Explore

Search

March 14, 2026 9:33 pm

ପିଏମ-କିଷାନ ଯୋଜନାର ୨୨ତମ କିସ୍ତି ଜାରି : ଚାଷୀ ପାଇଲେ ୬୮୪ କୋଟି ଟଙ୍କା

ଭୁବନେଶ୍ୱର : କୃଷି ଓ କୃଷକଙ୍କ ଉନ୍ନତି ବିନା ଦେଶର ସମଗ୍ର ବିକାଶ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି । ଚାଷୀମାନେ ଦେଶର ଅର୍ଥନୀତିର ମୂଳ ଶକ୍ତି ଓ ସମାଜର ମେରୁଦଣ୍ଡ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଓୟୁଏଟି ପରିସରରେ ଥିବା କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ–କିଷାନ ଉତ୍ସବ ଦିବସ ଅବସରରେ କୃଷକମାନଙ୍କୁ ଉଦ୍ବୋଧନ କରି ଏପରି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।

ଏହି ସମୟରେ ଦେଶସ୍ତରରେ ପିଏମ–କିଷାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଜାରି ହୋଇଥିଲା। ଆସାମର ଗୋୱାହାଟିରେ ଆୟୋଜିତ କାର୍ଯ୍ୟକ୍ରମରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏହି କିସ୍ତିର ଅନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ଦେଶର ପ୍ରାୟ ୯.୩୨ କୋଟି କୃଷକଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଥିଲା।

ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଥିଲେ ଯେ, ପିଏମ–କିଷାନ ଯୋଜନା ଚାଷୀଙ୍କ ପାଇଁ ବଡ଼ ସହାୟତା ହେଉଛି । ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟ କରିବାରେ ଏହି ଅର୍ଥ ସହାୟତା ଉପକୃତ କରୁଛି । ବର୍ଷକୁ ତିନୋଟି କିସ୍ତିରେ ମୋଟ ୬ ହଜାର ଟଙ୍କା ଦିଆଯାଉଥିବା ବେଳେ, ଏହା କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କ ପାଇଁ ବଡ଼ ସହାୟତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପିଏମ–କିଷାନ ଉତ୍ସବ ଦିବସ ଅବସରରେ ଦେଶର ସମସ୍ତ ରାଜ୍ୟ ସହିତ ଓଡ଼ିଶାର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ କୃଷକମାନଙ୍କୁ ଯୋଜନା ସମ୍ପର୍କିତ ଯୋଗ୍ୟତା ଓ ନିୟମାବଳୀ ବିଷୟରେ ମଧ୍ୟ ସଚେତନ କରାଯାଇଥିଲା।

ଓଡ଼ିଶାରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଯୋଗ୍ୟ କୃଷକ ଏହି କିସ୍ତିର ଲାଭ ପାଇଛନ୍ତି। ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ହିସାବରେ ମୋଟ ପ୍ରାୟ ୬୮୪ କୋଟି ଟଙ୍କା ସହାୟତା ରାଜ୍ୟର କୃଷକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସମୟରେ ଚାଷୀମାନଙ୍କୁ ଆହ୍ୱାନ କରି କହିଥିଲେ ଯେ, ପିଏମ୍–କିଷାନ ଯୋଜନାର ଲାଭ ନିର୍ବିଘ୍ନରେ ପାଇବା ପାଇଁ e-KYC ସମାପନ, ଜମିର ସଠିକ ବିବରଣୀ ଅପଡେଟ, ଆଧାର–ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଇତ୍ୟାଦି ଆବଶ୍ୟକ ପ୍ରକ୍ରିୟା ଶୀଘ୍ର ପୂରଣ କରିବାକୁ ସମସ୍ତ କୃଷକ ଭାଇଭଉଣୀଙ୍କୁ ସେ ଅନୁରୋଧ କରିଥିଲେ।

ଯୋଜନା ମାଧ୍ୟମରେ ଚାଷୀଙ୍କ ଆର୍ଥିକ ସୁରକ୍ଷା ବୃଦ୍ଧି ପାଇବା ସହ କୃଷି କ୍ଷେତ୍ରରେ ନୂତନ ଆଶା ସୃଷ୍ଟି ହେଉଛି ବୋଲି ମତ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କୃଷକଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟସରକାର କେନ୍ଦ୍ର ସରକାର ସହ ମିଶି କାମ କରୁଛି । କୃଷିକୁ କେବଳ ଧାନ ଚାଷରେ ସୀମିତ ରଖିବା ଠିକ୍ ନୁହେଁ ଡାଲି, ପନିପରିବା, ଫଳ ଏବଂ ବିଭିନ୍ନ ଅର୍ଥକାରୀ ଫସଲ ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେବା ଆବଶ୍ୟକ। ଓଡ଼ିଶାର ଉର୍ବର ମାଟିକୁ ସଦ୍ବ୍ୟବହାର କରି ରାଜ୍ୟକୁ କୃଷି ରପ୍ତାନି କ୍ଷେତ୍ରରେ ଅଗ୍ରଗାମୀ କରିବା ସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ।

କୃଷି ବିଶେଷଜ୍ଞମାନଙ୍କ ମତାନୁସାରେ, ନୂତନ ପ୍ରଯୁକ୍ତିର ବ୍ୟବହାର, ଜଳବାୟୁ–ସହନଶୀଳ କୃଷି ପଦ୍ଧତି, ଡିଜିଟାଲ୍ ପ୍ରଯୁକ୍ତି ଓ ଗୋଷ୍ଠୀ ଭିତ୍ତିକ ଚାଷ ପ୍ରଣାଳୀ ଆପଣାଇଲେ ଦେଶରେ ଏକ ସ୍ଥାୟୀ ଓ ସୁଦୃଢ଼ ଖାଦ୍ୟ ପ୍ରଣାଳୀ ଗଢ଼ି ଉଠିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score