Explore

Search

June 10, 2026 12:34 am

ସରିଲା ମହେନ୍ଦ୍ରଗିରି ମେଳା : ବାହୁଡ଼ିଲେ ସାଧୁସନ୍ଥ, ପୁଣି ବର୍ଷେ ଅପେକ୍ଷା

ଗଜପତି : ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ମେଳାର ଆଜି ଥିଲା ଅନ୍ତିମ ଦିନ। ଜୁନ 1 ତାରିଖରୁ ମହେନ୍ଦ୍ରଗିରି ପର୍ବତ ପାଦଦେଶରେ ଚାଲିଥିବା ଏହି ଐତିହାସିକ ଓ ଆଧ୍ୟାତ୍ମିକ ମେଳାରେ ହଜାର ହଜାର ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସାଧୁସନ୍ଥମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଧାର୍ମିକ ଆସ୍ଥା, ସାଂସ୍କୃତିକ ପରମ୍ପରା ଓ ଲୋକକଳାର ଅନନ୍ୟ ସମନ୍ୱୟ ଏହି ମେଳାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ।

ମେଳା ପରିସରରେ ଧାର୍ମିକ ଆଚାର-ଅନୁଷ୍ଠାନ, ଭଜନ-କୀର୍ତ୍ତନ, ଲୋକନୃତ୍ୟ, ଲୋକସଙ୍ଗୀତ ଏବଂ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନୀ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସ୍ଥାନୀୟ ହସ୍ତଶିଳ୍ପ, ପାରମ୍ପରିକ ଖାଦ୍ୟ ଏବଂ ଗ୍ରାମୀଣ ଜୀବନଶୈଳୀର ଝଲକ ମଧ୍ୟ ମେଳାର ଅନ୍ୟତମ ଆକର୍ଷଣ ଥିଲା।

ଆଜି ଅନ୍ତିମ ଦିନରେ ମଧ୍ୟ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମହେନ୍ଦ୍ରଗିରି ଶିଖର ଏବଂ ପବିତ୍ର ମନ୍ଦିର ପରିସରରେ ପୂଜାର୍ଚ୍ଚନା ପାଇଁ ଭକ୍ତମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ମେଳାର ସୁରକ୍ଷା, ପରିବହନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ମହେନ୍ଦ୍ରଗିରି ମେଳା କେବଳ ଏକ ଧାର୍ମିକ ସମାବେଶ ନୁହେଁ, ବରଂ ଓଡ଼ିଶାର ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଏକ ଜୀବନ୍ତ ପ୍ରତୀକ ଭାବେ ପରିଚିତ। ଆଜିର ଅନ୍ତିମ ଦିନ ସହ ଚଳିତ ବର୍ଷର ମହେନ୍ଦ୍ରଗିରି ମେଳାର ପରିସମାପ୍ତି ଘଟିଛି ।

ଅନ୍ୟପକ୍ଷରେ ଗତକାଲି ରାଜ୍ୟପାଳ ମହେନ୍ଦ୍ରଗିରି ମେଳାରେ ଯୋଗଦେଇ ମେଳାର ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ସେ ମହେନ୍ଦ୍ରଗିରିର ଐତିହ୍ୟ, ଧାର୍ମିକ ମହତ୍ତ୍ୱ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଏହାସହ ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ଓ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score