କୋରାପୁଟ : ମିଶନ ଶକ୍ତି ବିଭାଗର ସହଯୋଗରେ ମହିଳାଙ୍କ ମୁଁହରେ ଫୁଟିଲା ହସ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ଗ୍ରାମପଞ୍ଚାୟତର ବିଲାପୁଟ ଗ୍ରାମରେ ମହିଳା ଚାଷୀମାନେ କୃଷି କ୍ଷେତ୍ରରେ ଏକ ନୂତନ ଦିଗ ସୃଷ୍ଟି କରି ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଆଉ ନିଜକୁ ରୋଜଗାରକ୍ଷମ କରିପାରିଛନ୍ତି।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ଗ୍ରାମପଞ୍ଚାୟତର ବିଲାପୁଟ ଗ୍ରାମରେ ମହିଳା ଚାଷୀମାନେ ମିଶନ ଶକ୍ତି ବିଭାଗର ସହଯୋଗରେ ମା ମୁତ୍ୟାଲୁମା ପ୍ରଡ୍ୟୁସର ଗ୍ରୁପ୍ର ମହିଳା ସଦସ୍ୟମାନେ କୃଷି ଉତ୍ପାଦନ କ୍ଲଷ୍ଟର (APC) କାର୍ଯ୍ୟକ୍ରମ ଅଧୀନରେ ଆଳୁ ବିହନ ଗୁଣନ (Potato Seed Multiplication) ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ କେବଳ ଆଳୁ ଉତ୍ପାଦନ ବୃଦ୍ଧି ନୁହେଁ, ବରଂ ସ୍ଥାନୀୟ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଆର୍ଥିକ ଭାବେ ସଶକ୍ତ କରିବା ଦିଗରେ ଏକ ବଡ଼ ପ୍ରୟାସ ବୋଲି ଦେଖାଯାଉଛି।
ଏହି ପ୍ରକଳ୍ପ ଅନୁସାରେ ମହିଳା ଚାଷୀମାନେ ରୋଗମୁକ୍ତ ଜି-୦ (Generation Zero) ମିନି ଟ୍ୟୁବର ଚାଷ କରି ଜି-୧ (First Field Generation) ବିହନ ଆଳୁ ଉତ୍ପାଦନ କରୁଛନ୍ତି । ଏହି ମିନି ଟ୍ୟୁବର ଗୁଡ଼ିକ ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର (International Potato Center-CIP) ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି । ଏହି ବିହନ ଗୁଡ଼ିକ ଉଚ୍ଚମାନର ଓ ରୋଗମୁକ୍ତ ହୋଇଥିବାରୁ ଆଳୁ ଚାଷର ଉତ୍ପାଦନ ଏବଂ ଗୁଣବତ୍ତା ଉଭୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
APCର ସହଯୋଗୀ ସଂସ୍ଥା CYSD (Centre for Youth and Social Development) ଏହି କାର୍ଯ୍ୟକ୍ରମର ପରିଚାଳନା ଓ ପ୍ରଶିକ୍ଷଣ କାର୍ଯ୍ୟକୁ ସୁଗମ କରୁଛି। ମହିଳା ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି, ବିହନ ସଂରକ୍ଷଣ, ରୋଗ ପରିଚାଳନା ଓ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ତାଲିମ ମଧ୍ୟ ପ୍ରଦାନ କରାଯାଉଛି। ଫଳରେ ସେମାନେ କେବଳ ଚାଷୀ ଭାବେ ନୁହେଁ, ବରଂ ଗୁଣାତ୍ମକ ବିହନ ଉତ୍ପାଦକ ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
