Explore

Search

August 24, 2026 11:56 pm

ଗଞ୍ଜାମରେ କଡ଼ା କଟକଣା : ସଭା, ସମାବେଶ ଓ ଶୋଭାଯାତ୍ରା ପାଇଁ ପୋଲିସ ଅନୁମତି ବାଧ୍ୟତାମୂଳକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ପୋଲିସ ଆଇନ, ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ଗଞ୍ଜାମ ପୋଲିସ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ନିଷ୍ପତ୍ତି ଅନୁଯାୟୀ ଏସ୍‌ପିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିୟମ ନଭେମ୍ବର ୧୩ ପର୍ଯ୍ୟନ୍ତ ଲାଗୁ ରହିବ।

ଏହି ସମୟ ମଧ୍ୟରେ କୌଣସି ସଭା, ସମିତି, ସମାବେଶ କିମ୍ବା ଶୋଭାଯାତ୍ରା ଆୟୋଜନ କରିବାକୁ ହେଲେ ପୋଲିସର ପୂର୍ବ ଅନୁମତି ନେବା ଅନିବାର୍ଯ୍ୟ। କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅତିକମରେ ୭୨ ଘଣ୍ଟା ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ।ଆବେଦନ ସମୟରେ କାର୍ଯ୍ୟକ୍ରମର ସ୍ଥାନ, ତାରିଖ ଓ ସମୟ, ଉଦ୍ଦେଶ୍ୟ, ଶୋଭାଯାତ୍ରାର ରୁଟ, ଅନୁମାନିତ ଲୋକସଂଖ୍ୟା ଏବଂ ବ୍ୟବହାର ହେବାକୁ ଥିବା ଯାନବାହନ ସମ୍ପର୍କିତ ସମସ୍ତ ବିବରଣୀ ଦେବାକୁ ହେବ । ଏସ୍‌ଡିପିଓ କିମ୍ବା ସମ୍ପୃକ୍ତ ଥାନା ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।

ପୋଲିସ ପକ୍ଷରୁ ଜାରି ହୋଇଥିବା ଏହି କଟକଣାକୁ ପାଳନ କରିବା ପାଇଁ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ସଂଗଠନ ଏବଂ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କିମ୍ବା ନିର୍ଦ୍ଦେଶନାମା ଉଲ୍ଲଂଘନ କଲେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।
ଏହାସହ ଜିଲ୍ଲାର ପ୍ରମୁଖ ସହର ଓ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳିକାଟୁ ସମେତ ବିଭିନ୍ନ ସ୍ଥାନରେ ପୋଲିସ ନଜର ବଢ଼ାଇଛି। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଥାନାଗୁଡ଼ିକୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ନୂଆ କଟକଣା ଫଳରେ ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା ସମସ୍ତ ସାର୍ବଜନୀନ ସଭା, ସମାବେଶ ଓ ଶୋଭାଯାତ୍ରା ପୋଲିସ ଅନୁମତି ଅଧୀନରେ ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score