ବିଶ୍ୱର ସର୍ବବୃହତ ଏବଂ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ମହୋତ୍ସବ ଫିଫା ବିଶ୍ୱକପ୍ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥରର ବିଶ୍ୱକପ୍ ଇତିହାସରେ ସବୁଠାରୁ ବଡ଼ ସଂସ୍କରଣ ଭାବେ ପରିଗଣିତ ହେଉଛି। ପ୍ରଥମ ଥର ପାଇଁ ମେକ୍ସିକୋ, କାନାଡା ଓ ଆମେରିକା ମିଶି ଏହି ମହାକୁମ୍ଭର ଆୟୋଜନ କରୁଥିବାବେଳେ ୪୮ଟି ଦେଶ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଦଳ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୋଟ ମ୍ୟାଚ୍ ସଂଖ୍ୟା ୧୦୪ରେ ପହଞ୍ଚିଛି, ଯାହା ପୂର୍ବର ସମସ୍ତ ବିଶ୍ୱକପ୍ ରେକର୍ଡକୁ ଅତିକ୍ରମ କରିଛି।
ମେକ୍ସିକୋ ସିଟିର ଐତିହାସିକ ଇଷ୍ଟାଡିଓ ଆଜ୍ଟେକା ଷ୍ଟାଡିୟମରେ ଉଦ୍ଘାଟନୀ ସମାରୋହ ସହ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ବିଶ୍ୱ ଫୁଟ୍ବଲ ଇତିହାସର ଅନେକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ଥିବା ଏହି ଷ୍ଟାଡିୟମ ତୃତୀୟ ଥର ପାଇଁ ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ ଆୟୋଜନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିବ।
ଉଦ୍ଘାଟନୀ ସମାରୋହକୁ ଆକର୍ଷଣୀୟ କରିବା ପାଇଁ ବିଶ୍ୱପ୍ରସିଦ୍ଧ ସଙ୍ଗୀତ ତାରକା ଶକିରା ଓ ବର୍ନା ବୟ ଟୁର୍ନାମେଣ୍ଟର ଆଧିକାରିକ ସଙ୍ଗୀତରେ ନିଜର ଝଲକ ଦେଖାଇବେ। ସେହିପରି ବଲିଉଡ୍ ତାରକା ନୋରା ଫତେହୀଙ୍କ ପ୍ରଦର୍ଶନ ମଧ୍ୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ଫୁଟ୍ବଲ ଜଗତର ଦୁଇ ମହାନ କିମ୍ବଦନ୍ତୀ ପେଲେ ଓ ଡିଏଗୋ ମାରାଡୋନାଙ୍କ ସ୍ମୃତିରେ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।
ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ ଭେଟିବ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଫୁଟ୍ବଲପ୍ରେମୀ ଏହି ମହାସମର ଉପରେ ନଜର ରଖିଥିବାବେଳେ ଭାରତରେ ମଧ୍ୟ ଏହାକୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।
ଟ୍ରଫି ଦୌଡ଼ରେ ବର୍ତ୍ତମାନର ଚାମ୍ପିୟନ ଆର୍ଜେଣ୍ଟିନା ସବୁଠାରୁ ଆଗରେ ରହିଛି। ଦଳର ନେତୃତ୍ୱରେ ଥିବା ଲିଓନେଲ ମେସି ଆଉ ଥରେ ବିଶ୍ୱକପ୍ ଜିତି ନିଜର ସୁବର୍ଣ୍ଣ କ୍ୟାରିୟରକୁ ଆହୁରି ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି। ତେବେ ବୟସକୁ ଦୃଷ୍ଟିରେ ରଖି ମେସିଙ୍କୁ ପ୍ରତ୍ୟେକ ମ୍ୟାଚ୍ରେ ଖେଳାଇବା ସମ୍ଭାବନା କମ୍ ଥିବାବେଳେ ଲୌଟାରୋ ମାର୍ଟିନେଜ, ଜୁଲିଆନ ଆଲଭାରେଜ, ଏଞ୍ଜୋ ଫର୍ନାଣ୍ଡେଜ ଓ ରୋଡ୍ରିଗୋ ଡି ପଲ୍ଙ୍କ ଭଳି ତାରକା ଖେଳାଳିଙ୍କ ଉପରେ ଦଳ ଭରସା କରିବ।
ଆର୍ଜେଣ୍ଟିନା ବ୍ୟତୀତ ଫ୍ରାନ୍ସ, ବ୍ରାଜିଲ, ସ୍ପେନ ଓ ପର୍ତ୍ତୁଗାଲ ମଧ୍ୟ ଟ୍ରଫି ପାଇଁ ଶକ୍ତିଶାଳୀ ଦାବିଦାର ଭାବେ ଉଭା ହୋଇଛନ୍ତି। ବିଶେଷ କରି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଏବଂ ଯୁବ ତାରକାମାନଙ୍କ ସମୃଦ୍ଧ ଫ୍ରାନ୍ସ ଦଳ ଉପରେ ସମସ୍ତଙ୍କ ନଜର ରହିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
