Explore

Search

May 12, 2026 4:08 am

ଏମଆଇ ପୋଷ୍ଟକୁ ଡିଲିଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା !

ମୁମ୍ବାଇ : IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଯାନ ନିରାଶାଜନକ ଭାବେ ଶେଷ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରୋଧରେ ପରାଜୟ ପରେ ଦଳ ପ୍ଲେ ଅଫ୍ ଦୌଡ଼ରୁ ବାହାରିଯାଇଥିବା ବେଳେ, ଏବେ ଟିମ୍ ଭିତରେ ଅସନ୍ତୋଷ ଓ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ପ୍ରଚାର ପାଉଛି ।

କୁହାଯାଉଛି ଯେ, ହାର୍ଦ୍ଦିକ ନିଜ ସୋସିଆଲ ମିଡିଆରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ କିଛି ପୋଷ୍ଟ ହଟାଇଦେଇଥିଲେ ଏବଂ ଟିମକୁ ଅନଫଲୋ ମଧ୍ୟ କରିଥିଲେ । ଏହାପରେ ତାଙ୍କର ଏବଂ ଫ୍ରାଞ୍ଚାଇଜ୍‌ ମଧ୍ୟରେ ସମ୍ପର୍କ ଖରାପ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯଦିଓ କିଛି ସମୟ ପରେ ସେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫଲୋ କରିଥିବା ଦେଖାଯାଇଛି ।

ଏହି ସିଜନରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ମଧ୍ୟ ଆଶାଅନୁଯାୟୀ ହୋଇନଥିଲା । ବ୍ୟାଟିଂ କିମ୍ବା ବୋଲିଂ କୌଣସି ବିଭାଗରେ ସେ ଦଳକୁ ମଜବୁତ ସହଯୋଗ ଦେଇପାରିନଥିଲେ । ଫଳରେ ଟିମ୍ ମ୍ୟାନେଜମେଣ୍ଟ ଶେଷ କିଛି ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦେଇ ସୂର୍ଯ୍ୟକୁମାର ଯାଦବଙ୍କୁ ନେତୃତ୍ୱ ଦାୟିତ୍ୱ ଦେଇଥିଲା । ତଥାପି ଦଳର ଭାଗ୍ୟ ପରିବର୍ତ୍ତନ ହୋଇନଥିଲା ।

ମେ ୨ ତାରିଖରେ ହାର୍ଦ୍ଦିକ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ତା’ପରେ ତାଙ୍କୁ ପ୍ଲେଇଂ ୧୧ରୁ ବାଦ ଦିଆଯିବା ସହ ସୋସିଆଲ ମିଡିଆରେ ଅନେକ ଅନୁମାନ ଓ ଗୁଜବ ଆରମ୍ଭ ହୋଇଥିଲା । କେତେକ ରିପୋର୍ଟରେ ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସକୁ ଯୋଗଦାନ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେହିପରି ଦଳର କିଛି ବରିଷ୍ଠ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୮ଟି ମ୍ୟାଚ୍‌ରେ ୧୪୬ ରନ୍ କରିଥିବାବେଳେ ବୋଲିଂରେ ୪ଟି ୱିକେଟ୍ ନେଇଥିଲେ । କିନ୍ତୁ ତାଙ୍କର ଏହି ପ୍ରଦର୍ଶନ ଦଳକୁ ସଫଳତା ଦେଇପାରିନଥିଲା । ଶେଷରେ ଖରାପ ପରିଣାମ ସହ ମୁମ୍ବାଇ ଇଣ୍ଡିଆନ୍ସର ଏହି ସିଜନ ଶେଷ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score