Explore

Search

July 23, 2026 1:48 am

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟମତା ଯୋଜନା : କୃଷକଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର

ଭୁବନେଶ୍ୱର : ଓଡ଼ିଶାରେ କୃଷିକୁ ଏକ ଲାଭଜନକ ଉଦ୍ୟୋଗରେ ପରିଣତ କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟସରକାର ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନେତୃତ୍ୱାଧୀନ ସରକାର କୃଷି ଓ କୃଷକ କଲ୍ୟାଣକୁ ପ୍ରାଥମିକତା ଦେଇ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ”ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟମତା ଯୋଜନା” କୃଷି କ୍ଷେତ୍ରରେ ଉଦ୍ୟମ ସୃଷ୍ଟି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉଭା ହୋଇଛି । ଏହି ଯୋଜନା ମାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ନୂଆ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ଯୁବପିଢ଼ିଙ୍କୁ ଆଗକୁ ବଢିବାର ସୁଯୋଗ ମିଳୁଛି।

ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି କୃଷକଙ୍କୁ କେବଳ ଚାଷ ମଧ୍ୟରେ ସୀମିତ ନରଖି ତାଙ୍କୁ ଜଣେ ସଫଳ ଉଦ୍ୟମୀ ଭାବେ ଗଢ଼ି ତୋଳିବା । କୃଷି ସ୍ନାତକ, ଯୁବକ-ଯୁବତୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଓ କୃଷି ଆଧାରିତ ବ୍ୟବସାୟ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଏହି ଯୋଜନାର ସୁବିଧା ପାଇପାରିବେ। ବ୍ୟାଙ୍କ ଋଣ ସହ ଅନୁଦାନ ମିଳୁଥିବାରୁ ନୂଆ ଉଦ୍ୟୋଗ ଆରମ୍ଭ କରିବା ସହଜ ହେଉଛି।

ଫଳ ଚାଷ, ପନିପରିବା ଚାଷ, ଫୁଲ ଚାଷ, ଛତୁ ଚାଷ, ମହୁ ଚାଷ, ଜୈବିକ କୃଷି, ଦୁଗ୍ଧ ଉତ୍ପାଦନ, ମାଛ ଚାଷ, କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରିୟାକରଣ, ଶୀତଳ ଭଣ୍ଡାର ନିର୍ମାଣ, କୃଷି ଯନ୍ତ୍ରପାତି ସେବା କେନ୍ଦ୍ର ଏବଂ ଅନ୍ୟାନ୍ୟ କୃଷି ଆଧାରିତ ବ୍ୟବସାୟ ପାଇଁ ଏହି ଯୋଜନା ଅଧୀନରେ ସହାୟତା ମିଳୁଛି । ଏହା ଫଳରେ ଉତ୍ପାଦନ ବୃଦ୍ଧି ସହ କୃଷିଜାତ ଦ୍ରବ୍ୟର ମୂଲ୍ୟ ସଂଯୋଜନ ହୋଇ କୃଷକଙ୍କ ଲାଭ ବଢ଼ୁଛି।

ରାଜ୍ୟରେ କୃଷିକୁ ଅଧିକ ଆଧୁନିକ କରିବା ପାଇଁ ବର୍ତ୍ତମାନ ସରକାର ‘କୃଷକ ଓଡ଼ିଶା’, ‘ସଫଳ’, ଜଳବାୟୁ ଉପଯୋଗୀ କୃଷି ପଦ୍ଧତି, ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଓ କୃଷକଙ୍କୁ ପରାମର୍ଶ ଦେବା ପାଇଁ ବିଭିନ୍ନ କୃଷି ସେବା କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ କୃଷି କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାର ଏବଂ ମୂଲ୍ୟ ଶୃଙ୍ଖଳା ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଏହାଛଡ଼ା କୃଷି ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ‘କୃଷି ବିଦ୍ୟାନିଧି’ ଛାତ୍ରବୃତ୍ତି ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ ଜାତିର ଗାଈ ବଣ୍ଟନ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

ବିଶେଷଜ୍ଞମାନଙ୍କ ମତରେ, ଓଡ଼ିଶାରେ କୃଷି ଆଧାରିତ ଶିଳ୍ପର ବିକାଶ ପାଇଁ ”ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟମତା ଯୋଜନା” ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ। ଏହା ମାଧ୍ୟମରେ ଗ୍ରାମାଞ୍ଚଳରେ ନୂଆ ରୋଜଗାର ସୃଷ୍ଟି ହେବା ସହ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ବିକାଶ ହେଉଛି। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ବିପଣନ ବ୍ୟବସ୍ଥା ମଜବୁତ ହେଲେ କୃଷକମାନେ ଅଧିକ ଲାଭ ପାଇପାରିବେ ଏବଂ ରାଜ୍ୟର କୃଷି ଅର୍ଥନୀତି ଆହୁରି ସଶକ୍ତ ହେବ।

କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଢ଼ିବା ଲକ୍ଷ୍ୟରେ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ଏକ ପ୍ରମୁଖ ବିକାଶ ଇଞ୍ଜିନ ଭାବେ ଦେଖୁଛନ୍ତି। ଏହି ପରିପ୍ରେକ୍ଷୀରେ ”ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟମତା ଯୋଜନା” କୃଷକ ଏବଂ ଯୁବ ଉଦ୍ୟମୀଙ୍କ ପାଇଁ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score