ଭୁବନେଶ୍ୱର : ଆଜିଠୁ କମ୍ପିବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ। ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ ଆଜିଠାରୁ ଆରମ୍ଭ ହେବାକୁ ଯାଉଅଛି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ଧରି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ଆୟୋଜନ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ହୋଇଛି । ଏହି ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପ କେବଳ ପଦକ ଲଢ଼େଇ ନୁହେଁ, ବରଂ ଆସନ୍ତା ଏସିଆନ ଗେମ୍ସ–୨୦୨୬ ପାଇଁ ଭାରତୀୟ ଦଳ ଚୟନର ଏକ ମୁଖ୍ୟ ମଞ୍ଚ ଭାବେ ଗୁରୁତ୍ୱ ବହନ କରୁଛି।
୫ ଦିନ ଧରି ଚାଲିବାକୁ ଥିବା ଏହି ମହାସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିଭାଶାଳୀ ଆଥଲେଟ ନିଜ ଦକ୍ଷତାର ପ୍ରଦର୍ଶନ କରିବେ। ଦୌଡ଼, ଜମ୍ପ, ଥ୍ରୋ ଏବଂ ଅନ୍ୟାନ୍ୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ।
ଏଥର ହରିୟାଣା ସର୍ବାଧିକ ସଂଖ୍ୟକ ଆଥଲେଟ୍ଙ୍କୁ ପଠାଇଥିବା ବେଳେ ଓଡ଼ିଶାର ଖେଳାଳିମାନେ ମଧ୍ୟ ନିଜ ପ୍ରତିଭା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ଜାଭେଲିନ ଥ୍ରୋରେ କିଶୋର ଜେନା, ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରଶାନ୍ତି ସାହୁ ଏବଂ ସବିତା ଟପ୍ପୋଙ୍କ ପ୍ରଦର୍ଶନ ଉପରେ ବିଶେଷ ନଜର ରହିବ।
ଏହି ଆୟୋଜନ ମାଧ୍ୟମରେ ଓଡ଼ିଶା ପୁଣିଥରେ ନିଜର କ୍ରୀଡ଼ା ଓ ଆୟୋଜନ କ୍ଷମତାକୁ ଜାତୀୟ ସ୍ତରରେ ପ୍ରମାଣିତ କରିବାକୁ ଯାଉଛି। ଆଗାମୀ ଦିନରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ ରାଜ୍ୟ କ୍ରୀଡ଼ା ମାନଚିତ୍ରରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଅଗ୍ରସର ହେଉଛି । ଏଥର ଚାମ୍ପିଅନସିପରେ ୨୬ଟି ରାଜ୍ୟ ଭାଗ ନେଉଛନ୍ତି। ମୋଟ ୬୩୭ ଜଣ ଆଥଲେଟ ପ୍ରତିଯୋଗିତାରେ ଭାଗ ନେବେ।
ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶା ପୁଣିଥରେ ନିଜର ଉନ୍ନତ କ୍ରୀଡ଼ା ଓ ସଫଳ ଆୟୋଜନ କ୍ଷମତାକୁ ଜାତୀୟସ୍ତରରେ ପ୍ରଦର୍ଶନ କରିବ । କ୍ରୀଡ଼ା ବିକାଶ କ୍ଷେତ୍ରରେ ରାଜ୍ୟର ବଢ଼ୁଥିବା ପ୍ରଭାବକୁ ଆହୁରି ମଜବୁତ କରିବା ପାଇଁ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ’ ଆୟୋଜନ କରାଯିବ, ଯେଉଁଥିରେ ଦେଶ-ବିଦେଶର ଶ୍ରେଷ୍ଠ ଆଥଲେଟ୍ମାନେ ଭାଗ ନେବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
