Explore

Search

February 11, 2026 1:50 pm

କୋରାପୁଟରୁ ଗଡ଼ିଲା ତୀର୍ଥଯାତ୍ରା ବସ, ୧୬୮ ବରିଷ୍ଠ ନାଗରିକ କଲେ ଧାର୍ମିକ ଯାତ୍ରା

କୋରାପୁଟ : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ସହଯୋଗରେ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ କୋରାପୁଟ ଜିଲ୍ଲାରୁ ମୋଟ ୧୬୮ ଜଣ ବରିଷ୍ଠ ନାଗରିକ ଧାର୍ମିକ ଯାତ୍ରା ପାଇଁ ପ୍ରସ୍ଥାନ କରିଛନ୍ତି ।

ଏହି ଅବସରରେ କୋରାପୁଟରୁ ରାୟଗଡ଼ା ଗନ୍ତବ୍ୟସ୍ଥଳକୁ ଯିବାକୁ ଏକ ବିଶେଷ ବସ ସେବା କରାଯାଇଥିଲା । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ନାଏକ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଯାତ୍ରା କାମନା କରିବା ସହ ସରକାରୀ ଯୋଜନାର ସଫଳ ରୂପାୟଣ ପ୍ରତି ଆଶା ପ୍ରକାଶ କରିଥିଲେ।

ଜିଲ୍ଲାର ଭିନ୍ନଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ଚୟନିତ ୧୬୮ ଜଣ ବରିଷ୍ଠ ନାଗରିକ ଧାର୍ମିକ ତୀର୍ଥ ଯାତ୍ରା ପାଇଁ ପ୍ରସ୍ଥାନ କରିଛନ୍ତି । ଯାତ୍ରା ଆରମ୍ଭ ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ କରାଯାଇଥିଲା ଓ ଆବଶ୍ୟକୀୟ ଔଷଧ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଥମ ପର୍ଯ୍ୟାୟରେ ଯାତ୍ରୀମାନେ ବସ ଯୋଗେ ରାୟଗଡ଼ାରେ ପହଞ୍ଚିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ରାୟଗଡ଼ାରୁ ଅଯୋଧ୍ୟା ଓ ତାପରେ ପବିତ୍ର ବାରଣାସୀ ଧାମକୁ ଯାଇ ତୀର୍ଥ ଦର୍ଶନ କରିବେ।

ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମ ୬ ଦିନ ଧରି ଚାଲିବ ଏବଂ ଆସନ୍ତା ୨୨ ତାରିଖରେ ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀ କୋରାପୁଟକୁ ପ୍ରତ୍ୟାବର୍ତ୍ତନ କରିବେ । ତୀର୍ଥ ବସ ଯାତ୍ରାର ଶୁଭାରମ୍ଭ ଅବସରରେ ପର୍ଯ୍ୟଟନ ଉନ୍ନୟନ ବିଭାଗର ଅଧିକାରୀ, ସହାୟକ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ସମଗ୍ର ବ୍ୟବସ୍ଥାକୁ ସୁଚାରୁ ଭାବେ ସଞ୍ଚାଳନ କରିଥିଲେ।

ପରିଣତ ବୟସରେ ବରିଷ୍ଠ ନାଗରିକମାନେ ଯେପରି ଧାର୍ମିକ ଆସ୍ଥା ପୂରଣ କରିପାରିବେ, ସେହି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅନେକ ସମୟରେ ଆର୍ଥିକ ସଙ୍କଟ ଓ ପାରିପାର୍ଶ୍ୱିକ ପରିସ୍ଥିତି କାରଣରୁ ବହୁ ବରିଷ୍ଠ ନାଗରିକ ତୀର୍ଥ ଦର୍ଶନର ସୁଯୋଗରୁ ବଞ୍ଚିତ ରହୁଥିଲେ। ସେହି ସମସ୍ୟାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ନାଏକ ସୂଚନା ଦେଇଛନ୍ତି ।

ତୀର୍ଥଯାତ୍ରା ଅବଧି ସମୟରେ ଯାତ୍ରୀମାନଙ୍କ ସୁବିଧାକୁ ମୁଖ୍ୟ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରହିବା, ଯାତାୟାତ ଓ ଖାଦ୍ୟ-ପାନୀୟ ସହିତ ଜଗୁଆଳୀ, ପଥପ୍ରଦର୍ଶକ, ଯାତ୍ରୀ ବୀମା ଓ ଆବଶ୍ୟକ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବବର୍ଷରେ ମଧ୍ୟ ୧୦ଟି ପର୍ଯ୍ୟାୟରେ ତୀର୍ଥଯାତ୍ରା ଆୟୋଜିତ ହୋଇଥିଲା।

ଏଥିରେ ରାୟଗଡ଼ା ଠାରୁ ରାମେଶ୍ୱରମ ଓ ମଦୁରାଇ ପର୍ଯ୍ୟନ୍ତ ବହୁ ବରିଷ୍ଠ ନାଗରିକ ଧାର୍ମିକ ଭ୍ରମଣର ସୁଯୋଗ ଲାଭ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score