମଗ୍ର ଭାବେ, ଶାବର ଶ୍ରୀକ୍ଷେତ୍ର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଏହା ଭକ୍ତି, ସମାନତା ଓ ସଂସ୍କୃତିର ଏକ ଅଦ୍ୱିତୀୟ ପ୍ରତୀକ, ଯାହା ପ୍ରତ୍ୟେକ ପର୍ଯ୍ୟଟକଙ୍କ ମନକୁ ମୋହିତ କରିଦିଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score