ନୂଆଦିଲ୍ଲୀ : ଜାତୀୟ ସ୍ତରରେ ଓଡ଼ିଶାର ଗୌରବ। ତିନି ଓଡ଼ିଆ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ। ଯାହା ଓଡିଶା ପାଇଁ ଗର୍ବ ଓ ଗୌରବ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସାହିତ୍ୟ, ଶିକ୍ଷା, କଳା, ସମାଜସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖିଥିବା ୬୫ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ଅର୍ପଣ କରିଛନ୍ତି। ଏଥିମଧ୍ୟରୁ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ଓଡ଼ିଶାର ୩ ଯୋଗ୍ୟ ସନ୍ତାନ । ଯାହା ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି । ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ଦୀର୍ଘଦିନର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଛନ୍ତି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମଙ୍କୁ ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ଶରତ ଚନ୍ଦ୍ର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରଚାର-ପ୍ରସାର କ୍ଷେତ୍ରରେ ଚରଣ ହେମ୍ବ୍ରମଙ୍କ ଅବଦାନ ଦୀର୍ଘଦିନ ଧରି ପ୍ରଶଂସିତ ହୋଇଆସୁଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଏହି ଶିକ୍ଷାବିତ୍ ସାନ୍ତାଳୀ ଭାଷାର ବିକାଶ ସହ ଓଲ୍ ଚିକି ଲିପିର ପ୍ରସାର ଓ ଜନସଚେତନତା ସୃଷ୍ଟିରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷରେ, କଟକ ଜିଲ୍ଲାର ମାଣିଆବନ୍ଧ ଅଞ୍ଚଳର ପ୍ରଖ୍ୟାତ ଦସ୍ତତନ୍ତ ଶିଳ୍ପୀ ଶରତ ଚନ୍ଦ୍ର ପାତ୍ର ପାରମ୍ପରିକ ଇକତ ଓ ବାନ୍ଧକଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାରେ ଉଲ୍ଲେଖନୀୟ ଭୂମିକା ନେଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାର ଲୋକକଳାକାର ସୀମାଞ୍ଚଳ ପାତ୍ର ଲୋକସଂସ୍କୃତି ଓ ପାରମ୍ପରିକ କଳାର ସଂରକ୍ଷଣ ଏବଂ ପ୍ରଚାର ପାଇଁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଚଳିତ ବର୍ଷ ଜାନୁଆରୀ ୨୫ ତାରିଖରେ ମୋଟ ୧୩୧ ଜଣ ପଦ୍ମ ପୁରସ୍କାର ପ୍ରାପ୍ତିଯୋଗ୍ୟଙ୍କ ନାମ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ଆୟୋଜିତ ପ୍ରଥମ ପର୍ଯ୍ୟାୟ ସମ୍ମାନ ପ୍ରଦାନ ଉତ୍ସବରେ ଓଡ଼ିଶାର ବିଶିଷ୍ଟ ଭାଷାବିତ୍ ଏବଂ ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ।
ଏହି ଅବସରରେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଅଲକା ୟାଗ୍ନିକ ଏବଂ ମାଲାୟଲମ ଚଳଚ୍ଚିତ୍ର ଜଗତର ଅଗ୍ରଣୀ ଅଭିନେତା ମମୁଟିଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟର ଏହି ସମାରୋହରେ ମୋଟ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଦେଶର ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସେବା, ସୃଜନଶୀଳତା ଓ ନିଷ୍ଠାପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଗୁଡ଼ିକ ପ୍ରଦାନ କରାଯାଇଥାଏ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
