Explore

Search

August 6, 2026 12:06 am

କୋରାପୁଟ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରେଡକ୍ରସକୁ ୫୧ ହଜାର ଟଙ୍କା ଅନୁଦାନ

କୋରାପୁଟ : ପୁଣି ଚର୍ଚ୍ଚାରେ ସ୍ୱୟଂସହାୟକ ଗୋଷ୍ଠୀ (SHG)ର ସଦସ୍ୟ । ନିଜ ଆର୍ଥିକ ରୋଜଗାରରୁ ବଞ୍ଚିତ ଅର୍ଥକୁ ରେଡକ୍ରସକୁ ଦେଇ ଏବେ ସମଗ୍ର ଜିଲ୍ଲାରେ ପ୍ରଶଂସା ସାଉଣ୍ଟିଛନ୍ତି । ଫଳରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଫେଡେରେସନର ମହିଳା ସ୍ୱୟଂସହାୟକ ଗୋଷ୍ଠୀ (SHG) ସଦସ୍ୟମାନେ ସମାଜସେବା ଓ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ।

କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ନିଜସ୍ୱ ଜୀବିକାମୂଳକ କାର୍ଯ୍ୟକଳାପ, କ୍ଷୁଦ୍ର ବ୍ୟବସାୟ ଓ ଉତ୍ପାଦନମୂଳକ କାର୍ଯ୍ୟରୁ ଅର୍ଜିତ ଆୟରୁ ୫୧ ହଜାର ଟଙ୍କା କୋରାପୁଟ ରେଡକ୍ରସ ସୋସାଇଟିକୁ ଅନୁଦାନ ସ୍ୱରୂପ ପ୍ରଦାନ କରିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ (SHG) । ଏହି ଅନୁଦାନ ରେଡକ୍ରସ ସୋସାଇଟିର କର୍ମକର୍ତ୍ତାଙ୍କୁ ଔପଚାରିକ ଭାବେ ହସ୍ତାନ୍ତର କରାଯାଇଥିଲା।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନେ କହିଥିଲେ ଯେ, ମିଶନ ଶକ୍ତି ମାଧ୍ୟମରେ ସେମାନେ ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି ଏବଂ ସ୍ୱାବଲମ୍ବନର ପଥରେ ଆଗେଇ ଚାଲିଛନ୍ତି । ନିଜ ଉଦ୍ୟମ ଓ ପରିଶ୍ରମ ଦ୍ୱାରା ଅର୍ଜିତ ଆୟର ଏକ ଅଂଶ ସମାଜର ଅସହାୟ, ଦୁର୍ବଳ ଓ ବିପନ୍ନ ଲୋକଙ୍କ ସେବାରେ ନିୟୋଜିତ ସଂସ୍ଥାକୁ ପ୍ରଦାନ କରିବା ସେମାନଙ୍କ ପାଇଁ ଗର୍ବର ବିଷୟ।

ରେଡକ୍ରସ ସୋସାଇଟି ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ଜରୁରୀ ସ୍ୱାସ୍ଥ୍ୟ ସେବା, ରକ୍ତଦାନ ଶିବିର, ଅସହାୟ ରୋଗୀଙ୍କ ସହାୟତା ଏବଂ ଅନ୍ୟାନ୍ୟ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ରଖିଆସୁଛି। ସେହି ମହତ୍ କାର୍ଯ୍ୟକୁ ସମର୍ଥନ ଓ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି ଅନୁଦାନ ପ୍ରଦାନ କରାଯାଇଛି ବୋଲି ସେମାନେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କର ଏହି ଉଦାର ମନୋଭାବ ଓ ସାମାଜିକ ଦାୟିତ୍ୱବୋଧର ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ମିଶନ ଶକ୍ତି ଆଜି କେବଳ ଏକ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ହୋଇ ରହି ନାହିଁ, ବରଂ ଏହା ସାମାଜିକ ପରିବର୍ତ୍ତନର ଏକ ସଶକ୍ତ ମାଧ୍ୟମ ପାଲଟିଛି ।

ଗ୍ରାମାଞ୍ଚଳର ମହିଳାମାନେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହିତ ସମାଜର ମଙ୍ଗଳ ପାଇଁ ମଧ୍ୟ ଆଗେଇ ଆସୁଛନ୍ତି। ସେମାନଙ୍କର ଏହି ପଦକ୍ଷେପ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଧାରଣ ଲୋକଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଆହୁରି କହିଥିଲେ ଯେ, ଏଭଳି ସାମାଜିକ ଅବଦାନ ଏକ ସୁସ୍ଥ ଓ ସହଯୋଗୀ ସମାଜ ଗଠନରେ ସହାୟକ ହୋଇଥାଏ । ଆର୍ଥିକ ସଶକ୍ତିକରଣ ସହିତ ସାମାଜିକ ଦାୟିତ୍ୱବୋଧକୁ ଯୋଡ଼ିବାରେ ମିଶନ ଶକ୍ତି ମହିଳାମାନେ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେମାନଙ୍କ ଏହି ପ୍ରୟାସ ଭବିଷ୍ୟତରେ ଅନେକଙ୍କୁ ସମାଜସେବା ପାଇଁ ପ୍ରେରିତ କରିବ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଫେଡେରେସନର ପଦାଧିକାରୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ରେଡକ୍ରସ ସୋସାଇଟିର ପ୍ରତିନିଧି ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ମହିଳାମାନଙ୍କ ଏହି ଅନୁଦାନ କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ସମାଜର କଲ୍ୟାଣ ପାଇଁ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଓ ସେବାଭାବନାର ଏକ ଜୀବନ୍ତ ଉଦାହରଣ ଭାବେ ପରିଗଣିତ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score