ଭୁବନେଶ୍ୱର : ୨୦୨୭ ମସିହାରେ ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜନଗଣନା ପ୍ରକ୍ରିୟା ସମାପ୍ତ ହେବା ପରେ ୨୦୨୭ ଏପ୍ରିଲରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜୁନ୍ ସୁଦ୍ଧା ଭୋଟ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହାକୁ ନେଇ ପୂର୍ବରୁ ଆରଡିସି ଓ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇସାରିଥିବା ବେଳେ ଆସନ୍ତା ୨୧ ତାରିଖରେ ଓସୱାନ୍ (OSWAN) ପ୍ଲାଟଫର୍ମ ମାଧ୍ୟମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଆୟୋଜନ କରାଯିବ। ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ERO, AERO ଓ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେବେ।
ଏଥର ନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ। ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରାଯାଇ ବୁଥ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହାଦ୍ୱାରା ଗୋଟିଏ ବୁଥର ଭୋଟର ଅନ୍ୟ ଅଞ୍ଚଳରେ ରହିଯିବା ସମସ୍ୟା ଦୂର ହେବ ଏବଂ ଭୋଟର ଉପସ୍ଥିତି ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ନିର୍ବାଚନ କମିଶନଙ୍କ ମତାନୁସାରେ, ବର୍ତ୍ତମାନ ଅନେକ ସ୍ଥାନରେ ଗୋଟିଏ ବୁଥର ଭୋଟର ଅନ୍ୟ ଅଞ୍ଚଳରେ ରହିଯାଉଛନ୍ତି, ଯାହାଫଳରେ ଭୋଟର ଉପସ୍ଥିତି ହାର କମିଯାଉଛି । ନୂଆ ସର୍ଭେ ପରେ ପ୍ରତ୍ୟେକ ବୁଥର ଭୋଟରଙ୍କ ତଥ୍ୟ ସଠିକ ଭାବେ ଅଦ୍ୟତନ କରାଯିବ ଏବଂ ବୁଥ ଭିତ୍ତିକ ତାଲିକା ପ୍ରକାଶ କରାଯିବ। ଏହାଦ୍ୱାରା ଭୋଟରମାନେ ନିଜ ନିର୍ଦ୍ଦିଷ୍ଟ ବୁଥରେ ସହଜରେ ମତଦାନ କରିପାରିବେ।
ସେପଟେ, ୨୦୨୭ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଶାସକ ବିଜେପି ଓ ବିରୋଧୀ ଦଳମାନେ ଏବେଠାରୁ ସଂଗଠନକୁ ସକ୍ରିୟ କରିବା ସହ ଗ୍ରାମାଞ୍ଚଳରେ ନିଜ ଦଳୀୟ ଭିତ୍ତିକୁ ମଜବୁତ କରିବାରେ ଲାଗିପଡ଼ିଛନ୍ତି ।
୨୦୨୭ର ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଏକ ବଡ଼ ପରୀକ୍ଷା ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳର ଜନମତ କେଉଁ ଦିଗକୁ ଯାଉଛି, ତାହାର ଏକ ସ୍ପଷ୍ଟ ଚିତ୍ର ଏହି ନିର୍ବାଚନରୁ ସାମ୍ନାକୁ ଆସିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
