Explore

Search

February 18, 2026 10:40 pm

ପାକିସ୍ତାନ ପାଇଁ ଆଜି କର ବା ମର ସ୍ଥିତି

ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ସମ୍ମୁଖରେ ଭାରି ପରାଜୟ ବରଣ କରିବା ପରେ ପାକିସ୍ତାନର ଟି-୨୦ ବିଶ୍ୱକପ ଯାତ୍ରା ଏବେ ସଙ୍କଟମୟ ପରିସ୍ଥିତିରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢ଼ିବା ପାଇଁ ଆଜିର ନାମିବିଆ ବିପକ୍ଷ ମୁକାବିଲା ସେମାନଙ୍କ ପାଇଁ ‘କର ବା ମର ’ ପରିସ୍ଥିତି ସୃଷ୍ଟି କରିଛି ।

ଆରମ୍ଭରେ ପାକିସ୍ତାନ ସୁପର ୮ରେ ପହଞ୍ଚିବାର ଜୋରଦାର ଦାବିଦାର ଭାବେ ଦେଖାଯାଉଥିଲେ, କିନ୍ତୁ ଭାରତ ବିରୋଧରେ ଅପେକ୍ଷିତ ପରାଜୟ ସେମାନଙ୍କ ଯୋଜନାକୁ ଅସ୍ଥିର କରିଦେଇଛି। ଏହି ଫଳାଫଳ ପରେ ଗ୍ରୁପ୍ ଏ’ର ଶେଷ ମ୍ୟାଚ ସେମାନଙ୍କ ପାଇଁ ନିର୍ଣ୍ଣାୟକ ରୂପ ନେଇଛି।

ପ୍ରତ୍ୟେକ ଗ୍ରୁପ୍‌ରୁ କେବଳ ଶୀର୍ଷ ଦୁଇଟି ଦଳ ମାତ୍ର ସୁପର ୮ରେ ପ୍ରବେଶ କରିପାରିବେ। ବର୍ତ୍ତମାନ ପାକିସ୍ତାନ ପଏଣ୍ଟ ତାଲିକାରେ ଭାରତ ଓ ଆମେରିକା ପଛରେ ତୃତୀୟ ସ୍ଥାନରେ ଅଛି, ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି।

ଅନ୍ୟପଟେ, ଭାରତ ତିନୋଟି ମ୍ୟାଚରୁ ତିନୋଟିରେ ବିଜୟ ହାସଲ କରି ସୁପର ୮ରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ଆମେରିକା ମଧ୍ୟ ଚାରି ପଏଣ୍ଟ ଓ ଭଲ ରନ ହାର ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏପରି ସ୍ଥିତିରେ ପାକିସ୍ତାନଙ୍କୁ ଆଜିର ମ୍ୟାଚ୍‌ରେ ଜିତିବା ସହିତ ନେଟ ରନ ରେଟକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ।

କାଗଜପତ୍ରରେ ଦେଖିଲେ ନାମିବିଆ ବିପକ୍ଷରେ ପାକିସ୍ତାନର ପରାଜୟ ପ୍ରାୟଃ ଅସମ୍ଭବ ପରି ଲାଗୁଥାଏ, କିନ୍ତୁ ଦଳର ଅସ୍ଥିର ବ୍ୟାଟିଂ ପ୍ରଦର୍ଶନକୁ ଭାବିଲେ ଅପସେଟର ସମ୍ଭାବନାକୁ ପୂରାପୂରି ଖଣ୍ଡନ କରିହେବ ନାହିଁ। ଏହି ମୁକାବିଲାରେ ଯଦି ପାକିସ୍ତାନ ହାରେ, ତେବେ ସେମାନଙ୍କର ବିଶ୍ୱକପ ଯାତ୍ରା ସେଠାରେ ଶେଷ ହେବ। ଏମିତି ପରିସ୍ଥିତିରେ ଆମେରିକା ପାଇଁ ସୁପର ୮ରେ ପ୍ରବେଶ କରିବା ରାସ୍ତା ଆହୁରି ସୁଗମ ହୋଇପଡ଼ିବ।

ତଥାପି ପାକିସ୍ତାନ ଯାହାକୁ ସାମ୍ନା କରୁଛି, ସେହି ନାମିବିଆ ଦଳ ଏପର୍ଯ୍ୟନ୍ତ ଖେଳା ତିନୋଟି ମ୍ୟାଚରେ ପରାଜିତ ହୋଇ ଗ୍ରୁପର ସବୁଠାରୁ ତଳ ସ୍ଥାନରେ ଅଛି। ଏହି କାରଣରୁ ଦେଖାଯାଉଛି ଯେ, ଆଜିର ମ୍ୟାଚର ମୁଖ୍ୟ ଆକର୍ଷଣ ରହିବ ପାକିସ୍ତାନର ବ୍ୟାଟିଂ ଲାଇନଅପ।

ଦଳର ମୁଖ୍ୟ ବ୍ୟାଟରମାନେ ବାବର ଆଜମ, ଓପନର ସାହିବଜାଦା ଫରହାନ, ସୈମ ଆୟୁବ ଏବଂ ଅଧିନାୟକ ସଲମାନ ଅଲି ଆଗା ଉପରେ ସମସ୍ତଙ୍କ ଦୃଷ୍ଟି ରହିବ। ଭାରତ ବିପକ୍ଷରେ ମ୍ୟାଚରେ ପାକିସ୍ତାନର ବ୍ୟାଟିଂ ଅସମନ୍ୱୟ ଏବଂ ଚାପରେ ଭାଙ୍ଗିପଡ଼ିବା ସ୍ପଷ୍ଟ ହୋଇଥିଲା, ଯାହାକୁ ସୁଧାରିବା ଏବେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score