Explore

Search

June 11, 2026 5:26 pm

ବ୍ରହ୍ମପୁରର ଯୁବକଙ୍କ ଅଦ୍ଭୁତ କୀର୍ତ୍ତି, ସହ୍ୟାଦ୍ରି ଶିଖର ଜୟ କଲେ ଓଡ଼ିଆ ପୁଅ ରାହୁଲ

ବ୍ରହ୍ମପୁର : ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଅଦମ୍ୟ ସାହସ ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ଏହାକୁ ପ୍ରମାଣ କରିଛନ୍ତି ବ୍ରହ୍ମପୁରର ଯୁବକ ରାହୁଲ କୁମାର ବେହେରା। ଦେଶର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ମହାରାଷ୍ଟ୍ରର ଦୁର୍ଗମ ସହ୍ୟାଦ୍ରି ପର୍ବତମାଳାରେ ଆୟୋଜିତ ୫୦ କିଲୋମିଟର ‘ମାଉଣ୍ଟେନ୍ ଅଲ୍ଟ୍ରା’ ପ୍ରତିଯୋଗିତାକୁ ସଫଳତାର ସହ ଶେଷ କରି ସେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି।

ମାତ୍ର ୨୯ ବର୍ଷ ବୟସରେ ରାହୁଲ ଏହି କଠିନ ଚ୍ୟାଲେଞ୍ଜକୁ ୧୨ ଘଣ୍ଟା ୫୯ ମିନିଟରେ ସମ୍ପୂର୍ଣ୍ଣ କରି ନିଜର ଦୃଢ଼ ମନୋବଳ ଓ ସହନଶୀଳତାର ପରିଚୟ ଦେଇଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପରେ ପରିବାର ସହ ବ୍ରହ୍ମପୁର ସହରରେ ଖୁସିର ଲହରୀ ଖେଳିଯାଇଛି।

ବ୍ରହ୍ମପୁରର ଗେଟବଜାର ନିକଟସ୍ଥ ଚନ୍ଦ୍ରମଣି ପେଟା ଅଞ୍ଚଳର ବାସିନ୍ଦା ରାହୁଲ, ପିତା ପୂର୍ଣ୍ଣଚନ୍ଦ୍ର ବେହେରା ଓ ମାତା ପୁଷ୍ପଲକ୍ଷ୍ମୀ ବେହେରାଙ୍କ ପୁତ୍ର । ସ୍କୁଲ ଓ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ସେ ବର୍ତ୍ତମାନ ପୁଣେରେ ଜଣେ ମେକାନିକାଲ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଚାକିରି ସହ ନିଜର ଫିଟନେସକୁ ଗୁରୁତ୍ୱ ଦେଇ ରାହୁଲ ୫ ବର୍ଷ ପୂର୍ବରୁ ଜିମ୍‌ରେ ଅଭ୍ୟାସ ଆରମ୍ଭ କରିଥିଲେ। ପରେ ତାଙ୍କର ଆଗ୍ରହ ପର୍ବତ ଦୌଡ଼ ଓ ଟ୍ରେଲ୍ ରନିଂ ଆଡ଼କୁ ବଢ଼ିଥିଲା।

୧୦ କିଲୋମିଟର ମାଉଣ୍ଟେନ ରନରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଆଜି ୫୦ କିଲୋମିଟର ଅଲ୍ଟ୍ରା ରନରେ ପହଞ୍ଚିଛି। ଅଫିସ୍‌ କାମ ପରେ ନିୟମିତ ଜିମ୍ ଅଭ୍ୟାସ ଏବଂ ସପ୍ତାହାନ୍ତରେ ପାହାଡ଼ିଆ ଅଞ୍ଚଳରେ କଠିନ ପ୍ରାକ୍ଟିସ୍‌ ହିଁ ତାଙ୍କ ସଫଳତାର ମୂଳମନ୍ତ୍ର ବୋଲି ରାହୁଲ କହିଛନ୍ତି।

ଗତ ୬ ଜୁନରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଭୋର ଅଞ୍ଚଳରେ ଆୟୋଜିତ ‘ଦି ଗ୍ରେଟ ମାୱଲା ଘାଟି ଅଲ୍ଟ୍ରା’ ପ୍ରତିଯୋଗିତାର ୫୦ କିଲୋମିଟର ବର୍ଗରେ ରାହୁଲ ଅଂଶଗ୍ରହଣ କରିଥିଲେ। ପଥରଭରା, ଖଡ଼ା ଓ ଦୁର୍ଗମ ପାହାଡ଼ିଆ ରାସ୍ତାରେ ଆୟୋଜିତ ଏହି ଦୌଡ଼କୁ ଦେଶର ସବୁଠୁ କଠିନ ମାଉଣ୍ଟେନ୍ ଅଲ୍ଟ୍ରା ଇଭେଣ୍ଟ ମଧ୍ୟରୁ ଗଣାଯାଏ ।

ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ପ୍ରାୟ ୩,୦୨୦ ମିଟର ଉଚ୍ଚତା ଆରୋହଣ କରିବାକୁ ପଡ଼ିଥିଲା। ତାହା ପୁଣି ପ୍ରଖର ଖରା ଓ ଉଚ୍ଚ ତାପମାତ୍ରା ମଧ୍ୟରେ। ଏହା ଏକ ‘ସେଲ୍ଫ-ସପୋର୍ଟେଡ୍’ ରେସ୍ ଥିବାରୁ ପ୍ରତିଯୋଗୀମାନଙ୍କୁ ନିଜର ଶାରୀରିକ ଓ ମାନସିକ ଶକ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ିଥିଲା।

ବିଶ୍ୱସ୍ତରୀୟ ‘UTMB ୱାର୍ଲ୍ଡ ସିରିଜ୍ କ୍ୱାଲିଫାୟର୍’ ଭାବେ ପରିଚିତ ଏହି ପ୍ରତିଯୋଗିତାରେ ରାହୁଲଙ୍କ ସଫଳତା କେବଳ ତାଙ୍କ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଛତ୍ରପତି ଶିବାଜୀ ମହାରାଜଙ୍କ ବୀର ‘ମାୱଲା’ ଯୋଦ୍ଧାମାନଙ୍କ ସାହସରୁ ଅନୁପ୍ରାଣିତ ଏହି ଇଭେଣ୍ଟରେ ରାହୁଲ ନିଜର ଅଦମ୍ୟ ମନୋବଳ, ସହନଶୀଳତା ଓ ନିଷ୍ଠାର ପ୍ରମାଣ ଦେଇଛନ୍ତି।

ଆଗାମୀ ଦିନରେ ଆହୁରି ବଡ଼ ଅଲ୍ଟ୍ରା ମାରାଥନ୍‌ ଓ ଆନ୍ତର୍ଜାତୀୟ ଟ୍ରେଲ୍ ରନିଂ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା ରାହୁଲ ବର୍ତ୍ତମାନ ଅନେକ ଯୁବକଙ୍କ ପାଇଁ ପ୍ରେରଣାର ପ୍ରତୀକ ପାଲଟିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score