Explore

Search

April 28, 2026 9:13 pm

କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ବିଦ୍ୟୁତ୍ ବିକାଶର ନୂଆ ଅଧ୍ୟାୟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାକୁ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ ସବଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ କେନ୍ଦୁଝରକୁ ପୂର୍ବ ଭାରତର ଏକ ମୁଖ୍ୟ ଶିଳ୍ପ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ପୁନରୁଚ୍ଚାରଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଚ୍ଚବାଲି ସବଷ୍ଟେସନ ସହିତ ୫ଟି ନୂତନ ଟ୍ରାନ୍ସମିଶନ ଆଲୋକ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଫଳରେ କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ପ୍ରାୟ ୭ ଲକ୍ଷରୁ ଅଧିକ ଉପଭୋକ୍ତା ସୁବିଧା ପାଇବେ। ନିରବିଘ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବାକୁ ଉନ୍ନତ ଜୀବନମାନର ଆଧାର ବୋଲି କହି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ଆର୍ଥିକ ଓ ଶିଳ୍ପୀୟ ଭାବେ ଶକ୍ତିଶାଳୀ କରିବାର ସଂକଳ୍ପ ବ୍ୟକ୍ତ କରିଛନ୍ତି।

ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୪୦୦ କେଭି LILO ଲାଇନ ସହ TTPS-ଯୋଡ଼ା ଓ ତୁରୁମୁଙ୍ଗା-ରାଇରଙ୍ଗପୁର ଲାଇନ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ଏକ ସୁଦୃଢ଼ ବିଦ୍ୟୁତ୍ ନେଟୱାର୍କରେ ଯୋଡ଼ାଯିବ। ଏହା ଦ୍ୱାରା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ସମନ୍ୱୟ ରହିବ।

ବିଦ୍ୟୁତ୍ ବିଭ୍ରାଟ କମାଇବା ପାଇଁ ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡ୍‌ର ଉନ୍ନତିକରଣକୁ ପ୍ରାଥମିକତା ଦିଆଯାଇଛି। ସେଥିପାଇଁ ‘ହଟ୍‌ଲାଇନ୍‌ ମେଣ୍ଟେନାନ୍ସ’ ପ୍ରଣାଳୀ ଆରମ୍ଭ କରାଯିବ, ଯାହା ଦ୍ୱାରା ବିଦ୍ୟୁତ୍ ସପ୍ଲାଇ ଚାଲୁ ରହିଥିବା ସମୟରେ ମଧ୍ୟ ମରାମତି କାମ ସମ୍ଭବ ହେବ ଓ ଗ୍ରାହକମାନେ ବିଦ୍ୟୁତ୍ ବିଚ୍ଛିନ୍ନତାର ସମସ୍ୟାରୁ ମୁକ୍ତ ହେବେ ।

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏଭଳି ପଦକ୍ଷେପକୁ କେନ୍ଦୁଝରବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score