Explore

Search

June 12, 2026 12:59 am

ଓମାନ ଉପକୂଳରେ ଜାହାଜ ଉପରେ ଭୟାବହ ଆକ୍ରମଣ: ୩ ଭାରତୀୟ ନିଖୋଜ

ଭୁବନେଶ୍ୱର : ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ପରେ ୩ ଜଣ ଭାରତୀୟ ନାଗରିକ ନିଖୋଜ ଥିବା ସୂଚନା ମିଳିଛି। ଜାହାଜରେ ଥିବା ମୋଟ ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ୩ ଜଣଙ୍କ ସନ୍ଧାନ ଏବେ ମଧ୍ୟ ଜାରି ରହିଛି। ନିଖୋଜ ଭାରତୀୟମାନଙ୍କୁ ଖୋଜିବା ପାଇଁ ଭାରତୀୟ ନୌସେନା, ବୈଦେଶିକ ମନ୍ତ୍ରାଳୟ ଏବଂ ଓମାନର ସ୍ଥାନୀୟ କର୍ତ୍ତୃପକ୍ଷ ମିଳିତ ଭାବେ ଜୋରଦାର ଉଦ୍ଧାର ଅଭିଯାନ ଚଳାଇଛନ୍ତି।

ସୂଚନା ଅନୁଯାୟୀ, ଏମ୍‌ଭି ମାରିଭାକ ନାମକ ଜାହାଜଟି ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଅଚାନକ ଆକ୍ରମଣର ଶିକାର ହୋଇଥିଲା। ଆକ୍ରମଣ ପରେ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଏବଂ ଚାରିଆଡ଼େ ଘନ ଧୂଆଁ ବ୍ୟାପିଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ଜାହାଜ ପକ୍ଷରୁ ତୁରନ୍ତ ଆପତ୍କାଳୀନ ସଙ୍କେତ ପଠାଯାଇଥିଲା।

ଆଲର୍ଟ ମିଳିବା ପରେ ମୁମ୍ବାଇସ୍ଥିତ ମାରିଟାଇମ ରେସକ୍ୟୁ କୋଅର୍ଡିନେସନ୍ ସେଣ୍ଟର (MRCC) ତୁରନ୍ତ ସକ୍ରିୟ ହୋଇଥିଲା। ଭାରତୀୟ ନୌସେନାର ହେଲିକପ୍ଟର ଓ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜାହାଜରେ ଫସିଥିବା ୨୧ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ତେବେ ୩ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ କୌଣସି ସନ୍ଧାନ ମିଳିନଥିବାରୁ ଚିନ୍ତା ବଢ଼ିଛି।

ଏହି ଘଟଣାକୁ ଭାରତ ସରକାର କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ନିଖୋଜ ଭାରତୀୟମାନଙ୍କ ସୁରକ୍ଷିତ ଉଦ୍ଧାର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଅଟେ। ଓମାନସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଏଜେନ୍ସିମାନଙ୍କ ସହ ନିରନ୍ତର ସମ୍ପର୍କରେ ରହି ସ୍ଥିତି ଉପରେ କଡ଼ା ନଜର ରଖିଛି।

ଅନ୍ୟପଟେ, ଏହି ଆକ୍ରମଣ ପଛରେ ଆମେରିକାର ସମ୍ଭାବ୍ୟ ସଂପୃକ୍ତି ନେଇ କେତେକ ମହଲରେ ସନ୍ଦେହ ପ୍ରକାଶ ପାଇଥିବାବେଳେ ଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରାଯାଇଥିବା ସୂଚନା ମିଳିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଏବଂ ଦାୟୀ ପକ୍ଷ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ଯୁଦ୍ଧ ମଧ୍ୟରେ ଏହି ଘଟଣା ଆନ୍ତର୍ଜାତିକ ସାମୁଦ୍ରିକ ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ାଇଛି। ନିଖୋଜ ୩ ଭାରତୀୟଙ୍କୁ ଖୋଜିବା ପାଇଁ ସମୁଦ୍ର ଓ ଆକାଶପଥରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score