ମୁମ୍ବାଇ : ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଲରେ ଏଲିମିନେଟର ମ୍ୟାଚରେ ଧମାକଦାର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଆଇପିଏଲ୍ ୨୦୨୬ର ହାଇସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୪୭ ରନରେ ପରାସ୍ତ କରି ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଛି । ବୈଭବଙ୍କ ଧୁଆଁଧାର ଇନିଂସ ଆଗରେ ହାଇଦ୍ରାବାଦ ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଇଥିଲେ । ଏହି ପରାଜୟ ସହ ଏସଆରଏଚର ଚଳିତ ସିଜନର ଅଭିଯାନ ଶେଷ ହୋଇଛି ।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୮ ଓ୍ଵିକେଟ ହରାଇ ୨୪୩ ରନର ବଡ଼ ସ୍କୋର କରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୫୨ ବଲରେ ବିଧ୍ୱଂସୀ ୯୩ ରନ କରି ଦଳକୁ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଥିଲେ। ତାଙ୍କର ଆକ୍ରମଣାତ୍ମକ ଇନିଂସରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିଥିଲା।
୨୪୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ନିରାଶାଜନକ ଥିଲା। ଅଭିଷେକ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବା ବେଳେ ଇଶାନ କିଷନ ୧୧ ବଲରୁ ତୃତୀୟ ଗିୟରରେ ବ୍ୟାଟିଂ କରି ୩୩ ରନ କରିଥିଲେ। କିନ୍ତୁ ସେ ଦୀର୍ଘ ସମୟ କ୍ରିଜରେ ରହିପାରିନଥିଲେ। ଟ୍ରେଭିସ ହେଡ ୧୭ ରନ ଏବଂ ହେନରିକ କ୍ଲାସେନ ୧୮ ରନ କରି ପାଭିଲିୟନ ଫେରିଯାଇଥିଲେ।
ମାତ୍ର ୮୧ ରନରେ ୫ ଓ୍ଵିକେଟ୍ ହରାଇ ହାଇଦ୍ରାବାଦ ଚାପରେ ପଡ଼ିଯାଇଥିଲା। ଏହାପରେ ନୀତିଶ କୁମାର ରେଡ୍ଡୀ ଓ ସଲିଲ ଆରୋରା ଦଳକୁ କିଛି ସମୟ ପାଇଁ ଆଶା ଦେଇଥିଲେ। ଦୁହେଁ ଷଷ୍ଠ ଓ୍ଵିକେଟ୍ ପାଇଁ ୫୬ ରନର ସହଯୋଗିତା କରିଥିଲେ । ନୀତିଶ ୨୦ ବଲରୁ ୩୮ ରନ କରିଥିବା ବେଳେ ସଲିଲ ୩୫ ରନର ଅବଦାନ ରଖିଥିଲେ। ଶେଷ ବେଳକୁ ଶିଭାଙ୍ଗ କୁମାର ୩୦ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ। ଶେଷରେ ହାଇଦ୍ରାବାଦ ୧୯୬ ରନରେ ସୀମିତ ରହିଥିଲା।
ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଶାନଦାର ବୋଲିଂ କରି ୫୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ । ନାନ୍ଦ୍ରେ ବର୍ଗର ଓ ସୁଶାନ୍ତ ମିଶ୍ର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ ନେଇ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତେବେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
