Explore

Search

August 1, 2026 8:41 pm

ବିଶ୍ୱ ମଞ୍ଚରେ ଚମକିଲା ଗଜପତି ଜିଲ୍ଲାର ନାଁ : ଥାଇଲାଣ୍ଡରେ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ

ବ୍ରହ୍ମପୁର : ଶେଷରେ ପୂରଣ ହେଲା ଦୀର୍ଘ ଦିନର। ବିଶ୍ୱ ମଞ୍ଚରେ ଚମକିଲା ଗଜପତି ଜିଲ୍ଲାର ନାଁ। ନିଜ ପ୍ରତିଭାର ଛାପ ଛାଡ଼ି ଜିଲ୍ଲା ଓ ରାଜ୍ୟ ପାଇଁ ଆଣିଲେ ଗୌରବ। ଥାଇଲାଣ୍ଡରେ ଆୟୋଜିତ ପ୍ରତିଷ୍ଠିତ ‘ମିସେସ୍ ଏସିଆ ୱାଲର୍ଡ-୨୦୨୬’ ସୌନ୍ଦର୍ଯ୍ୟ ଓ ପ୍ରତିଭା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଝିଅ ସ୍ୱାଗତିକା ପାଣିଗ୍ରାହୀ ବିଜୟୀ ହୋଇ ଓଡ଼ିଶାର ନାଁକୁ ବିଶ୍ୱ ମଞ୍ଚରେ ଉଜ୍ଜ୍ୱଳ କରିଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପରେ ଗଜପତି ଜିଲ୍ଲାରେ ଖୁସି ଓ ଗର୍ବର ମାହୋଲ ସୃଷ୍ଟି ହୋଇଛି ।

ପାରଳାଖେମୁଣ୍ଡି ଚିତ୍ରକାର ସାହିର ବାସିନ୍ଦା ତଥା ଭାସ୍କର ପାଣିଗ୍ରାହୀଙ୍କ ଝିଅ ସ୍ୱାଗତିକା ପାଣିଗ୍ରାହୀ ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଓଡ଼ିଶାର ଏକମାତ୍ର ପ୍ରତିନିଧି ଭାବେ ଯୋଗଦେଇଥିଲେ। ମୁମ୍ବାଇ ଗ୍ଲୋବାଲ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଏସିଆର ବିଭିନ୍ନ ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବା ବେଳେ ସ୍ୱାଗତିକା ନିଜର ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ, ପ୍ରତିଭା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ସମସ୍ତଙ୍କ ମନ ଜିତିଥିଲେ।

ବୁଧବାର ଆୟୋଜିତ ଚୂଡ଼ାନ୍ତ ପର୍ବରେ ବିଜୟୀ ଘୋଷିତ ହେବା ପରେ ବଲିଉଡ୍ ଅଭିନେତା ସୁରିନ୍ଦର ପାଲ ସିଂହ ତାଙ୍କୁ ‘ମିସେସ୍ ଏସିଆ ୱାଲର୍ଡ-୨୦୨୬’ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ହାସଲ କରିବା ପରେ ସ୍ୱାଗତିକା କହିଛନ୍ତି ଯେ, ଏହା କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶା ଓ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ।

ସ୍ୱାଗତିକାଙ୍କ ସଫଳତାର ଯାତ୍ରା ଏହା ପୂର୍ବରୁ ମଧ୍ୟ ଅନେକ ସଫଳ ଅଧ୍ୟାୟରେ ପରିପୂର୍ଣ୍ଣ ରହିଛି । ୨୦୨୫ ମସିହାରେ ‘ମିସେସ୍ ଇଣ୍ଡିଆ ପ୍ରାଇଡ୍ ଅଫ୍ ନେସନ’ ପ୍ରତିଯୋଗିତାରେ ‘ଗୁଡ୍ ୱିଲ ଆମ୍ବାସାଡର’ ସମ୍ମାନ ହାସଲ କରି ସେ ଜାତୀୟସ୍ତରରେ ନିଜ ପରିଚୟ ସୃଷ୍ଟି କରିଥିଲେ। ସେହି ସଫଳତା ତାଙ୍କୁ ଆନ୍ତର୍ଜାତିକ ମଞ୍ଚରେ ପହଞ୍ଚିବାର ସୁଯୋଗ ଦେଇଥିଲା। ଏବେ ‘ମିସେସ୍ ଏସିଆ ୱାଲର୍ଡ-୨୦୨୬’ ମୁକୁଟ ଜିତି ସେ ନିଜ ଯାତ୍ରାକୁ ଆଉ ଏକ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି।

କେବଳ ସୌନ୍ଦର୍ଯ୍ୟ କିମ୍ବା ଗ୍ଲାମର ଜଗତରେ ନୁହେଁ, ଶିକ୍ଷା ଓ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ସ୍ୱାଗତିକା ଜଣେ ସଫଳ ବ୍ୟକ୍ତିତ୍ୱ। ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତ ଏକ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀରେ ଆସୋସିଏଟ୍ ଟେକ୍ନିକାଲ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଏହି ସଫଳତା ଦର୍ଶାଇଛି ଯେ, ନିଷ୍ଠା, ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ଜୀବନର ଏକାଧିକ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରେ।

ବୃତ୍ତିଗତ ସଫଳତା ସହ ସ୍ୱାଗତିକା ସମାଜସେବା କ୍ଷେତ୍ରରେ ମଧ୍ୟ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସେ ସଚେତନତା ଓ ସେବାମୂଳକ କାର୍ଯ୍ୟକ୍ରମରେ ନିୟମିତ ଭାବେ ଅଂଶଗ୍ରହଣ କରିଥାନ୍ତି। ତାଙ୍କର ଏହି ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ଦାୟିତ୍ୱବୋଧ ତାଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ କରିଛି।

ସ୍ୱାଗତିକାଙ୍କ ଏହି ଐତିହାସିକ ସଫଳତାକୁ ନେଇ ଗଜପତି ଜିଲ୍ଲା ସହ ସାରା ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ଲହରି ଖେଳିଯାଇଛି । ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଉଛି। ଗଜପତିର ଏହି କୃତୀ କନ୍ୟାଙ୍କ ସଫଳତା ଆଗାମୀ ପିଢ଼ିର ଯୁବତୀମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ଉଦାହରଣ ହୋଇ ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score