ଭୁବନେଶ୍ୱର : ପର୍ଯ୍ୟଟନ ମାନଚିତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ପୁରୀ ଜିଲ୍ଲା । ଉପକୂଳବର୍ତ୍ତୀ ଏହି ଅଞ୍ଚଳ ଏବେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ରରୂପେ ପରିଚିତ ହେବାକୁ ଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀ ବେଳାଭୂମିକୁ କେନ୍ଦ୍ର କରି ପୂର୍ବେ ପର୍ଯ୍ୟଟନ ସୀମିତ ଥିଲେ ମଧ୍ୟ, ଏବେ ସମଗ୍ର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ପୁରୀ ଜିଲ୍ଲାର ମୋଟ ୨୧ଟି ପର୍ଯ୍ୟଟନ ସ୍ଥଳୀରେ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସମାଗମ ଲକ୍ଷଣୀୟ ଭାବେ ବଢ଼ିଚାଲିଛି। ବିଶେଷକରି କୋଭିଡ ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ଆଗମନ ଗ୍ରାଫ ଊର୍ଦ୍ଧ୍ୱମୁଖୀ ହେବାସହ ପର୍ଯ୍ୟଟନ ଶିଳ୍ପରେ ନୂତନ ସମ୍ଭାବନା ସୃଷ୍ଟି ହେଉଛି । ଏହାଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହ ଯୁବପିଢ଼ି ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିଛି । ତେଣୁ ପର୍ଯ୍ୟଟନର ହଟସ୍ପଟ ଏବେ ପୁରୀ ପାଲଟିଛି ।
ରାଜ୍ୟ ପର୍ଯ୍ୟଟନ ପରିସଂଖ୍ୟାନ ତଥ୍ୟ ଅନୁସାରେ ପୁରୀ ଜିଲ୍ଲାରେ ପର୍ଯ୍ୟଟକ ଆଗମନ ଦିନକୁ ଦିନ ବୃଦ୍ଧି ପାଉଛି। ବର୍ଷକ ମଧ୍ୟରେ ପୁରୀ ସହରକୁ ପ୍ରାୟ ୨ କୋଟି ୪୩ ଲକ୍ଷ ୧୪ ହଜାର ପର୍ଯ୍ୟଟକ ଆସିଥିବା ତଥ୍ୟ ମିଳିଛି, ଯାହା ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଗୁରୁତ୍ୱକୁ ଆଉ ମଜବୁତ କରିଛି ।
ଏହାସହ କୋଣାର୍କ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ଭାବେ ଦ୍ରୁତ ଗତିରେ ଉଭା ହୋଇଛି । ଦୈନନ୍ଦିନ ଭ୍ରମଣ ତଥ୍ୟ ଅନୁଯାୟୀ ୨୦୨୨ ମସିହାରେ କୋଣାର୍କକୁ ୪୨ ଲକ୍ଷ ୮୦ ହଜାର ୫୦୦ ପର୍ଯ୍ୟଟକ ଆସିଥିବା ବେଳେ, ୨୦୨୩ରେ ଏହି ସଂଖ୍ୟା ବଢ଼ି ୫୬ ଲକ୍ଷ ୮୫ ହଜାର ୮୮୪କୁ ପହଞ୍ଚିଥିଲା। ୨୦୨୪ ମସିହାରେ ପର୍ଯ୍ୟଟକ ସଂଖ୍ୟା ଆଉ ବଢ଼ି ୬୭ ଲକ୍ଷ ୭ ହଜାର ୮୨୧କୁ ଛୁଇଁଛି ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ପୁରୀ ସହର ପରେ କୋଣାର୍କ ଏବେ ପର୍ଯ୍ୟଟକଙ୍କ ପାଇଁ ଦ୍ୱିତୀୟ ସର୍ବାଧିକ ପସନ୍ଦର ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି ।
୨୦୨୪ ରିପୋର୍ଟ ଅନୁଯାୟୀ ଜିଲ୍ଲାର ୨୧ଟି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ସେହି ସ୍ଥାନ ଗୁଡ଼ିକ ହେଉଛି ଚିଲିକା ଓ ସାତପଡ଼ା, ବିଶ୍ବନାଥ ମୁଣ୍ଡିଆ, କାକଟପୁର, ଅସ୍ତରଙ୍ଗ, କୁରୁମ, ସତ୍ୟବାଦୀ, ବାଲିହରଚଣ୍ଡୀ, ଚୌରାସି, ରଘୁରାଜପୁର, ବ୍ରହ୍ମଗିରି, ପିପିଲି, ରାମଚଣ୍ଡୀ, ରାଜସ୍ଵ ଗ୍ରାମ ବେଲେଶ୍ଵର, ଜାହାନିଆ ପୀର, ବାଲିଗାଁ, ବରାଳ ବାଲୁଙ୍କେଶ୍ଵର, ମାଣିକପାଟଣା, ମା’ ମଙ୍ଗଳା ମନ୍ଦିର ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
