ଭୁବନେଶ୍ୱର : ଲଣ୍ଡନରେ ମହକୁଛି କୋରାପୁଟର ବାସ୍ନା । ପରଷା ଯାଉଛି ‘କୃତି କଫି’ । ଓଡ଼ିଶାର କୋରାପୁଟ ପାହାଡ଼ିଆ ଅଞ୍ଚଳର ଆଦିବାସୀ ଚାଷୀଙ୍କ ହାତରେ ଉତ୍ପାଦିତ କଫି ଏବେ ଆନ୍ତର୍ଜାତିକ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦିନେ ଅବହେଳିତ ହୋଇ ପଡ଼ିଥିବା କଫି ବଗିଚାର ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଥିବା ଏକ ଛୋଟ ପ୍ରୟାସ ଆଜି ‘କୃତି କଫି’ ନାମରେ ଏକ ପୁରସ୍କାରପ୍ରାପ୍ତ ବ୍ରାଣ୍ଡ ଭାବେ ବିଶ୍ୱ ମଞ୍ଚରେ ନିଜ ସ୍ଥାନ ସୃଷ୍ଟି କରିଛି । କୋରାପୁଟର ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ୧୦୦ ପ୍ରତିଶତ ପ୍ରାକୃତିକ କଫି ଏବେ ଲଣ୍ଡନ ସମେତ ବିଶ୍ୱର ବିଭିନ୍ନ ସହରର କଫି ପ୍ରେମୀଙ୍କୁ ଆକର୍ଷିତ କରୁଛି।
୨୦୧୩ ମସିହାରେ କୋରାପୁଟରେ କଫି ଚାଷ କରିବା ପଦକ୍ଷେପ ଆରମ୍ଭ ହୋଇଥିଲା । ଆରମ୍ଭରେ କୋରାପୁଟର କିନ୍ଦିରିଗୁଡ଼ା ଅଞ୍ଚଳର ଅବହେଳିତ କଫି ଚାଷକୁ ପୁନର୍ଜୀବିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ ଥିଲା। ଗତ ଦଶନ୍ଧି ଧରି ଏହି ପ୍ରୟାସ ଆଦିବାସୀ ଚାଷୀଙ୍କୁ ପ୍ରାକ୍ତିକ ସହାୟତା, ଆର୍ଥିକ ସମର୍ଥନ ଏବଂ ନ୍ୟାୟସଙ୍ଗତ ବଜାର ସୁବିଧା ପ୍ରଦାନ କରି ଏକ ସଫଳ ସାମାଜିକ ଉଦ୍ୟମରେ ପରିଣତ ହୋଇଛି।
କୃତି କଫିର ସଫଳତା ପଛରେ ଆଦିବାସୀ ସମୁଦାୟର ଅବଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଉଦ୍ୟମ ସହ ଜଡ଼ିତ ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା। ସେମାନେ ପାରମ୍ପରିକ ଜ୍ଞାନ ଓ କୃଷି ପ୍ରଣାଳୀକୁ ଅନୁସରଣ କରି ଉଚ୍ଚମାନର କଫି ଉତ୍ପାଦନ କରୁଛନ୍ତି। ଏହା ଫଳରେ କେବଳ ସେମାନଙ୍କ ଜୀବିକାର ମାନ ଉନ୍ନତ ହୋଇନାହିଁ, ବରଂ ଗ୍ରାମାଞ୍ଚଳରେ ଆର୍ଥିକ ସଶକ୍ତିକରଣର ନୂଆ ଦିଗ ଖୋଲିଛି।
ପୂର୍ବଘାଟ ପର୍ବତମାଳାର ଉଚ୍ଚ ଅଞ୍ଚଳ, ଉର୍ବର ମାଟି ଏବଂ ଅନୁକୂଳ ପରିବେଶ କୋରାପୁଟକୁ ଏକ ସ୍ୱତନ୍ତ୍ର କଫି ଉତ୍ପାଦନ କେନ୍ଦ୍ରରେ ପରିଣତ କରିଛି। ଏଠାରେ ଉତ୍ପାଦିତ କଫିର ସ୍ୱାଦ, ସୁଗନ୍ଧ ଓ ଗୁଣବତ୍ତା ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା ସାଉଁଟିଛି। କୃତି କଫିର ‘କିନ୍ଦିରିଗୁଡ଼ା ନ୍ୟାଚୁରାଲ୍ସ’ ୨୦୨୩ ମସିହାରେ ବିଶ୍ୱ କଫି ସମ୍ମିଳନୀରେ ‘ଇଣ୍ଡିଆର ବେଷ୍ଟ ଆରାବିକା ନ୍ୟାଚୁରାଲ୍ସ’ ପୁରସ୍କାର ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲା।
ଲଣ୍ଡନ କଫି ଫେଷ୍ଟିଭାଲ ୨୦୨୫ରେ କୃତି କଫିର ଅଂଶଗ୍ରହଣ କୋରାପୁଟ କଫିକୁ ବିଶ୍ୱ ମଞ୍ଚରେ ନୂଆ ପରିଚୟ ଦେଇଥିଲା। ଏହି ଅବସରରେ ଲଣ୍ଡନର କଫି ପ୍ରେମୀ, ବ୍ୟବସାୟୀ ଏବଂ ରୋଷ୍ଟରମାନେ କୋରାପୁଟର ଆଦିବାସୀ ଚାଷୀଙ୍କ କଫିର ସ୍ୱାଦ ଓ ଗୁଣବତ୍ତା ସହ ପରିଚିତ ହୋଇଥିଲେ। ଏହା ଭାରତୀୟ କଫି ଶିଳ୍ପ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ବିବେଚିତ ହେଉଛି।
କୋରାପୁଟର ଏହି ସଫଳତା କେବଳ ଏକ କଫି ବ୍ରାଣ୍ଡର କାହାଣୀ ନୁହେଁ; ଏହା ଆଦିବାସୀ ସମୁଦାୟର ପରିଶ୍ରମ, କୃଷି ଓ ସାମାଜିକ ସଶକ୍ତିକରଣର ଏକ ଉଦାହରଣ। ଆଜି କୋରାପୁଟର ପାହାଡ଼ରୁ ଉତ୍ପାଦିତ କଫି ବିଶ୍ୱ ବଜାରରେ ଓଡ଼ିଶାର ଗୌରବକୁ ଆହୁରି ଉଚ୍ଚରେ ପହଞ୍ଚାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
