Explore

Search

June 6, 2026 9:06 pm

ପୌରାଞ୍ଚଳରେ ହେବ ଇଭି ଚାର୍ଜଙ୍ଗ ଷ୍ଟେସନ

ଭୁବନେଶ୍ୱର : ରାଜ୍ୟରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାରକୁ ଅଧିକ ଗତିଶୀଳ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଏକ ବିସ୍ତୃତ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର) ଜାରି କରାଯାଇଛି। ଏହା ଅନୁଯାୟୀ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପର୍ଯ୍ୟାୟକ୍ରମେ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ।

ଚାର୍ଜିଂ ଷ୍ଟେସନ ପାଇଁ ଜମି ଚିହ୍ନଟ ଦାୟିତ୍ୱ ପୌର ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି। ସରକାରୀ କୋଠା, ପାର୍କିଂ ହବ୍, ବଜାର ଅଞ୍ଚଳ ଏବଂ ଅଧିକ ଲୋକସମାଗମ ହେଉଥିବା ସ୍ଥାନଗୁଡ଼ିକୁ ପ୍ରାଥମିକତା ଦିଆଯିବ। ସ୍ଥାନ ଚୟନ ସମୟରେ ପର୍ଯ୍ୟାପ୍ତ ଜମି, ବିଦ୍ୟୁତ ସଂଯୋଗ, ସୁରକ୍ଷା ବ୍ୟବସ୍ଥା, ପାର୍କିଂ ସୁବିଧା ଓ ଭବିଷ୍ୟତ ସମ୍ପ୍ରସାରଣର ସମ୍ଭାବନାକୁ ଗୁରୁତ୍ୱ ଦିଆଯିବ।

ଏହାସହ ପୌରାଞ୍ଚଳଗୁଡ଼ିକୁ ପାର୍କିଂ ସେଡ୍, ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ପରିମଳ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କରିବାକୁ କୁହାଯାଇଛି। ଚାର୍ଜିଂ ଷ୍ଟେସନର ସ୍ଥାପନ, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ଏଜେନ୍ସି ଦାୟିତ୍ୱ ନେବେ।

ଅନ୍ୟପଟେ, ଜୁନ୍ ୧ରୁ ରାଜ୍ୟ ସରକାର ସମସ୍ତ ସରକାରୀ ବିଭାଗରେ ଇଭି ଯାନ କ୍ରୟ ଏବଂ ଭଡ଼ାରେ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ବ୍ଲକ୍ ଓ ତହସିଲ ସ୍ତରରୁ ଆରମ୍ଭ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଇଭି ଗାଡ଼ି ବ୍ୟବହାର ଲାଗୁ ହେବ।

ଅର୍ଥ ବିଭାଗ ଜାରି କରିଥିବା ନିର୍ଦ୍ଦେଶିକା ଅନୁଯାୟୀ, ବିଭିନ୍ନ ପଦବୀର ଅଧିକାରୀଙ୍କ ପାଇଁ ମାସିକ ଇଭି ଭଡ଼ା ୫୦ ହଜାରରୁ ୮୦ ହଜାର ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଯଦି ଗାଡ଼ି ଯୋଗାଣକାରୀ ସଂସ୍ଥା ଚାର୍ଜିଂ ଖର୍ଚ୍ଚ ବହନ କରିବେ, ତେବେ ଅତିରିକ୍ତ ଭାବେ ପ୍ରତି କିଲୋମିଟର ପିଛା ୨ ଟଙ୍କା ପ୍ରଦାନ କରାଯିବ। ଏହି ଭଡ଼ା ହାର ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସରକାରୀ ବିଭାଗଗୁଡ଼ିକ ଓରେଡା ମାଧ୍ୟମରେ ଟେଣ୍ଡର ପ୍ରକ୍ରିୟାରେ ସର୍ବାଧିକ ୩୦୦ଟି ଇଭି ଯାନ ଭଡ଼ାରେ ନେଇପାରିବେ। କେବଳ ସଚିବାଳୟ କିମ୍ବା ସରକାରୀ କାର୍ଯ୍ୟାଳୟ ନୁହେଁ, ରାଜ୍ୟ ଅଧୀନସ୍ଥ ସରକାରୀ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ସମିତିଗୁଡ଼ିକରେ ମଧ୍ୟ ଏହି ନିୟମ ଲାଗୁ ହେବ।

ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ଇନ୍ଧନ ମୂଲ୍ୟ ଓ ତୈଳ ନିର୍ଭରଶୀଳତାକୁ କମାଇବା ସହ ପରିବେଶ ସୁରକ୍ଷାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ପ୍ରଶାସନିକ କ୍ଷେତ୍ରରେ ସବୁଜ ଶକ୍ତିର ବ୍ୟବହାର ବଢ଼ିବା ସହ ଇନ୍ଧନ ଖର୍ଚ୍ଚରେ ମଧ୍ୟ ହ୍ରାସ ଆସିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score