Explore

Search

April 12, 2026 11:27 pm

ଚିନ୍ତା କରନ୍ତୁ ନାହିଁ ତେଲର ଅଭାବ ନାହିଁ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ସମ୍ପର୍କରେ ଚାଲିଥିବା ଖବରକୁ ନେଇ ସରକାର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟରେ କୌଣସି ପ୍ରକାରର ତୈଳ ସଙ୍କଟ ନାହିଁ ଓ ପର୍ଯ୍ୟାପ୍ତ ପରିମାଣରେ ଇନ୍ଧନ ମହଜୁଦ ଅଛି ।

ମନ୍ତ୍ରୀ କହିଛନ୍ତି ଯେ କିଛି ଗୁଜବ ଏବେ ସୋସିଆଲ ମିଡିଆର ଭ୍ରାନ୍ତ ସୂଚନା କାରଣରୁ ଲୋକମାନେ ଆତଙ୍କିତ ହେଉଛନ୍ତି । ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଅଯଥା ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁ ନାହିଁ । ଘରେ ଇନ୍ଧନ ସଂଗ୍ରହ କରି ରଖିବା ଠାରୁ ଦୂରେ ରୁହନ୍ତୁ । ସରକାର ଓ ସମ୍ବନ୍ଧିତ ବିଭାଗ ଯେଉଁ ତଥ୍ୟ ଜାରି କରୁଛି, ସେହି ଆଧାରରେ ଲୋକମାନେ ବିଶ୍ୱାସ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିପରି କଳାବଜାରୀ ଓ ଅନ୍ୟାୟ ମଜୁତକୁ ରୋକିବା ପାଇଁ ପ୍ରଶାସନ ଦୃଢ଼ ନଜର ରଖିଥିବା ସହ, ଆବଶ୍ୟକ ପଡ଼ିଲେ କଠୋର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସତର୍କ କରିଛନ୍ତି । ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ବିଦେଶରୁ, ବିଶେଷକରି ରୁଷିଆରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର କଚା ତେଲ ଆସୁଥିବାରୁ ଯୋଗାଣରେ କୌଣସି ବିଘ୍ନ ହେବ ନାହିଁ।

ଏପଟେ ମାଲକାନଗିରି ଜିଲ୍ଲାର କେତେକ ପେଟ୍ରୋଲ ପମ୍ପ ଆଗରେ ଶନିବାର ଦିନ ଅସାମାନ୍ୟ ଭିଡ଼ ଦେଖାଯାଇଥିଲା। ସୋସିଆଲ ମିଡିଆରେ ଇନ୍ଧନ ଶେଷ ହୋଇଯିବ ବୋଲି ଚାଲିଥିବା ମିଛ ପ୍ରଚାର ପରେ ଲୋକମାନେ ଗାଡ଼ିର ଟ୍ୟାଙ୍କି ଭର୍ତ୍ତି କରିବାସହ ବ୍ୟାରେଲ ଭରି ଇନ୍ଧନ ନେବାକୁ ଲାଇନରେ ଛିଡା ହୋଇଥିଲେ ।

ତଥାପି ଜିଲ୍ଲାର ପମ୍ପ କର୍ମଚାରୀମାନେ କହିଛନ୍ତି ଯେ ଏହା କୌଣସି ଗଭୀର ସମସ୍ୟା ନୁହେଁ । ହୋଲି ପର୍ବ ସହ ଲଗାତାର ତିନି ଦିନ ଛୁଟି ଥିବାରୁ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର ଗାଡ଼ି ଜିଲ୍ଲାକୁ ସମୟରେ ପହଞ୍ଚିପାରିନଥିଲା । ଏହି କାରଣରୁ କିଛି ପମ୍ପରେ ଅସ୍ଥାୟୀ ଭାବରେ ଇନ୍ଧନ କମ ହୋଇଥିଲା।

ସେମାନେ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ଜିଲ୍ଲାକୁ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ଯୋଗାଣ ହେବ ଓ ସ୍ଥିତି ସାଧାରଣ ହୋଇଯିବ। ଏହାସହ ଲୋକମାନଙ୍କୁ ମିଛ ଗୁଜବ ବିଶ୍ୱାସ ନକରିବାକୁ ଓ ଅନାବଶ୍ୟକ ଭିଡ଼ ସୃଷ୍ଟି ନକରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ବିଭାଗ ଓ ବିଭିନ୍ନ ତୈଳ କମ୍ପାନୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଓ ଡିଜେଲ ମଜୁତ ଅଛି ଓ କୌଣସି ସଙ୍କଟର ପରିସ୍ଥିତି ନାହିଁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score