Explore

Search

August 3, 2026 8:11 pm

ଚାଷୀଙ୍କ ମୁଁହରେ ହସ ଫୁଟାଇଲେ ମୁଖ୍ୟମନ୍ତ୍ରୀ : ଏଥର ଚାଷ ଜମିକୁ ମିଳିବ ଆଧୁନିକ ଜଳସେଚନ ସୁବିଧା

ଭୁବନେଶ୍ୱର : ଓଡ଼ିଶାର କୃଷି କ୍ଷେତ୍ରକୁ ଆଧୁନିକ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କୃଷକମାନଙ୍କୁ ନିରବଚ୍ଛିନ୍ନ ଓ ଦକ୍ଷ ଜଳସେଚନ ସୁବିଧା ଯୋଗାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆନନ୍ଦପୁର ସମନ୍ୱିତ ବ୍ୟାରେଜ ପ୍ରକଳ୍ପର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ୟାକେଜକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଉତ୍ତର ଓଡ଼ିଶାର ବିଶେଷ କରି ବାଲେଶ୍ୱର ଜିଲ୍ଲାର କୃଷକମାନଙ୍କ ପାଇଁ ବଡ଼ ଉପହାର ସଦୃଶ ହେବ।

ଏହି ପ୍ରକଳ୍ପ ପାଇଁ ମୋଟ ମୋଟ ୨୫୮.୧୪ କୋଟି ଟଙ୍କା ବ୍ୟୟ କରାଯିବ। ଏହା ଅଧୀନରେ ଭୂତଳ ପାଇପଲାଇନ୍ ଭିତ୍ତିକ ଆଧୁନିକ ଜଳସେଚନ ବ୍ୟବସ୍ଥାର ବିକାଶ କରାଯିବ, ଯାହା ମାଧ୍ୟମରେ ପ୍ରାୟ ୧୨,୨୦୦ ହେକ୍ଟର ଚାଷଜମି ନିୟମିତ ଜଳସେଚନ ସୁବିଧା ପାଇବ। ଏହି ପଦକ୍ଷେପ ଫଳରେ ଚାଷୀମାନେ ବର୍ଷା ଉପରେ ନିର୍ଭର କମ୍ କରି ଅଧିକ ଉତ୍ପାଦନ କରିପାରିବେ।

ପ୍ରକଳ୍ପର ସୁବିଧା ବାଲେଶ୍ୱର ଜିଲ୍ଲାର ସୋର, ଔପଦା, ନୀଳଗିରି, ରେମୁଣା ଏବଂ ବାଲେଶ୍ୱର ସଦର ବ୍ଲକର ହଜାର ହଜାର କୃଷକଙ୍କୁ ମିଳିବ। ଦୀର୍ଘଦିନ ଧରି ଜଳାଭାବ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ଅଞ୍ଚଳରେ ଏହି ପ୍ରକଳ୍ପ ଚାଷ ପାଇଁ ଏକ ନୂଆ ଦିଗ ଖୋଲିଦେବ ବୋଲି ଆଶା କରାଯାଉଛି।

ଭୂତଳ ପାଇପଲାଇନ୍ ବ୍ୟବସ୍ଥାର ସବୁଠାରୁ ବଡ଼ ଲାଭ ହେଉଛି ଜଳର ଅପଚୟକୁ ହ୍ରାସ କରିବା। ପାରମ୍ପରିକ ଖୋଲା କେନାଲ ବ୍ୟବସ୍ଥାରେ ବାଷ୍ପୀଭବନ, ଲିକେଜ ଓ ଅନ୍ୟାନ୍ୟ କାରଣରୁ ବହୁ ପରିମାଣର ଜଳ ନଷ୍ଟ ହୋଇଥାଏ । କିନ୍ତୁ ପାଇପଲାଇନ ମାଧ୍ୟମରେ ଜଳ ସିଧାସଳଖ ଭାବେ ଚାଷଜମିକୁ ପହଞ୍ଚିବାରୁ ଜଳ ସଂରକ୍ଷଣ ସମ୍ଭବ ହେବ ଏବଂ ଜଳ ବଣ୍ଟନ ଅଧିକ ଦକ୍ଷ ହେବ।

କୃଷି ବିଶେଷଜ୍ଞମାନଙ୍କ ମତରେ, ଏହି ପ୍ରକଳ୍ପ କେବଳ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବ ନାହିଁ, ବରଂ ଅଧିକ ଫସଲ ଉତ୍ପାଦନ, ଫସଲ ବିବିଧିକରଣ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ। ବର୍ଷକୁ ଗୋଟିଏ ଫସଲ ବଦଳରେ ଦୁଇ କିମ୍ବା ତିନୋଟି ଫସଲ ଚାଷ କରିବାର ସୁଯୋଗ ବଢ଼ିବା ସହ ଗ୍ରାମୀଣ ଅର୍ଥନୀତି ମଧ୍ୟ ସକ୍ରିୟ ହେବ।

ରାଜ୍ୟ ସରକାର ଜଳ ସମ୍ପଦର ସଠିକ ବ୍ୟବହାର ଓ କୃଷି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ଉପରେ ଗୁରୁତ୍ୱ ଦେଉଛନ୍ତି । ଆନନ୍ଦପୁର ସମନ୍ୱିତ ବ୍ୟାରେଜ ପ୍ରକଳ୍ପ ସେହି ଦୃଷ୍ଟିକୋଣର ଏକ ମହତ୍ୱପୂର୍ଣ୍ଣ ଅଂଶ। ଏହା ଦ୍ୱାରା କୃଷକଙ୍କ ଜୀବନମାନର ଉନ୍ନତି ସହ ରାଜ୍ୟର ଖାଦ୍ୟ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇବ।

ସରକାରଙ୍କ ଏହି ନିଷ୍ପତ୍ତି ‘ସଶକ୍ତ କୃଷକ, ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟକୁ ଆହୁରି ଦୃଢ଼ କରିବ। କୃଷି କ୍ଷେତ୍ରରେ ଭିତ୍ତିଭୂମି ଉନ୍ନୟନ, ଜଳ ସଂରକ୍ଷଣ ଏବଂ ଆଧୁନିକ ଜଳସେଚନ ବ୍ୟବସ୍ଥାର ବିସ୍ତାର ମାଧ୍ୟମରେ ଓଡ଼ିଶାକୁ କୃଷି କ୍ଷେତ୍ରରେ ଆହୁରି ଆଗକୁ ନେବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score