Explore

Search

March 16, 2026 10:29 pm

ଶିଶୁ ଭିକ୍ଷାବୃତ୍ତି ରୋକିବାକୁ ରାଜ୍ୟସ୍ତରୀୟ ପଦକ୍ଷେପ : ଜିଲ୍ଲାରେ ଗଢ଼ିବ ଟାସ୍କ ଫୋର୍ସ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସାର୍ବଜନିକ ସ୍ଥାନରେ ଶିଶୁମାନେ ଭିକ୍ଷା ମାଗୁଥିବା ଘଟଣା ବଢ଼ୁଥିବା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହି ଅବସ୍ଥାକୁ ନିୟନ୍ତ୍ରଣ କରିବା ଓ ଶିଶୁମାନଙ୍କୁ ଏହି ଅସୁରକ୍ଷିତ ପରିସ୍ଥିତିରୁ ମୁକ୍ତ କରିବା ପାଇଁ ଆୟୋଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ।

ଏନେଇ ଆୟୋଗର ଅଧ୍ୟକ୍ଷା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପୋଲିସ ଅଧିକ୍ଷକ ଏବଂ ପୌର କମିଶନରଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ ଶିଶୁ ଭିକ୍ଷାବୃତ୍ତିକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ଜିଲ୍ଲାସ୍ତରରେ ବିଶେଷ ବ୍ୟବସ୍ଥା କରିବାକୁ କୁହାଯାଇଛି।

ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ “ଜିଲ୍ଲା ଟାସ୍କ ଫୋର୍ସ” ଗଠନ କରାଯିବ। ଏହି ଦଳରେ ଏସପି, ପୌରପାଳିକା କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶ୍ରମ ବିଭାଗର ପ୍ରତିନିଧିମାନେ ସଦସ୍ୟ ଭାବେ ରହିବେ । ଟିମଟି ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ନିୟମିତ ଯାଞ୍ଚ କରି ଭିକ୍ଷାବୃତ୍ତିରେ ଲିପ୍ତ ଶିଶୁମାନଙ୍କୁ ଚିହ୍ନଟ ଓ ଉଦ୍ଧାର କରିବ।

ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ପ୍ରଥମେ ଶିଶୁ ମଙ୍ଗଳ କମିଟି (CWC)କୁ ହସ୍ତାନ୍ତର କରାଯିବ । ପରବର୍ତ୍ତୀକାଳରେ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇ ଶିକ୍ଷା, ଚିକିତ୍ସା ସେବା ଓ ପରାମର୍ଶ ସହିତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।

ଏହାସହିତ ଯେଉଁମାନେ ଶିଶୁମାନଙ୍କୁ ବଳପୂର୍ବକ ଭିକ୍ଷାବୃତ୍ତିରେ ଲିପ୍ତ କରୁଛନ୍ତି କିମ୍ବା ଦଲାଲ ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ମିଳିଛି । ଶିଶୁ ଚୋରାଚାଲାଣ ଓ ଶୋଷଣ ରୋକିବା ପାଇଁ ପୋଲିସର ବିଶେଷ ୟୁନିଟ ମାନଙ୍କୁ ମଧ୍ୟ ସକ୍ରିୟ ରହିବାକୁ କୁହାଯାଇଛି।

ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହନ ନଦେବା ପାଇଁ ଅଭିଯାନ ଚାଲିବ। କେହି ଏପରି ଘଟଣା ଦେଖିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନକୁ ସୂଚନା ଦେବାକୁ ଆହ୍ୱାନ କରାଯାଇଛି। ଏହି ଅଭିଯାନର ପ୍ରଗତି ସମ୍ପର୍କରେ ପ୍ରତିମାସ ରିପୋର୍ଟ ଆୟୋଗକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score