ଦୀର୍ଘବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି l ପଞ୍ଜାବ କିଙ୍ଗସ୍ ପ୍ରାୟ ୧୧ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ରବିବାର ରାତିରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟାର ୨ରେ ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ସୁନିଶ୍ଚିତ କଲା। ଏହି ବିଜୟ ସହ ଆଇପିଏଲ୍ ୨୦୨୫ରେ ନୂଆ ଚାମ୍ପିଅନ୍ ମିଳିବା ନିଶ୍ଚିତ ହୋଇଛି, କାରଣ ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୁଇଟି ଦଳ ପୂର୍ବରୁ କେବେ ବି ଆଇପିଏଲ ଟାଇଟଲ ଜିତି ନାହାନ୍ତି। ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୨୦୩ ରନ୍ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ୪୪-୪୪ ରନ୍ କରି ମୁମ୍ବାଇ ପାଇଁ ମୁଖ୍ୟ ଯୋଗଦାନ ଦେଇଥିଲେ। ପଞ୍ଜାବ ପାଇଁ ଆଜମାତୁଲ୍ଲା ଓମାରଜାଇ ୨ଟି ଏବଂ ଯୁଜବେନ୍ଦ୍ର ଚହଲ, କାଇଲ ଜେମିସନ ଓ ବିଜୟକୁମାର ବ୍ୟାସାକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।ଜବାବରେ ପଞ୍ଜାବ କିଙ୍ଗସ୍ ୧୯ ଓଭରରେ ୫ ଉଇକେଟ ହରାଇ ୨୦୭ ରନ୍ ସଂଗ୍ରହ କରି ଏକ ରୋମାଞ୍ଚକ ବିଜୟ ହାସଲ କଲା। ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୮୭ ରନ (୪୧ ବଲ୍, ୬ ଛକା) ଏହି ଚେଜରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ନେହାଲ ବାଢେରା (୪୮) ଓ ଜୋଶ ଇଙ୍ଗଲିସ (୩୮) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଶ୍ରେୟସ ଆୟାରଙ୍କ ଏହି ପ୍ରଦର୍ଶନ ତାଙ୍କୁ ଆଇପିଏଲରେ ୫୦ଟି ବିଜୟ ହାସଲ କରିଥିବା ପଞ୍ଚମ ଅଧିନାୟକ ଭାବେ ପରିଚୟ ଦେଇଛି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |