Explore

Search

June 7, 2026 12:58 am

ସଚିନଙ୍କ ରେକର୍ଡ ଭାଙ୍ଗିବେ ବୈଭବ ସୂର୍ଯ୍ୟବଂଶୀ !

ମୁମ୍ବାଇ : ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ କ୍ରିକେଟ ମହଲରେ ଜୋରଦାର ଆଲୋଚନା ଚାଲିଛି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାତ୍ର ୧୫ ବର୍ଷ ବୟସରେ ସେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇପାରନ୍ତି। ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ବୈଭବ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହେବାର ରେକର୍ଡ ସୃଷ୍ଟି କରିପାରନ୍ତି ।

ବର୍ତ୍ତମାନ ବୈଭବଙ୍କ ବୟସ ୧୫ ବର୍ଷ ୭୦ ଦିନ ହୋଇଥିବା ବେଳେ, ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ତାଙ୍କ ନାମ ଚୟନ ବିଚାରାଧୀନ ଥିବା କୁହାଯାଉଛି। ଯଦି ସେହି ସିରିଜରେ ଖେଳିବାର ସୁଯୋଗ ମିଳେ, ତେବେ ୧୯୮୯ ମସିହାରେ ୧୬ ବର୍ଷ ୨୦୫ ଦିନ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିବା ସଚିନ ତେନ୍ଦୁଲକରଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗିପାରନ୍ତି ।

IPL 2026ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବିସ୍ଫୋରକ ପ୍ରଦର୍ଶନ । ସେ 237.30 ଷ୍ଟ୍ରାଇକ୍ ରେଟ୍‌ରେ 776 ରନ୍ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ନିର୍ଭୀକ ଖେଳ ଶୈଳୀ ତାଙ୍କୁ ଭବିଷ୍ୟତର ଏକ ବଡ଼ ତାରକା ଭାବେ ପରିଚିତ କରାଇଛି।

ଏବେ ବୈଭବ ଶ୍ରୀଲଙ୍କାରେ ଆୟୋଜିତ ଭାରତ ‘ଏ’ ଦଳର ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି। ସିରିଜ ଜୁନ୍ ୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ କରିବ, ଯେଉଁଠାରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିଥିବା ଖେଳାଳିଙ୍କ ତାଲିକାରେ ପାକିସ୍ତାନର ହାସନ ରଜା ଶୀର୍ଷରେ ଅଛନ୍ତି। ସେ ୧୯୯୬ ମସିହାରେ ମାତ୍ର ୧୪ ବର୍ଷ ୨୨୭ ଦିନ ବୟସରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ଟି-୨୦ କ୍ରିକେଟରେ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ ରୋମାନିଆର ମାରିଅନ ଘେରାସିମଙ୍କ ନାମରେ ରହିଛି।

ଏବେ ସମସ୍ତଙ୍କ ନଜର ବିସିସିଆଇର ଚୟନ ବୈଠକ ଉପରେ ରହିଛି। ବୈଭବ ସୂର୍ଯ୍ୟବଂଶୀଙ୍କୁ ଯଦି ଜାତୀୟ ଦଳରେ ସୁଯୋଗ ମିଳେ, ତେବେ ଭାରତୀୟ କ୍ରିକେଟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score