ବିକଶିତ ହେବ ଦେଶର ବୟନ ଶିଳ୍ପ କ୍ଷେତ୍ର । ଭାରତୀୟ ପୋଷାକକୁ ଆଗାମୀ ଦିନରେ ବିଶ୍ୱବାସୀ ପିନ୍ଧିବେ । ଏହି ଲକ୍ଷ୍ୟକୁ ନେଇ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦେଶରେ ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରାଯିବା ସହ ବୟନ ଶିଳ୍ପକୁ ନୂଆ ଦିଗ ଦିଆଯିବ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ-୨୦୨୬ ଉପସ୍ଥାପନ କରିଛନ୍ତି । ବଜେଟ ଭାଷଣରେ ସେ ‘ବିକଶିତ ଭାରତ’ ଲକ୍ଷ୍ୟକୁ ଆଗରେ ରଖି ବୟନ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ବୟନ ଶିଳ୍ପକୁ ସଶକ୍ତ କରିବା ଲାଗି ଖୁବଶୀଘ୍ର ଏକ ସମନ୍ୱିତ ପ୍ରୋଗ୍ରାମ ଆରମ୍ଭ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହା ଦ୍ୱାରା ରୋଜଗାର ସୃଷ୍ଟି ସହିତ ଭାରତୀୟ ବୟନ ଶିଳ୍ପ ବିଶ୍ୱବଜାରରେ ନୂଆ ପରିଚୟ ପାଇବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମର ୫ଟି ପ୍ରମୁଖ କଥା ହେଉଛି ନ୍ୟାସନାଲ ଫାଇବର ସ୍କିମ, ଯାହାର ଲକ୍ଷ୍ୟ ହେଉଛି ସିଲ୍କ, ଝୋଟ, ତନ୍ତୁ ଏବଂ ମ୍ୟାନ ମେଡ ଫାଇବରରୁ ପ୍ରାକୃତିକ ଓ ଆଧୁନିକ ସୂତା ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବା ।
ବୟନଶିଳ୍ପର ସମ୍ପ୍ରସାରଣ ଓ ରୋଜଗାର ସୃଷ୍ଟିକୁ ଲକ୍ଷ୍ୟ କରି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିଛନ୍ତି। ଏହା ଅଧୀନରେ ପାରମ୍ପରିକ ବୟନଶିଳ୍ପର ଆଧୁନିକୀକରଣ ପାଇଁ ଆବଶ୍ୟକ ଯନ୍ତ୍ରପାତି, ପ୍ରଯୁକ୍ତି ଉନ୍ନତି ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନାରେ ପୁଞ୍ଜି ସହାୟତା ପ୍ରଦାନ କରାଯିବ।
ଏହାସହିତ ଜାତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ କାର୍ଯ୍ୟକ୍ରମ (NHHP) ଅଧୀନରେ ପୁରୁଣା ବିଭିନ୍ନ ଯୋଜନାକୁ ଏକୀକୃତ ଓ ସୁଦୃଢ଼ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଣାକାର ଓ କାରିଗରମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ସହ ବଜାର ସଂଯୋଗ ମଧ୍ୟ ପ୍ରଦାନ କରାଯିବ ।
ଏହା ସହିତ ‘ଟେକ୍ସ-ଇକୋ ଇନିସିଏଟିଭ’ ମଧ୍ୟ ଘୋଷଣା କରାଯାଇଛି, ଯାହା ମାଧ୍ୟମରେ ପରିବେଶ-ଅନୁକୂଳ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଇ ଭାରତୀୟ ବୟନଶିଳ୍ପକୁ ବିଶ୍ୱସ୍ତରରେ ସ୍ଥାୟୀ କରିବାକୁ ଉଦ୍ୟମ କରାଯିବ।
ଏହାସହ ‘ସମର୍ଥ ୨.୦’ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ଉଦ୍ୟୋଗ ଓ ଶିକ୍ଷାନୁଷ୍ଠାନଙ୍କ ସହଯୋଗରେ ବୟନ କୌଶଳ ଇକୋସିଷ୍ଟମକୁ ଆଧୁନିକୀକରଣ କରାଯିବ ଏବଂ ଯୁବପିଢ଼ିଙ୍କୁ ଭବିଷ୍ୟତର ଚାହିଦା ଅନୁଯାୟୀ ପ୍ରଶିକ୍ଷିତ କରାଯିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୟନ ଶିଳ୍ପର ସମ୍ପ୍ରସାରଣ ଓ ଆଧୁନିକୀକରଣକୁ ଲକ୍ଷ୍ୟ କରି ଏକ ବ୍ୟାପକ ଯୋଜନାର ରୂପରେଖା ପ୍ରସ୍ତୁତ କରିଛନ୍ତି । ଏହା ଅଧୀନରେ ବୟନ ଶିଳ୍ପ ପାଇଁ ଜାତୀୟ ଫାଇବର ଯୋଜନା ପ୍ରସ୍ତାବ ରଖାଯାଇଛି। ଏହା ସହିତ ଶିଳ୍ପକୁ ଆଧୁନିକ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି କ୍ରୟରେ ପୁଞ୍ଜି ସହାୟତା ଏବଂ ବୟନ କୌଶଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ନୂଆ ପଦକ୍ଷେପ ଘୋଷଣା କରାଯାଇଛି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ୨୦୦୦ କୋଟି ଟଙ୍କାର ଏକ ବିଶେଷ ପାଣ୍ଠି ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ବଢ଼ିବା ସହ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ।
ଚଳିତ ବଜେଟରେ କେନ୍ଦ୍ର ସରକାର ବୟନ ଶିଳ୍ପ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଭାରତୀୟ ପୋଷାକ ଓ ବୟନ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ପ୍ରଚାର ଓ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ସରକାର ଭାରି ଗୁରୁତ୍ୱ ଦେଇଛନ୍ତି । ଏହା ଫଳରେ ବିଶ୍ୱବାସୀ ଭାରତୀୟ ପୋଷାକ ପିନ୍ଧିବେ ଏବଂ ଏଥିସହ ବୁଣାକାରମାନଙ୍କର ରୋଜଗାର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
