ଭୁବନେଶ୍ୱର : ଚମକିବ ଓଡିଶାର ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ଏଥିପାଇଁ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଉପରେ ରହିଛି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଫୋକସ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଏକ ନୂଆ ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ସଂସ୍କୃତିରେ ସମୃଦ୍ଧ ଓଡ଼ିଶାକୁ ଦେଶ-ବିଦେଶର ପର୍ଯ୍ୟଟକଙ୍କ ପ୍ରିୟ ଗନ୍ତବ୍ୟସ୍ଥଳୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପର୍ଯ୍ୟଟନ ନୀତିକୁ ପୁନଃସଂଶୋଧନ କରାଯାଇଛି ।
ଭିଜନ-୨୦୩୬ ଓ ଭିଜନ-୨୦୪୭ ସହ ସମନ୍ୱୟ ରଖି ପ୍ରସ୍ତୁତ ଏହି ନୂଆ ପର୍ଯ୍ୟଟନ ନୀତି ରାଜ୍ୟର ଅର୍ଥନୈତିକ ବିକାଶରେ ପର୍ଯ୍ୟଟନକୁ ମୁଖ୍ୟ ଭୂମିକାରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ନିବେଶକଙ୍କ ପାଇଁ ବ୍ୟବସାୟ ସହଜତା ବଢ଼ାଇବା ଉଦ୍ଦେଶ୍ୟରେ ଅନେକ ନିୟମରେ ଶିଥିଳତା ଅଣାଯାଇଛି।
୩-ତାରକା ଓ ତା’ଠାରୁ ଉଚ୍ଚ ଶ୍ରେଣୀର ହୋଟେଲ ଓ ରିସର୍ଟ ସ୍ଥାପନ ପାଇଁ ଆବଶ୍ୟକ ସର୍ବନିମ୍ନ କୋଠରୀ ସଂଖ୍ୟାକୁ ୫୦ରୁ କମାଇ ୧୦ କରାଯାଇଥିବା ବେଳେ, ବର୍ତ୍ତମାନ କାର୍ଯ୍ୟରତ ପର୍ଯ୍ୟଟନ ୟୁନିଟ ଗୁଡ଼ିକର ସମ୍ପ୍ରସାରଣ ପାଇଁ ଯୋଗ୍ୟତା ସୀମାକୁ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ଦ୍ରୁତ ଭାବେ ନୂଆ ପ୍ରକଳ୍ପ ଗଢ଼ି ଉଠିବାର ସମ୍ଭାବନା ବଢ଼ିଛି।
ନିବେଶକଙ୍କୁ ଆକର୍ଷିତ କରିବାକୁ ପୁଞ୍ଜି ନିବେଶ ସବସିଡିକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି । ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶରେ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଓ ମେଗା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ରିହାତି ମିଳିବ।
ହୀରାକୁଦ, ସାତକୋଶିଆ, ଶିମିଳିପାଳ, ଭିତରକନିକା, ରତ୍ନଗିରି–ଉଦୟଗିରି–ଲଳିତଗିରି ସହ ଚିଲିକା, କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଭଳି ଅଞ୍ଚଳଗୁଡ଼ିକୁ ବିଶେଷ ପର୍ଯ୍ୟଟନ ଜୋନ ଭାବେ ଗଢ଼ି ତୋଳିବା ପାଇଁ ଯୋଜନା କରାଯାଇଛି । ଏଥିସହ ସହର ସୌନ୍ଦର୍ଯ୍ୟକରଣ ଓ ଆଧୁନିକ ପରିକ୍ରମା ଉନ୍ନତିରେ ମଧ୍ୟ ଜୋର ଦିଆଯାଉଛି।
ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ଉଦ୍ୟୋଗୀମାନଙ୍କ ପାଇଁ ଅତିରିକ୍ତ ସହାୟତା ବ୍ୟବସ୍ଥା କରାଯାଇଛି । ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶରେ ୬୦ କୋଟି ଓ ୨୦୦ କୋଟିରୁ ଅଧିକ ପ୍ରକଳ୍ପ ପାଇଁ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ସହଯୋଗ ମିଳିବ।
ଡେଷ୍ଟିନେସନ ୱେଡିଂ, ଲଗଜ୍ଜରି କ୍ୟାମ୍ପିଂ, ହୋମଷ୍ଟେ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଚାରକୁ ମଧ୍ୟ ନୂଆ ନୀତିରେ ସ୍ଥାନ ମିଳିଛି । ପର୍ଯ୍ୟଟନ ସେବାଦାତାଙ୍କୁ ଦେଶୀ ଓ ବିଦେଶୀ ପର୍ଯ୍ୟଟନ ମେଳାରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହନ ଦିଆଯିବ।
ଏହି ସମସ୍ତ ପଦକ୍ଷେପ ଓଡ଼ିଶାକୁ ଆଗାମୀ ଦିନରେ ଏକ ଶକ୍ତିଶାଳୀ ପର୍ଯ୍ୟଟନ ରାଜ୍ୟ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
