Explore

Search

May 13, 2026 1:13 am

ରଥଯାତ୍ରାରେ କଡ଼ା ହେବ ନିୟମ, କମିବ କର୍ଡନ ପାସ ସଂଖ୍ୟା

ଭୁବନେଶ୍ୱର : ରଥଯାତ୍ରା ୨୦୨୬ ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଚଳିତବର୍ଷ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ରଥ ଟଣାକୁ ଦୃଷ୍ଟିରେ ରଖି କର୍ଡନ ପାସ ସଂଖ୍ୟା କମାଇବାକୁ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ରଥ କର୍ଡନ ଭିତରେ ଅତ୍ୟଧିକ ଭିଡ଼ ଯୋଗୁଁ ପୂର୍ବବର୍ଷ ଗୁଡ଼ିକରେ ଦଳାଚକଟା ପରିସ୍ଥିତି ଉପୁଜୁଥିବା ସହ ରଥଟଣା ଓ ନୀତିକାନ୍ତିରେ ବିଳମ୍ବ ଘଟୁଥିଲା। ଏହି ପରିସ୍ଥିତିକୁ ନଜରରେ ରଖି ଏଥର ପାସ ବଣ୍ଟନରେ କଡ଼ା ନିୟମ ଲାଗୁ ହେବା ସମ୍ଭାବନା ରହିଛି ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ରଥଯାତ୍ରା-୨୦୨୬ ପ୍ରସ୍ତୁତି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି । ସମସ୍ତ ବିଭାଗକୁ ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟର ନିୟମିତ ତଦାରଖ ପାଇଁ ବୈଷୟିକ କମିଟି ଗଠନ କରାଯାଇଛି । ଆବଶ୍ୟକ କାଠ ସଂଗ୍ରହ ଓ ରଥ ଦଉଡ଼ିର ଗୁଣମାନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି ।

ରଥଯାତ୍ରା ପୂର୍ବରୁ ପୁରୀ ସହରକୁ ସଜେଇବା ପାଇଁ ଅନେକ କାମ ଚାଲିଛି । ବଡଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ୍ ଲଗାଯିବା ସହ ସମୁଦ୍ରକୂଳରେ ନୂତନ ବାୟୋ-ଶୌଚାଳୟ ସ୍ଥାପନ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ୧୬୦୦ରୁ ଅଧିକ ଅସ୍ଥାୟୀ ଶୌଚାଳୟ ଓ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଉଛି । ଅଧିକ ବର୍ଷା ସମୟରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ବିଶିଷ୍ଟ ପମ୍ପ ସେଟ୍ ବ୍ୟବସ୍ଥା ମଧ୍ୟ ରହିବ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଚିକିତ୍ସା ପାଇଁ ୮ଟି ଅସ୍ଥାୟୀ ଚିକିତ୍ସାଳୟ ସ୍ଥାପନ କରାଯିବ । ଟ୍ରାଫିକ୍ ନିୟନ୍ତ୍ରଣ, ସିସିଟିଭି ନଜରଦାରୀ ଓ ଭିଡ଼ ପରିଚାଳନା ଉପରେ ମଧ୍ୟ ବିଶେଷ ଯୋଜନା କରାଯାଇଛି । ବଡଦାଣ୍ଡରେ ମାଗଣା ଖାଦ୍ୟ ବଣ୍ଟନ ଯୋଗୁଁ ହେଉଥିବା ଅବ୍ୟବସ୍ଥାକୁ ରୋକିବା ପାଇଁ ଏଥର ନିର୍ଦ୍ଧିଷ୍ଟ ସ୍ଥାନରେ ମାତ୍ର ଖାଦ୍ୟ ବଣ୍ଟନକୁ ଅନୁମତି ଦିଆଯିବ ।

ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ଏଥର ସରକାର ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଥିବାରୁ ପୁରୀରେ ଏବେଠାରୁ ରଥଯାତ୍ରାର ଉତ୍ସାହ ଦେଖିବାକୁ ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score