Explore

Search

February 11, 2026 10:57 am

ପୁଣି ଅନ୍ତର୍ଜାତୀୟସ୍ତରରେ ଚମକିଲେ ବ୍ରହ୍ମପୁରର ୨ ଓଡ଼ିଆ ପୁଅ

ବ୍ରହ୍ମପୁର : ପୁଣି ଅନ୍ତର୍ଜାତୀୟସ୍ତରରେ ଚମକିଲେ ଓଡ଼ିଆ ପୁଅ। ବ୍ରହ୍ମପୁର ପାଇଁ ଆଣିଲେ ଗର୍ବଗୌରବ । ଅନ୍ତର୍ଜାତୀୟସ୍ତରରେ ବିଚାରକ ସାଜିଛନ୍ତି ୨ ଓଡ଼ିଆ ପୁଅ । ଇଣ୍ଡୋନେସିଆରେ ଆୟୋଜିତ ୧୬ତମ ବିଶ୍ୱ ବଡି ବିଲ୍ଡିଂ ଏବଂ ଫିଜିକ୍ ସ୍ପୋର୍ଟ୍ସ ଚାମ୍ପିଅନସିପ୍ 2025 (World Bodybuilding & Physique Sports Championships 2025)ରେ ଉଭୟ ବିଚାରକ ସାଜିଛନ୍ତି । ଏଥି ନିମନ୍ତେ ଓଡ଼ିଶାର ୨ ଯୁବ ପ୍ରତିଭାଙ୍କୁ ମିଳିଛି ଏହି ଗୁରୁଦାୟିତ୍ବ । ଏହି ୨ ଯୁବ ପ୍ରତିଭା ହେଉଛନ୍ତି ବ୍ରହ୍ମପୁରର ଉମାଚରଣ ଶତପ‌ଥୀ ଏବଂ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଏସ.ରାଜେଶ ବାବୁ ଆଚାରୀ । ୫୨ଟି ଦେଶର ୬୦୦ରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ବାଛିଛନ୍ତି ଶ୍ରେଷ୍ଠ ପ୍ରତିଯୋଗୀ ।

ନଭେମ୍ବର ୧୧ ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଇଣ୍ଡୋନେସିଆର ବଟମ୍‌ ସିଟି ଠାରେ । ଇଣ୍ଡୋନେସିଆନ୍ ବଡିବିଲ୍ଡିଂ ଏବଂ ଫିଟନେସ୍ ଫେଡେରେସନ୍ ସହଯୋଗରେ ଡାଟୁକ୍ ପାଉଲ୍ ଚୁଆ ଦ୍ୱାରା ୧୬ ତମ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବା ବିଶ୍ୱ ବଡିବିଲ୍ଡିଂ ଏବଂ ଫିଜିକ୍ ସ୍ପୋର୍ଟ୍ସ ଚାମ୍ପିଅନସିପ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସାରା ବିଶ୍ୱରୁ ପ୍ରାୟ ୫୨ଟି ଦେଶର ପାଖାପାଖି ୬୦୦ରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଭାରତ ୪ ଜଣ ଚୟନ ହୋଇଥିଲେ । ଏମାନଙ୍କ ମଧ୍ୟରେ ବ୍ରହ୍ମପୁରର ଦୁଇ ଯୁବ ପ୍ରତିଭା ଉମାଚରଣ ଶତପ‌ଥୀ ଏବଂ ଏସ.ରାଜେଶ ବାବୁ ଆଚାରୀ ବିଚାରକ ରହିଛନ୍ତି ।

ଆନ୍ତର୍ଜାତୀୟ ବିଚାରକ ଭାବରେ ଇଣ୍ଡୋନେସିଆ ଗସ୍ତ କରିଥିବା ଉମାଚରଣ ଶତପ‌ଥୀ, ଏଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଚାରକ ଭାବରେ ଚୟନ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ପୂର୍ବରୁ ୨୦୨୨ରେ ଆୟୋଜିତ ହୋଇଥିବା ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜଣେ ଆନ୍ତର୍ଜାତୀୟ ବିଚାରକ ଭାବରେ ଭାଗ ନେଇଥିଲି । ଇଣ୍ଡୋନେସିଆରେ ଆୟୋଜିତ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତରୁ ମୋଟ ୪ ଜଣ ବିଚାରକ ରହିଛନ୍ତି । ସେଥିମଧ୍ୟରୁ ବ୍ରହ୍ମପୁରରୁ 2 ଜଣ ମୁଁ ଓ ଏସ. ରାଜେଶ ବାବୁ ଆଚାରୀ ବିଚାରକ ରହିଛୁ । ଏହି ପ୍ରତିଯୋଗିତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ କେଟାଗୋରୀରେ ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଭାଗ ନେଇଛନ୍ତି ।

ତେବେ ବ୍ରହ୍ମପୁରର ଏହି ଦୁଇ ଜଣ ବିଚାରକ ଭାବରେ ଚୟନ ହେବା ପରେ ସହରର କ୍ରୀଡାବିତ୍‌ଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି । ଉଭୟ ଟ୍ରେନ ଯୋଗେ ବ୍ରହ୍ମପୁରରୁ ଚେନ୍ନାଇ ବାହାରିବା ସମୟରେ ସହରର ବହୁ କ୍ରୀଡାବିତ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଟ୍ରେନରେ ଚେନ୍ନାଇ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ସିଙ୍ଗାପୁର ଯାଇଥିଲେ । ସେଠାରୁ ଇଣ୍ଡୋନେସିଆର ବଟମ୍‌ ସିଟି ଅଭିମୁଖେ ଯାତ୍ରା କରିଥିଲେ ।

ସେହିପରି ଅନ୍ୟ ଜଣେ ବିଚାରକ ଭାବରେ ଇଣ୍ଡୋନେସିଆ ଗସ୍ତ କରିଥିବା ଏସ. ରାଜେଶ ବାବୁ ଆଚାରୀ କହିଛନ୍ତି, “ଇଣ୍ଡୋନେସିଆ ବଟମ୍‌ ସିଟି ଠାରେ ୧୬ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ହେଉଛି । ଏହି ପ୍ରତିଯୋଗିତାରେ ୫୨ ଦେଶର ୬୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗିତାରେ ବିଚାରକ ଭାବରେ ଯୋଗଦେବା ପାଇଁ ମୋତେ ଚୟନ କରାଯାଇଛି । ପିଲାଟି ଦିନରୁ ହିଁ ବଡିବିଲ୍ଡିଂ କରି ଆସୁଛୁ । ଏପରି ପ୍ରତିଯୋଗିତାରେ ବିଚାରକ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିବାରେ କୌଣସି ପ୍ରତିବନ୍ଧକ ହେବ ନାହିଁ । ପୂର୍ବରୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଚାରକ ଭାବରେ କାର୍ଯ୍ୟ କରିଛି । ପ୍ରଥମ ଥର ପାଇଁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଚାରକ ହେବା ପାଇଁ ଚୟନ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score