Explore

Search

July 31, 2026 10:54 pm

ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ ପଦକ୍ଷେପ : ପଞ୍ଚାୟତରେ ଖୋଲିବ ”ସାଧନା କେନ୍ଦ୍ର”

ବ୍ରହ୍ମପୁର : ପୁଣି ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ନେଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ । ଛାତ୍ରଛାତ୍ରୀଙ୍କ ସ୍ବପ୍ନକୁ ପୂରଣ କରିବା ଲକ୍ଷରେ ଏବେ ଜିଲ୍ଲାପାଳ ପଞ୍ଚାୟତ ସ୍ତରରେ ‘ସାଧନା କେନ୍ଦ୍ର’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅନେକ ପ୍ରତିଭାଶାଳୀ ଯୁବକ ଓ ଯୁବତୀ ଆର୍ଥିକ ସମସ୍ୟା କିମ୍ବା ଉପଯୁକ୍ତ ସୁବିଧାର ଅଭାବ ଯୋଗୁଁ ନିଜ ସ୍ୱପ୍ନକୁ ସାକାର କରିପାରନ୍ତି ନାହିଁ। ଏହି ପରିସ୍ଥିତିକୁ ବଦଳାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରରେ ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ କେନ୍ଦ୍ର ସ୍ଥାପନ କରାଯାଇ ମାଗଣାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଉଚ୍ଚମାନର ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି । ଏଠାରେ ଭାରତୀୟ ପ୍ରଶାସନିକ ସେବା (IAS), ଓଡ଼ିଶା ପ୍ରଶାସନିକ ସେବା (OAS), ଓଡ଼ିଶା ପୁଲିସ ସେବା (OPS), ବ୍ୟାଙ୍କିଂ, ରେଲୱେ, SSC ଏବଂ ଅନ୍ୟାନ୍ୟ ସରକାରୀ ଚାକିରି ସମ୍ବନ୍ଧୀୟ ପରୀକ୍ଷା ପାଇଁ ବିଶେଷ କୋଚିଂ ବ୍ୟବସ୍ଥା କରାଯାଇଛି। ଅଭିଜ୍ଞ ଶିକ୍ଷକ ଓ ବିଷୟ ବିଶେଷଜ୍ଞମାନଙ୍କ ଦ୍ୱାରା ଶିକ୍ଷା ଦାନ ସହ ମକଟେଷ୍ଟ, ଗ୍ରୁପ୍ ଡିସକସନ, ଇଣ୍ଟରଭ୍ୟୁ ପ୍ରସ୍ତୁତି ଏବଂ ବ୍ୟକ୍ତିତ୍ୱ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ସୂଚନା ଅନୁସାରେ, ଏହି କେନ୍ଦ୍ର ଗୁଡ଼ିକର ସଫଳତା ଓ ଯୁବପିଢ଼ିଙ୍କ ଆଗ୍ରହକୁ ଦେଖି ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତସ୍ତରରେ ‘ସାଧନା କେନ୍ଦ୍ର’ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କେନ୍ଦ୍ର ଗୁଡ଼ିକ ମାଧ୍ୟମରେ ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନଙ୍କ ପାଖକୁ ଶିକ୍ଷା, ଦକ୍ଷତା ବିକାଶ ଓ କ୍ୟାରିୟର ମାର୍ଗଦର୍ଶନ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ ସୁଦୃଢ଼ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛି।

ପ୍ରତ୍ୟେକ ସାଧନା କେନ୍ଦ୍ରରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନିୟମିତ ପ୍ରଶିକ୍ଷଣ ଦିଆଯିବ । ଏଥିସହ ଡିଜିଟାଲ ଶିକ୍ଷା, କମ୍ପ୍ୟୁଟର ଦକ୍ଷତା, ଇଂରାଜୀ ଭାଷା ଦକ୍ଷତା, ଯୋଗାଯୋଗ କୌଶଳ ଓ ବିଭିନ୍ନ ଜୀବନମୂଳକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷା ମଝିରେ ଛାଡ଼ି ଦେଇଛନ୍ତି, ସେମାନଙ୍କୁ ଓପେନ ସ୍କୁଲ ବ୍ୟବସ୍ଥା ମାଧ୍ୟମରେ ପୁନର୍ବାର ଶିକ୍ଷା ସହ ଯୋଡ଼ିବା ପାଇଁ ସହାୟତା କରାଯିବ। ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ମଧ୍ୟ ମିଳିବ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଅନେକ ପ୍ରତିଭାବାନ ଯୁବକ ଓ ଯୁବତୀ ରହିଛନ୍ତି, କିନ୍ତୁ ସଠିକ୍ ମାର୍ଗଦର୍ଶନ ଓ ସୁଯୋଗର ଅଭାବରୁ ସେମାନେ ନିଜ ପ୍ରତିଭାକୁ ପ୍ରକାଶ କରିପାରୁନାହାନ୍ତି। ଏହି ନୂତନ ବ୍ୟବସ୍ଥା ସେମାନଙ୍କୁ ଜାତୀୟ ଓ ରାଜ୍ୟସ୍ତରର ପ୍ରତିଯୋଗିତାରେ ସଫଳ ହେବା ପାଇଁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇବ। ବିଶେଷକରି ଆର୍ଥିକ ଭାବେ ଦୁର୍ବଳ ପରିବାରର ମେଧାବୀ ଛାତ୍ରଛାତ୍ରୀମାନେ ଏହାରୁ ଅଧିକ ଉପକୃତ ହେବେ।

ଏହା କେବଳ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ସୀମିତ ନ ରହି, ଯୁବପିଢ଼ିଙ୍କୁ ଆତ୍ମବିଶ୍ୱାସୀ, ଦକ୍ଷ ଓ ଆତ୍ମନିର୍ଭରଶୀଳ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ । ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗର ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପ ଗଞ୍ଜାମ ଜିଲ୍ଲାର ଯୁବସମାଜ ପାଇଁ ନୂତନ ଆଶା ସୃଷ୍ଟି କରିବା ସହ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଜିଲ୍ଲାପାଳ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score