Explore

Search

May 21, 2026 9:10 pm

ହାର୍ଦ୍ଦିକଙ୍କୁ BCCIର ବଡ଼ ଝଟକା, ଆଚରଣ ସଂହିତା ଭଙ୍ଗ ପାଇଁ ଜୋରିମାନା

ମୁମ୍ବାଇ : କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ପରାଜୟର ସାମ୍ନା କରିଛି । ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ KKR ୪ ୱିକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲେ ମଧ୍ୟ, ତାଙ୍କ ପ୍ରଦର୍ଶନ ଦଳକୁ ଜିତାଇ ପାରିନଥିଲା । ଏପଟେ ଦଳର ହାର, ସେପଟେ ହାର୍ଦ୍ଦିକଙ୍କ ଉପରେ BCCIର ଆକ୍ସନ ମୁମ୍ବାଇ ଶିବିରକୁ ଆଉ ଚିନ୍ତାରେ ପକାଇଛି ।

କାହିଁକି ଜୋରିମାନା ହେଲେ ହାର୍ଦ୍ଦିକ ?

ମ୍ୟାଚ୍ ସମୟରେ ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜୋରିମାନା କରାଯାଇଛି । ଏଥିସହ ତାଙ୍କ ଖାତାରେ ଗୋଟିଏ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ାଯାଇଛି ।

KKR ବ୍ୟାଟିଂ ସମୟରେ ୧୦ମ ଓଭରର ଚତୁର୍ଥ ବଲ ପରେ ହାର୍ଦ୍ଦିକ ତାଙ୍କ ରନ୍-ଅପକୁ ଫେରୁଥିବାବେଳେ ଷ୍ଟମ୍ପରେ ଲାଗିଥିବା ବଲକୁ ଖସାଇ ଦେଇଥିଲେ । ଏହାକୁ ଆଇପିଏଲ୍ ଆଚରଣ ସଂହିତାର ଧାରା ୨.୨ ଅନୁଯାୟୀ “ଗ୍ରାଉଣ୍ଡ ଉପକରଣର ଅପବ୍ୟବହାର” ଭାବେ ଗଣାଯାଇଛି । ହାର୍ଦ୍ଦିକ ମଧ୍ୟ ନିଜ ଭୁଲ ସ୍ୱୀକାର କରିଥିବା ଜଣାପଡ଼ିଛି ।

ପୁଣି ନିରାଶ କଲା ମୁମ୍ବାଇ

ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନିରାଶାଜନକ ରହିଛି । ଦଳ ୧୩ଟି ମ୍ୟାଚରୁ ମାତ୍ର ୪ଟିରେ ବିଜୟୀ ହୋଇଥିବାବେଳେ ୯ଟିରେ ପରାଜିତ ହୋଇଛି ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୧୪୭ ରନ୍ କରିଥିଲା । ଜବାବରେ KKR ୭ଟି ବଲ ବାକି ଥିବାବେଳେ ୪ ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଥିଲା । ମନୀଷ ପାଣ୍ଡେ ୩୩ ବଲରେ ୪୫ ରନ୍ କରି ଦଳକୁ ବିଜୟ ଦିଗକୁ ନେଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟ୍‌ରେ ୨୭ ବଲରେ ୨୬ ରନ୍ କରିଥିଲେ । ତାଙ୍କ ପାଳିରେ ୨ଟି ଚୌକା ଓ ୧ଟି ଛକା ଥିଲା । ବୋଲିଂରେ ସେ ୨ ଓଭରରେ ୧୩ ରନ୍ ଦେଇଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score