Explore

Search

August 12, 2026 11:36 pm

ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ପ୍ରତି ବଢ଼ୁଛି ଆକର୍ଷଣ, ହଜାର ହଜାର ପରିବାର ଯୋଜନାରୁ ହେଉଛନ୍ତି ଉପକୃତ

ବ୍ରହ୍ମପୁର: ଘରୋଇ ବିଦ୍ୟୁତ ବିଲ କମାଇବା ସହ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ଦକ୍ଷିଣ ଓଡ଼ିଶାର ଲୋକମାନେ ବର୍ତ୍ତମାନ ସୌର ଶକ୍ତିକୁ ବେଶି ପସନ୍ଦ କରୁଛନ୍ତି। କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ଅଧୀନରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉଲ୍ଲେଖନୀୟ ସାରା ମିଳୁଛି। ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ଏବଂ ଗ୍ରାହକ ସହଯୋଗ ଏହି ଯୋଜନାକୁ ଗ୍ରାମରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହୋଇଛି।
ତଥ୍ୟ ଅନୁସାରେ, ଟିପିଏସ୍ଓଡିଏଲ୍ ଅଞ୍ଚଳରୁ ୫୪ ହଜାରରୁ ଅଧିକ ପରିବାର ଏହି ଯୋଜନାରେ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ହଜାରରୁ ଅଧିକ ଘରେ ରୁଫଟପ୍ ସୋଲାର ବ୍ୟବସ୍ଥା ସଫଳତାର ସହ ସ୍ଥାପିତ ହୋଇସାରିଛି। ଏହା ଦର୍ଶାଉଛି ଯେ, ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି ପ୍ରତି ଲୋକଙ୍କ ବିଶ୍ୱାସ ଦିନକୁ ଦିନ ବଢ଼ୁଛି।
ଏହି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ଅଗ୍ରଗତି ହାସଲ କରିଛି। ଜିଲ୍ଲାରେ ୧୪ ହଜାରରୁ ଅଧିକ ସୌର ପ୍ୟାନେଲ ସ୍ଥାପନ ହୋଇଥିବାବେଳେ ଗଜପତି, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଭଳି ଜିଲ୍ଲାରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖାଯାଉଛି। ଆଦିବାସୀ ପ୍ରଧାନ ଅଞ୍ଚଳଗୁଡ଼ିକରେ ମଧ୍ୟ ସୌର ଶକ୍ତି ବ୍ୟବହାର ନେଇ ଲୋକଙ୍କ ସକାରାତ୍ମକ ମନୋଭାବ ଲକ୍ଷ୍ୟ କରାଯାଉଛି।
ଟିପିଏସ୍ଓଡିଏଲ୍ ପକ୍ଷରୁ ପ୍ରଚଳିତ ‘ୟୁଟିଲିଟି ଲେଡ୍ ଏଗ୍ରିଗେସନ୍’ (ୟୁଏଲ୍ଏ) ବ୍ୟବସ୍ଥା ମାଧ୍ୟମରେ ସୌର ପ୍ୟାନେଲ ସ୍ଥାପନ ପ୍ରକ୍ରିୟାକୁ ଅଧିକ ସହଜ କରାଯାଇଛି। ଏହା ଦ୍ୱାରା ଗ୍ରାହକମାନେ ସବସିଡି, ଆବେଦନ ଏବଂ ସ୍ଥାପନ ସମ୍ବନ୍ଧୀୟ ସମସ୍ତ ସହାୟତା ଗୋଟିଏ ସ୍ଥାନରୁ ପାଇପାରୁଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତା ଫଳରେ ଅନେକ ପରିବାର ଅତି କମ୍ ଖର୍ଚ୍ଚରେ ସୌର ଶକ୍ତି ସୁବିଧା ପାଇବାରେ ସକ୍ଷମ ହେଉଛନ୍ତି।
ଯୋଜନାର ଜଣେ ଉପଭୋକ୍ତା କହିଛନ୍ତି ଯେ, ଘରେ ସୌର ପ୍ୟାନେଲ ଲଗାଇବା ପରେ ବିଦ୍ୟୁତ ବିଲ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏଥିସହ ସରକାରୀ ସବସିଡି ସମୟରେ ମିଳିଥିବାରୁ ପ୍ରକଳ୍ପଟି ଆହୁରି ଲାଭଦାୟକ ସାବ୍ୟସ୍ତ ହୋଇଛି। ବଡ଼ ପରିବାର ପାଇଁ ଏହା ଦୀର୍ଘମିଆଦି ସଞ୍ଚୟର ଏକ ଉତ୍ତମ ବିକଳ୍ପ ବୋଲି ସେ ମତ ରଖିଛନ୍ତି।
ଟିପିଏସ୍ଓଡିଏଲ୍‌ର ସିଇଓ କହିଛନ୍ତି ଯେ, ଏହି ଯୋଜନା କେବଳ ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନରେ ସୀମିତ ନୁହେଁ, ବରଂ ପରିବାରମାନଙ୍କ ଆର୍ଥିକ ସଶକ୍ତିକରଣରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାର ଅଧିକରୁ ଅଧିକ ଘରକୁ ସୌର ଶକ୍ତି ସହ ଯୋଡ଼ିବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।
ସ୍ୱଚ୍ଛ ଶକ୍ତି, କମ୍ ବିଦ୍ୟୁତ ବିଲ ଏବଂ ସରକାରୀ ସହାୟତାର ସମନ୍ୱୟ ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ବିପ୍ଳବକୁ ନୂଆ ଗତି ଦେଇଛି। ଏହା ଭବିଷ୍ୟତରେ ଏକ ସବୁଜ ଓ ଆତ୍ମନିର୍ଭର ଶକ୍ତି ବ୍ୟବସ୍ଥା ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score