ଭୁବନେଶ୍ୱର : ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ କରି ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ନାମ ରଖିବାକୁ ଦାବି କରି ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ନାମକରଣ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବା ବେଗକୁ ଆଘାତ ପହଞ୍ଚାଉଥିବା ଉଲ୍ଲେଖ କରି ସେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ ଜଣାଇଛନ୍ତି ।
ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମର ପବିତ୍ର ଚାରି ଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଏକ ପ୍ରମୁଖ ଧାମ ଭାବେ ପରିଚିତ। ଏହି ପରିପ୍ରେକ୍ଷୀରେ ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ ଭାବେ ନାମକରଣ କରିବା ଧାର୍ମିକ ପରମ୍ପରା ଓ ଐତିହ୍ୟ ସହ ସଙ୍ଗତିପୂର୍ଣ୍ଣ ନୁହେଁ। ତେଣୁ ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ନାମ ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଟିଏମସି ସରକାରଙ୍କ ଶାସନକାଳରେ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଦୀଘା ଜଗନ୍ନାଥ ଧାମ’ ନାମ ଦିଆଯାଇଥିଲା। ଏହାକୁ ନେଇ ଓଡ଼ିଶାରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ସଂଗଠନ, ଶ୍ରଦ୍ଧାଳୁ ଓ ସାଧାରଣ ଲୋକ ଏହାର ବିରୋଧ କରିଥିଲେ।
ଏହାସହିତ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ସ୍ପଷ୍ଟ ମତ ରଖିଥିଲେ ଯେ, ପୁରୁଷୋତ୍ତମ କ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ ବୋଲି କୁହାଯାଇପାରିବ ନାହିଁ। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ରହିଆସିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଏହି ପ୍ରସଙ୍ଗ ପୁଣିଥରେ ରାଜନୈତିକ ଓ ଧାର୍ମିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
