Explore

Search

April 17, 2026 8:11 pm

ଆଜି ଅହମ୍ମଦାବାଦରେ ଗୁଜରାଟ ସମ୍ମୁଖୀନ ହେବ କୋଲକାତା

ଚଳିତ ଆଇପିଏଲର ୨୫ତମ ଲିଗ ମ୍ୟାଚରେ ଆଜି ଗୁଜରାଟ ଓ କୋଲକାତା ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚକୁ ନେଇ ଉତ୍ସାହ ବଢ଼ିଛି । କୋଲକାତା ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଦଳକୁ ଜିତିବା ଆବଶ୍ୟକ ହୋଇପଡ଼ିଛି । ଅନ୍ୟପଟେ ଘରୋଇ ମାଟିରେ ଖେଳୁଥିବା ଗୁଜରାଟ ଜିତ ର ଧାରା ଅବ୍ୟାହତ ରଖିବାକୁ ଲକ୍ଷ୍ୟ ରଖିଛି । ଏହା ଫଳରେ ଏକ ରୋମାଞ୍ଚକର ଓ ହାର୍ଡ ଫାଇଟ୍ ମ୍ୟାଚ ଦେଖିବାକୁ ମିଳିପାରେ।

କୋଲକାତା ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି କେବଳ ୧ ପଏଣ୍ଟ ହାସଲ କରିପାରିଛି । ଦଳ ଏଯାବତ ଜିତ ର ଖାତା ଖୋଲି ପାରିନାହିଁ, ଏବଂ ପଞ୍ଜାବ ବିରୋଧୀ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ସେହି ପଏଣ୍ଟ ମିଳିଥିଲା। ବୋଲିଂ ବିଭାଗରେ ସମସ୍ୟା ଥିବା ସହ ବ୍ୟାଟିଂ ଲାଇନଅପ୍‌ ମଧ୍ୟ ସଠିକ ଲୟରେ ଆସିପାରୁନାହିଁ। କାର୍ତ୍ତିକ ତ୍ୟାଗୀଙ୍କୁ ଛାଡ଼ିଦେଲେ ଅନ୍ୟ ବୋଲରମାନେ ପ୍ରଭାବ ପକାଇପାରୁନାହାଁନ୍ତି। ମଥିଶା ପତିରଣା ଦଳରେ ଯୋଗ ଦେଇଥିଲେ ମଧ୍ୟ ଏହି ମ୍ୟାଚରେ ଖେଳିବେ ନାହିଁ, ତେଣୁ ବୋଲିଂ ଦାୟିତ୍ୱ ତ୍ୟାଗୀଙ୍କ ଉପରେ ଅଧିକ ରହିବ। ଓପେନିଂ ବ୍ୟାଟସ୍ମାନଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ଦଳ ବଡ଼ ସ୍କୋର ତିଆରି କରିବାରେ ବାରମ୍ବାର ବିଫଳ ହେଉଛି।

ଗୁଜରାଟ ଦଳ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୨ଟିରେ ଜିତି ୪ ପଏଣ୍ଟ ସଂଗ୍ରହ କରିଛି ଏବଂ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନ ଦଖଲ କରିଛି । ୫ ଦିନର ବିରତି ପରେ ମୈଦାନକୁ ଓଲ୍ହାଇବାକୁ ଯାଉଥିବା ଏହି ଦଳ ବୋଲିଂ ଦିଗରେ ଭଲ ସୁଧାର ଆଣିଥିବା ସତ୍ୱେ ବ୍ୟାଟିଂ ଏପର୍ଯ୍ୟନ୍ତ ଚିନ୍ତାର କାରଣ ହୋଇ ରହିଛି। ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ଭଲ ଆରମ୍ଭ ପରେ ମଧ୍ୟ ମଧ୍ୟକ୍ରମ ନିର୍ଭରଯୋଗ୍ୟ ପ୍ରଦର୍ଶନ କରିପାରୁ ନାହିଁ। ତେବେ ଜୋସ ବଟଲର ଫେରିଥିବା ଫର୍ମ ଦଳ ପାଇଁ କିଛି ଆଶା ଉଇଁଛି ।

ଆଜିର ମ୍ୟାଚରେ ଗୁଜରାଟ ଦଳ କିଛି ପରିବର୍ତ୍ତନ କରିପାରେ। କାଗିସୋ ରାବାଡାଙ୍କ ସ୍ଥାନରେ ଜାସନ ହୋଲ୍ଡରଙ୍କୁ ଏକାଦଶରେ ସୁଯୋଗ ମିଳିପାରେ। ଅନ୍ୟପଟେ କୋଲକାତା ଦଳରେ ବିକଳ୍ପ ଖେଳାଳି ଅଧିକ ନଥିବାରୁ ବଡ଼ ପରିବର୍ତ୍ତନ ଆଶା କରାଯାଉ ନାହିଁ।

ହେଲେ ଫିନ୍ ଆଲେନଙ୍କ ପ୍ରଦର୍ଶନ ଉପରେ ଦଳ ପରିଚାଳନା ନଜର ରଖିଛି। ସେ ଏପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିପାରିନଥିବାରୁ ଆଜି ତାଙ୍କୁ ବାହାରେ ରଖି ଟିମ୍ ସାଇଫର୍ଟଙ୍କୁ ଅବସର ଦିଆଯାଇପାରେ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ ୬ନଂ ପିଚ୍ ବ୍ୟାଟିଂ ପକ୍ଷରେ ଉପଯୁକ୍ତ ବୋଲି ଧରାଯାଉଛି, କିନ୍ତୁ ଆରମ୍ଭରେ ପେସ ବୋଲରମାନେ କିଛି ସହାୟତା ପାଇପାରିବେ। ନୂଆ ବଲ୍ ସୁଇଂ ଓ ବାଉନ୍ସ ଦେବା ସମ୍ଭାବନା ରହିଛି। ରାତିରେ ମ୍ୟାଚ ହେବାରୁ ପରବର୍ତ୍ତୀ ଅଂଶରେ ବ୍ୟାଟିଂ ଅଧିକ ସହଜ ହେବ, ସେଥିପାଇଁ ଟସ ଜିତୁଥିବା ଦଳ ପ୍ରଥମେ ଫିଲ୍ଡିଂ ବାଛିବା ସମ୍ଭାବନା ଅଧିକ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score