Explore

Search

November 20, 2025 6:22 pm

ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନା ନେଇ MOU ସ୍ୱାକ୍ଷର

ଭୁବନେଶ୍ୱର : ଓଡ଼ିଆ ସିନେମା ଯେପରି ଆହୁରି ଲୋକଙ୍କ ମନ କିଣିବ, ସବୁଠି ଓଡ଼ିଆ ଫିଲ୍ମ କେମିତି ଭଲ ଚାଲିବ, ସୁବର୍ଣ୍ଣ ଐତିହ୍ୟକୁ ସାଇତି ରଖିବା ଓ ପୁରୁଣା ଫିଲ୍ମଗୁଡ଼ିକୁ ଭବିଷ୍ୟତ ପିଢି ପାଇଁ ସୁରକ୍ଷିତ କରିବା ଉଦ୍ୟମରେ ଶେଷ ହୋଇଛି ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା। ଏନେଇ ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନା ନେଇ ଏକ MoU ସ୍ୱାକ୍ଷର ହୋଇଛି । ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌, ଇଣ୍ଟରନ୍ୟାସନାଲ୍ ଫେଡେରେସନ୍‌ ଅଫ୍ ଫିଲ୍ମ ଆର୍କାଇଭ୍‌ସ (FIAF) ଓ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସହଯୋଗରେ ଏହି କର୍ମଶାଳା ନଭେମ୍ବର ୧୨ରେ ଆରମ୍ଭ ହୋଇଥିଲା । କର୍ମଶାଳାରେ ଯୋଗଦେଇଥିବା ୫୯ ଜଣ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସାଙ୍ଗକୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ପ୍ରେମୀ, ଗବେଷକ ଓ ଯୁବ ସିନେ-ପେଶାଦାରମାନେ ଏହାକୁ ଓଡ଼ିଆ ସିନେମା ସଂରକ୍ଷଣ ଉଦ୍ୟମରେ ଏକ ମାଇଲଷ୍ଟୋନ ବୋଲି ବ୍ୟାଖ୍ୟା କରିଛନ୍ତି। କଳାଭୂମି ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, “ଚଳଚ୍ଚିତ୍ର ହେଉଛି ସମାଜର ସାମୂହିକ ସ୍ମୃତିର ଅଭିଲେଖା । ସଂରକ୍ଷଣ ଦ୍ୱାରା ହଜିଯାଉଥିବା ସିନେମା ପୁଣି ଥରେ ଜୀବନ୍ତ ହୋଇ ପିଢି ଦରପିଢି ଗଳ୍ପ କହିବ,” ବୋଲି ସେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ ଦେଇ କହିଥିଲେ ।

କଟକ ବକ୍ସିବଜାରସ୍ଥିତ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟାଳୟରେ ପ୍ରଥମ ଓଡ଼ିଆ ସିନେମା ଅଭିଲେଖାଗାରରେ ୧୯୪୮ ମସିହାରେ ମୁକ୍ତିଲାଭ କରିଥିବା ଢେଙ୍କାନାଳ ରାଜପରିବାରର ଗୌରାଙ୍ଗ ପ୍ରତାପ ସିଂହଦେଓଙ୍କ ଦ୍ୱାରା ପ୍ରଯୋଜିତ ତଥା ‘ଗ୍ରେଟ୍‌‌ ଇଷ୍ଟର୍ଣ ମୁଭିଟୋନ୍‌‌’ ବ୍ୟାନରରେ ନିର୍ମିତ ଏବଂ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ‘ଲଳିତା’ ସମେତ ‘ସମର୍ପଣ’, ‘ଚିଲିକା ତୀରେ’, ‘ମାୟାମିରିଗ’ ଆଦି ୧୦୦ଟି ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷିତ ରହିଛି।

ଏଥିସହିତ ୧୯୩୬ରୁ ୧୯୭୬ ମସିହା ମଧ୍ୟରେ ‘ସୀତା ବିବାହ’ରୁ ‘ସିନ୍ଦୂର ବିନ୍ଦୁ’ ପର୍ଯ୍ୟନ୍ତ କଳାଧଳା ଯୁଗରେ ମୁକ୍ତିଲାଭ କରିଥିବା ଶ୍ରୀଜଗନ୍ନାଥ, ନବଜନ୍ମ, କା, ଅରୁନ୍ଧତୀ, ସୂର୍ଯ୍ୟମୁଖୀ, ଘରବାହୁଡ଼ା, ମାଟିର ମଣିଷ, କୃଷ୍ଣ ସୁଦାମା, ସଂସାର, ଘରସଂସାର, ସିନ୍ଦୂର ବିନ୍ଦୁ ଭଳି ବଛାବଛା ୨୦ଟି ସିନେମାର ଛବିକୁ ଫାଇବର ଲାମିନେସନ୍‌‌ରେ ଏହି ଅଭିଲେଖାଗାରରେ ରଖାଯାଇଛି। ଏହାଛଡ଼ା ପୁରୁଣା ପୋଷ୍ଟର, ଲବିଷ୍ଟିଲ, ଶୋ’ କାର୍ଡ, ଗୀତପୁସ୍ତିକା, ସିନେମା ନିର୍ମାଣ ସମୟର ଫଟୋ ଏବଂ ବିଭିନ୍ନ ସିନେମାପତ୍ରିକାର ପ୍ରଚ୍ଛଦ ଆଦି ସଂଗ୍ରହ କରାଯାଇ ଏହିଠାରେ ରଖାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କରାଯିବା ପରେ ପୁରୁଣା ସିନେମାର ଅନ୍ୟାନ୍ୟ ବିଭାଗକୁ ନେଇ ସଂରକ୍ଷଣର ଉଦ୍ୟମ ଚାଲିଥିଲା, ଯାହା ଆଜି ଏକ ନୂଆ ଦିଗ ପାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score