Explore

Search

May 9, 2026 8:40 pm

ମୋହନ ମାଝୀଙ୍କ ପରେ ଶୁଭେନ୍ଦୁ ଅଧିକାରୀ : ଦୁଇ ମୁଖ୍ୟମନ୍ତ୍ରୀଙ୍କ ଜୀବନରେ ସମାନ ଦୁଃଖର କାହାଣୀ !

ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ଶୁକ୍ରବାର ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଘୋଷଣା କରିଥିଲେ । ଆଉ ଆଜି କୋଲକାତାର ବ୍ରିଗେଡ ପରେଡ୍ ଗ୍ରାଉଣ୍ଡରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ।

କିନ୍ତୁ ମୁଖ୍ୟମନ୍ତ୍ରୀ ପଦର ଏହି ବଡ଼ ସଫଳତା ସତ୍ତ୍ୱେ ଶୁଭେନ୍ଦୁଙ୍କ ମନରେ ଖୁସି ସହ ଦୁଃଖର ଛାୟା ମଧ୍ୟ ରହିଛି । କାରଣ ତାଙ୍କର ନିକଟତମ ସହଯୋଗୀ ଓ PA ଚନ୍ଦ୍ରନାଥ ରଥ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି। ଗତ ମେ’ ୬ ତାରିଖରେ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୨୧ ଠାରୁ ସେ ଶୁଭେନ୍ଦୁଙ୍କ ସହ କାମ କରୁଥିଲେ ଏବଂ ସମସ୍ତ ରାଜନୈତିକ କାର୍ଯ୍ୟର ଦାୟିତ୍ୱ ସମ୍ଭାଳୁଥିଲେ।

ଏହି ଘଟଣା ଅନେକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କଥା ମନେ ପକାଇଦେଇଛି । ୨୦୨୪ ଜୁନ୍ ୧୨ରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ତା’ ପୂର୍ବ ଦିନ ତାଙ୍କ PA ଚନ୍ଦନ କୁମାର ମହାପାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେହି ଦୁଃଖ ମଧ୍ୟରେ ମୋହନ ଶପଥ ନେଇଥିଲେ ।

ଏବେ ଶୁଭେନ୍ଦୁଙ୍କ ସହ ବି ପ୍ରାୟ ସେଇ ଘଟଣା ଦେଖିବାକୁ ମିଳିଛି । ଦୁଇଟି ରାଜ୍ୟରେ ବିଜେପି ଦୀର୍ଘ ବର୍ଷ ଧରି ଶାସନ କରୁଥିବା ଆଞ୍ଚଳିକ ଦଳକୁ ପରାସ୍ତ କରି ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିଛି । କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ଉଭୟ ନେତାଙ୍କ ଜୀବନର ସବୁଠାରୁ ବଡ଼ ସଫଳତାର ମୁହୂର୍ତ୍ତରେ ତାଙ୍କର ନିକଟତମ ସହଯୋଗୀମାନେ ଏହି ଦୁନିଆରେ ଥିଲେ ନାହିଁ ।

ଫରକ କେବଳ ଏତିକି ମୋହନ ମାଝୀଙ୍କ PA ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ଯେଉଁଠାରେ ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତଥାପି ଏହି ଦୁଇ ଘଟଣା ରାଜନୀତିର ବଡ଼ ବିଜୟ ପଛରେ ଲୁଚିଥିବା ବ୍ୟକ୍ତିଗତ ବେଦନାର ଏକ ସମାନ କାହାଣୀକୁ ସାମ୍ନାକୁ ଆଣିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score