ଗଞ୍ଜାମ: ଓଡ଼ିଶାରେ ସବୁଜ ଶକ୍ତି କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ ଅନ୍ତର୍ଗତ ସୁରଖାଦେଇପୁର ଗାଁ ଛକ ନିକଟରେ ରାଜ୍ୟର ଏକ ବୃହତ୍ ସୌର ଶକ୍ତି ପ୍ରକଳ୍ପର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଯୁବ ଉଦ୍ୟୋଗୀ କିଷାନ କୁମାର ରଥଙ୍କ ଉଦ୍ୟମ ଓ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଏହି ପ୍ରକଳ୍ପ ଅଞ୍ଚଳର ବିଦ୍ୟୁତ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପ୍ରାୟ ସାତ ଏକର ଜମିରେ ଏହି ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ବିଶାଳ ଅଞ୍ଚଳରେ ସ୍ଥାପିତ ସୌର ପ୍ୟାନେଲ ମାଧ୍ୟମରେ ପ୍ରତି ଘଣ୍ଟାରେ ୨.୬ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ। ଏହି ଉତ୍ପାଦିତ ବିଦ୍ୟୁତ୍ ଶକ୍ତିକୁ ଗ୍ରୀଡକୋ ପକ୍ଷରୁ ୟୁନିଟ୍ ପିଛା ୪ ଟଙ୍କା ୪୦ ପଇସା ଦରରେ କ୍ରୟ କରିବା ପାଇଁ ଚୁକ୍ତି ସମ୍ପନ୍ନ ହୋଇଛି।
ଏହି ପ୍ରକଳ୍ପ ମାଧ୍ୟମରେ ବଡ଼ଗଡ ଅଞ୍ଚଳର ଚାରିଟି ବିଦ୍ୟୁତ୍ ଫିଡରକୁ ଶକ୍ତି ଯୋଗାଣ କରାଯାଇପାରିବ। ଫଳରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ହ୍ରାସ ପାଇବା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
ଅନ୍ୟପଟେ, ଏହି ପ୍ରକଳ୍ପରୁ ପ୍ରତିଦିନ ୧୫ ହଜାରରୁ ଅଧିକ ୟୁନିଟ୍ ବିଦ୍ୟୁତ୍ ବିକ୍ରି ହେବାର ସମ୍ଭାବନା ରହିଛି। ଏହା ମାଧ୍ୟମରେ ଦୈନିକ ପ୍ରାୟ ୬୦ ହଜାର ଟଙ୍କା ଆୟ ହୋଇପାରିବ ବୋଲି ପ୍ରକଳ୍ପର ପ୍ରତିଷ୍ଠାତା କିଷାନ କୁମାର ରଥ ଆଶା ପ୍ରକାଶ କରିଛନ୍ତି।
ଏହି ବୃହତ୍ ସୌର ପ୍ରକଳ୍ପର ଶୁଭାରମ୍ଭ ଉତ୍ସବରେ ଦକ୍ଷିଣାଞ୍ଚଳ ଆରଡିସି ବୀରସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳର ବିକାଶ ଓ ସବୁଜ ଶକ୍ତିର ପ୍ରସାର ପାଇଁ ଏଭଳି ପ୍ରୟାସ ଆଗାମୀ ଦିନରେ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
