Explore

Search

June 24, 2026 7:36 pm

ତୁର୍କୀରେ ଉଡ଼ିଲା କଳାହାଣ୍ଡିର ଗୌରବ : ବିଶ୍ୱ ଚାମ୍ପିଅନ୍ ହେଲେ ଆକାଶ

ଭୁବନେଶ୍ୱର : ଜନ୍ମରୁ ଗୋଡ ନାହିଁ । ଚାଲି ମଧ୍ୟ ପାରୁନଥିଲେ। ଯାହାକୁ ନେଇ ବାପା ମାଙ୍କ ମନ ସବୁ ବେଳେ ଦୁଃଖ ରହୁଥିଲା। ଆଉ ସବୁ ବେଳେ ଭଗବାନଙ୍କୁ କହୁଥିଲେ ଆମକୁ ଏମିତି ପୁଅ କାହିଁକି ଦେଲ । ହେଲେ ଯେଉଁ ପୁଅଙ୍କୁ ନେଇ ଦିନେ ବାପା-ମା’ଙ୍କ ମନରେ ଅସରନ୍ତି ଦୁଃଖ ଥିଲା ଆଜି ସେଇ ବାପା-ମା’ ନିଜ ପୁଅର ସଫଳତା ଦେଖି ଗର୍ବରେ ଛାତି ବାଡେଇ କହୁଛନ୍ତି ଇଏ ଆମ ଯୋଗ୍ୟ ପୁଅ ।

କଥାରେ ଅଛି ମନରେ ବିଶ୍ୱାସ ଓ ଇଛାଶକ୍ତି ଥିଲେ ପଙ୍ଗୁ ବି ପାହାଡ଼ ଚଢି ପାରିବ। ଆଉ ଏ କଥାକୁ ପ୍ରମାଣ କରି ଦେଖେଇଛନ୍ତି କଳାହାଣ୍ଡିର ଯୁବ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ। ଯେଉଁଥିପାଇଁ କେବଳ ଓଡିଶା ନୁହେଁ ଦେଶ ବିଦେଶରୁ ମଧ୍ୟ ଛୁଟୁଛି ତାଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ।

ଜୁନ୍ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଅନ୍ତର୍ଜାତିକ କ୍ରୀଡ଼ା ମଞ୍ଚରେ ଓଡ଼ିଶାର ନାମକୁ ଉଚ୍ଚ କରିଛନ୍ତି ଆକାଶ । ତୁର୍କୀର ମେର୍ସିନ ସହରରେ ଆୟୋଜିତ ‘ୱର୍ଲ୍ଡ ଏବିଲିଟିସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬’ରେ ଚମତ୍କାର ପ୍ରଦର୍ଶନ କରି ଆକାଶ ବିଶ୍ୱ ଚାମ୍ପିଅନ ହେବାସହ ଭାରତ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଆକାଶଙ୍କ ଦୃଢ଼ ଆତ୍ମବିଶ୍ୱାସ, କଠିନ ପରିଶ୍ରମ ଓ ଉତ୍କୃଷ୍ଟ ଖେଳ କୌଶଳ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି।

ପାରା କ୍ରୀଡ଼ା ଜଗତର ‘ୱର୍ଲ୍ଡ ଏବିଲିଟିସ୍ପୋର୍ଟ ୟୁଥ୍ ଗେମ୍ସ’ରେ ସଫଳତା ହାସଲ କରିବା ଖେଳାଳି ପାଇଁ ବଡ଼ ଉପଲବ୍ଧି ବୋଲି ଧରାଯାଏ। ତେବେ ବ୍ୟାଡମିଣ୍ଟନ ୱର୍ଲ୍ଡ ଫେଡରେସନର ସ୍ୱୀକୃତିପ୍ରାପ୍ତ ଏହି ପ୍ରତିଯୋଗିତାରେ ଆକାଶଙ୍କ ବିଜୟ ତାଙ୍କୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ତାଙ୍କର ଏହି କୃତିତ୍ୱ ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ସଫଳତାର ଅଧ୍ୟାୟ ଯୋଡ଼ିଛି।

ଆକାଶ ରଞ୍ଜନ ମୁଣ୍ଡଙ୍କ ଏହି ଯାତ୍ରା ସହଜ ନଥିଲା। ବହୁ ସଂଘର୍ଷ, ସାହସ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ପ୍ରେରଣାଦାୟକ ଆଜି ତାଙ୍କୁ ଏଇଠି ପହଞ୍ଚାଇପାରିଛି । ଜନ୍ମରୁ ଗୋଟିଏ ଗୋଡ଼ ନଥିବା ସତ୍ତ୍ୱେ ସେ କେବେ ନିଜ ସ୍ୱପ୍ନକୁ ଛାଡ଼ି ଦେଇନଥିଲେ। ମାତ୍ର ପାଞ୍ଚ ବର୍ଷ ବୟସରେ ତାଙ୍କର କୃତ୍ରିମ ଗୋଡ଼ ଲଗାଯିବା ପରେ ସେ ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାହସର ସହ ମୁକାବିଲା କରିଆସିଛନ୍ତି । ଶାରୀରିକ ସୀମାବଦ୍ଧତା ତାଙ୍କ ପାଇଁ କେବେ ବାଧା ହୋଇନଥିଲା; ବରଂ ଏହା ତାଙ୍କୁ ଆହୁରି ଦୃଢ଼ କରିଥିଲା।

ଛୋଟବେଳୁ ଖେଳ ପ୍ରତି ଥିବା ଅଗାଢ ଭଲପାଇବା ଏବଂ ନିରନ୍ତର ଅଭ୍ୟାସ ଆଜି ତାଙ୍କୁ ବିଶ୍ୱ ମଞ୍ଚରେ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟସ୍ତରରେ ଏକାଧିକ ଥର ଚାମ୍ପିଅନ୍ ହେବାସହ ସେ ଜାତୀୟ ଓ ଅନ୍ତର୍ଜାତିକ ପ୍ରତିଯୋଗିତାରେ ମଧ୍ୟ ପଦକ ଜିତିଛନ୍ତି । ଇଣ୍ଡୋନେସିଆ, ପେରୁ ସମେତ ବିଭିନ୍ନ ଦେଶରେ ଭାରତର ପ୍ରତିନିଧିତ୍ୱ କରି ସେ ନିଜ ପ୍ରତିଭାର ପ୍ରମାଣ ଦେଇଆସିଛନ୍ତି।

ବର୍ତ୍ତମାନ ଆକାଶ ପାରା ବ୍ୟାଡମିଣ୍ଟନରେ ରାଜ୍ୟସ୍ତରରେ ପ୍ରଥମ, ଜାତୀୟସ୍ତରରେ ତୃତୀୟ ଏବଂ ବିଶ୍ୱ ରାଙ୍କିଙ୍ଗରେ ୪୮ତମ ସ୍ଥାନରେ ରହିଛନ୍ତି। ତାଙ୍କର ଏହି ସଫଳତା କେବଳ କଳାହାଣ୍ଡି କିମ୍ବା ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଦେଶର ଯୁବ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି। ଖାଲି ସେତିକି ନୁହେଁ ଆକାଶ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ଦୃଢ଼ ସଂକଳ୍ପ ଓ ଅକ୍ଳାନ୍ତ ପରିଶ୍ରମ ଥିଲେ କୌଣସି ପ୍ରତିବନ୍ଧକ ସଫଳତାର ପଥ ଅଟକାଇ ପାରେ ନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score