ଭୁବନେଶ୍ୱର : ମହିଳାଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବା ସହ ଗ୍ରାମୀଣ ଜୀବିକାର ବିକାଶରେ ସହାୟକ ନିମନ୍ତେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଡି ହେଲା ୨ଟି ନୂଆ ପଦକ୍ଷେପ। ମହିଳା ସଶକ୍ତିକରଣ, ଗ୍ରାମୀଣ ଅର୍ଥନୀତିର ବିକାଶ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଭବାନୀପାଟଣାସ୍ଥିତ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ସର ଶୁଭାରମ୍ଭ କରାଯାଇଛି । ଏହି ଦୁଇଟି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନକୁ ନୂଆ ଦିଗ ଦେବା ସହ ଗ୍ରାମୀଣ ଜୀବିକାର ବିକାଶରେ ସହାୟକ ହେବ ବୋଲି କୁହାଯାଇଛି।
ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯାନବାହନ ପରିଚାଳନା କରି ଗ୍ରାମାଞ୍ଚଳରେ ଯାତାୟାତ ସେବା ଯୋଗାଇବେ। ଏହା ଫଳରେ ଦୁର୍ଗମ ଅଞ୍ଚଳର ଲୋକମାନେ ସହଜରେ ଯାତାୟାତ ସୁବିଧା ପାଇବାସହ ମହିଳାମାନଙ୍କ ପାଇଁ ନିୟମିତ ରୋଜଗାରର ସୁଯୋଗ ସୃଷ୍ଟି ହେବ। ଏହି ଯୋଜନା ଗ୍ରାମ ଓ ସହର ମଧ୍ୟରେ ସଂଯୋଗକୁ ଆହୁରି ସୁଦୃଢ଼ କରିବାରେ ମଧ୍ୟ ସହାୟକ ହେବ। ତେବେ ଏହି ୨ଟି ଯୋଜନା ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସହର ଓ ଗ୍ରାମାଞ୍ଚଳ ପାଇଁ ବହୁ ସୁବିଧା ହେବ ।
ସେହିପରି ମିଲେଟ୍ ଅନ୍ ହ୍ୱିଲ୍ସ ପଦକ୍ଷେପ ମାଧ୍ୟମରେ ମାଣ୍ଡିଆ, ସୁଆଁ, କାଙ୍ଗୁ ଓ ଅନ୍ୟାନ୍ୟ ଶ୍ରୀଅନ୍ନ ଆଧାରିତ ପୁଷ୍ଟିକର ଖାଦ୍ୟ ସାମଗ୍ରୀକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଯିବ। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ପ୍ରତି ସଚେତନତା ବଢ଼ିବା ସହ ସ୍ଥାନୀୟ ଚାଷୀ ଓ ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କ ପାଇଁ ବଜାର ସୁଯୋଗ ବୃଦ୍ଧି ପାଇବ। ଏହା ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରିବ।
ଅନ୍ୟପକ୍ଷରେ ସମ୍ମିଳନୀରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ ଯେ, ସୁଭଦ୍ରା ଯୋଜନା କେବଳ ଆର୍ଥିକ ସହାୟତାରେ ସୀମିତ ନୁହେଁ, ବରଂ ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ଓ ଉଦ୍ୟମ ମାଧ୍ୟମରେ ନୂଆ ଉଦାହରଣ ସୃଷ୍ଟି କରୁଛନ୍ତି ଏବଂ ଏହିପରି ଯୋଜନା ସେମାନଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବ।
ଏହି ଅବସରରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ସାମଗ୍ରୀ ଏବଂ ଖାଦ୍ୟ ପଦାର୍ଥର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଉପସ୍ଥିତ ଅତିଥି ଓ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଓ ମିଲେଟ୍ ଅନ୍ ହ୍ୱିଲ୍ସ ଭଳି ପଦକ୍ଷେପ ମହିଳା ସଶକ୍ତିକରଣ, ପୁଷ୍ଟିକର ଖାଦ୍ୟର ପ୍ରଚାର, ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
