Explore

Search

July 23, 2026 2:02 am

‘ଆଦିଶା କଫି’ ପିଇଲେ ରାଜ୍ୟପାଳ : କୋରାପୁଟ କଫିକୁ ମିଳିଲା ବଡ ପ୍ରୋତ୍ସାହନ

ଭୁବନେଶ୍ୱର : ପୁଣିଥରେ କୋରାପୁଟ କଫିକୁ ମିଳିଲା ବଡ ପ୍ରୋତ୍ସାହନ । ଏବେ ଭୁବନେଶ୍ୱରରେ ମହକିବ ‘ଆଦିଶା କୋରାପୁଟ କଫି । ରାଜ୍ୟର ପ୍ରସିଦ୍ଧ କୋରାପୁଟ କଫି ଏବଂ ଆଦିବାସୀ ଉଦ୍ୟମୀତାର ବିକାଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଓଡ଼ିଶାର ରାଜ୍ୟପାଳ ଶ୍ରୀଯୁକ୍ତ ହରି ବାବୁ କମ୍ଭମପତି ଭୁବନେଶ୍ୱରର ରୂପାଲି ଛକ ନିକଟରେ ଥିବା ‘ଆଦିଶା କୋରାପୁଟ କଫି’ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କୋରାପୁଟ କଫିର ଉତ୍ପାଦନ, ପ୍ରକ୍ରିୟାକରଣ, ବିପଣନ ବ୍ୟବସ୍ଥା ଏବଂ ଏହାସହ ଜଡିତ ଆଦିବାସୀ ଚାଷୀ ଓ ଉଦ୍ୟମୀମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ ।

ରାଜ୍ୟପାଳ କହିଥିଲେ ଯେ କୋରାପୁଟ କଫି ଆଜି ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା କେବଳ ଏକ କୃଷିଜାତ ଉତ୍ପାଦ ନୁହେଁ, ବରଂ ଆଦିବାସୀ ସମୁଦାୟର ପରିଶ୍ରମ, ସଂଘର୍ଷ ଓ ଆତ୍ମନିର୍ଭରତାର ଏକ ଉଜ୍ଜ୍ୱଳ ଉଦାହରଣ। କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଉତ୍ପାଦିତ ଏହି କଫି ତାହାର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ପାଇଁ ଦେଶ ଓ ବିଦେଶରେ ପ୍ରଶଂସା ଲାଭ କରିଛି।

କୋରାପୁଟ ଜିଲ୍ଲାର ହଜାର ହଜାର ଆଦିବାସୀ ପରିବାର କଫି ଚାଷ ମାଧ୍ୟମରେ ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି । କଫି ଚାଷ ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବା ସହିତ ଯୁବପିଢ଼ିଙ୍କୁ ନିଜ ଅଞ୍ଚଳରେ ରହି ଆତ୍ମନିର୍ଭର ହେବାର ସୁଯୋଗ ମଧ୍ୟ ଦେଇଛି। ଏହା ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

ଏହି କ୍ରମରେ ଭୁବନେଶ୍ୱର ରୂପାଲି ଛକରେ ଥିବା ‘ଆଦିଶା କୋରାପୁଟ କଫି’ କେନ୍ଦ୍ର ମାଧ୍ୟମରେ କୋରାପୁଟ କଫି ସହ ବିଭିନ୍ନ ଆଦିବାସୀ ଉତ୍ପାଦ, ହସ୍ତଶିଳ୍ପ ସାମଗ୍ରୀ, ପ୍ରାକୃତିକ ଖାଦ୍ୟପଦାର୍ଥ ଏବଂ ପାରମ୍ପରିକ କଳାକୃତିକୁ ବଜାର ମିଳୁଛି। ଏହା ଆଦିବାସୀ ଉଦ୍ୟମୀମାନଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିବା ସହ ତାଙ୍କର ଆୟ ବୃଦ୍ଧିରେ ସହାୟକ ହେଉଛି। ଫଳରେ ଆଦିବାସୀ ମହିଳା ଓ ଯୁବ ଉଦ୍ୟମୀମାନେ ନୂଆ ଆର୍ଥିକ ସୁଯୋଗ ପାଇପାରୁଛନ୍ତି।

ପରିଦର୍ଶନ ସମୟରେ ରାଜ୍ୟପାଳ କଫିର ଗୁଣବତ୍ତା ବଜାୟ ରଖିବା, ଚାଷ କ୍ଷେତ୍ର ବୃଦ୍ଧି କରିବା ଏବଂ କୋରାପୁଟ କଫିକୁ ଆହୁରି ବ୍ୟାପକ ବଜାରରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ଦିଗରେ ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score