Explore

Search

August 21, 2026 7:50 pm

ପରଲୋକରେ ପ୍ରଣବ : ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଜଗତକୁ ଶୋକସାଗରରେ ଭସାଇ ଚିରବିଦାୟ ନେଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଆଖି ବୁଝିଥିଲେ।

ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସୁମଧୁର କଣ୍ଠରେ ଓଡ଼ିଆ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଥିଲେ ପ୍ରଣବ ପଟ୍ଟନାୟକ । ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।

‘ମା’ରୁ ଆରମ୍ଭ ହୋଇଥିଲା ସଙ୍ଗୀତ ଯାତ୍ରା

୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ‘ମା’ ଚଳଚ୍ଚିତ୍ରରୁ ପ୍ରଣବ ପଟ୍ଟନାୟକ ନିଜର ପ୍ଲେ ବ୍ୟାକ୍ ଯାତ୍ରା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ‘ଶ୍ରୀ ଲୋକନାଥ’, ‘ସୂର୍ଯ୍ୟମୁଖୀ’, ‘ସିନ୍ଦୂର ବିନ୍ଦୁ’, ‘ଶେଷ ଶ୍ରାବଣ’, ‘ଚିହ୍ନା ଅଚିହ୍ନା’ ଓ ‘ବତୀଘର’ ଭଳି ଚଳଚ୍ଚିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

ଚଳଚ୍ଚିତ୍ର ବ୍ୟତୀତ ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଓ ଗଜଲ୍‌ରେ ତାଙ୍କ କଣ୍ଠର ଛାପ ରହିଛି। ବେତାର, ଦୂରଦର୍ଶନ ଓ ବିଭିନ୍ନ ଆଲବମ ଜରିଆରେ ସେ ଶ୍ରୋତାଙ୍କୁ ଅନେକ ସ୍ମରଣୀୟ ସଙ୍ଗୀତ ଭେଟି ଦେଇଥିଲେ।

୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ୍ ଆଲବମ ‘ଶବ୍-ଏ-ଗଜଲ’ ମୁକ୍ତିଲାଭ କରିଥିଲା । ‘ମାଝିରେ’ ଠାରୁ ‘ନିଝୁମ ରାତି’ ପର୍ଯ୍ୟନ୍ତ ଅନେକ ଗୀତ ତାଙ୍କ ସ୍ୱରରେ ଲୋକପ୍ରିୟତା ହାସଲ କରିଥିଲା।

ସ୍ୱରରେ ଥିଲା ବିବିଧତା

ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ରହିଥିଲା ଏକ ସ୍ୱତନ୍ତ୍ର ମାଧୁର୍ଯ୍ୟ। ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’, ‘ମନ ମାନେନା’, ‘ସୀତା ରାମ ନାମ’, ‘ଆଉ ଛୁଆଁନା ଛୁଆଁନା’ ଓ ‘ତୁମେ ଜାଣନା କି ମୁଁ ଜାଣନା’ ଭଳି ଗୀତ ଓଡ଼ିଆ ଶ୍ରୋତାଙ୍କ ମନରେ ଆଜି ମଧ୍ୟ ଜୀବନ୍ତ।

ସଙ୍ଗୀତ ଜୀବନରେ ସେ ଅନେକ ପ୍ରତିଷ୍ଠିତ କଳାକାର ଓ ସଙ୍ଗୀତଜ୍ଞଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ତାଙ୍କ ଦୀର୍ଘ ସଙ୍ଗୀତ ଯାତ୍ରା ଓଡ଼ିଆ ସଙ୍ଗୀତର ଏକ ସମୃଦ୍ଧ ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିବ।

ସମ୍ମାନରେ ସମୃଦ୍ଧ ହୋଇଥିଲା ଜୀବନ

ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରେ ଅବିସ୍ମରଣୀୟ ଅବଦାନ ପାଇଁ ପ୍ରଣବ ପଟ୍ଟନାୟକ ଏକାଧିକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୨୦୧୬ ମସିହାରେ ତାଙ୍କୁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯାଇଥିଲା।

୨୦ ଜାନୁଆରୀ ୧୯୩୮ରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ଜୀବନର ଶେଷ ପର୍ଯ୍ୟନ୍ତ ସଙ୍ଗୀତ ସହ ଜଡ଼ିତ ରହିଥିଲେ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଚିକିତ୍ସାଧୀନ ଥିଲେ । ଶୁକ୍ରବାର ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ବିୟୋଗରେ ଓଡ଼ିଶାର କଳା, ସଂସ୍କୃତି ଓ ସଙ୍ଗୀତ ଜଗତ ଜଣେ ଅମୂଲ୍ୟ ପ୍ରତିଭାଙ୍କୁ ହରାଇଛି। ତାଙ୍କର ସୁମଧୁର ସ୍ୱର ଓ ସଙ୍ଗୀତର ଅବଦାନ ଆଗାମୀ ପିଢ଼ି ପାଇଁ ସଦା ସ୍ମରଣୀୟ ହୋଇ ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score