Explore

Search

August 12, 2026 4:27 am

ଆଇପିଏଲ ପୂର୍ବରୁ ହାର୍ଦ୍ଦିକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା : କେଉଁ ଦଳରେ ଖେଳିବେ ଷ୍ଟାର ଅଲରାଉଣ୍ଡର ?

ଆଗକୁ ଆସୁଛି ଆଇପିଏଲ୍ ୨୦୨୭ । ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ଭିତରେ ଏକ ଉତ୍ସାହ ଦେଖା ଦେଇଛି । ତେବେ ଏହାରି ଭିତରେ ଫ୍ରାଞ୍ଚାଇଜିମାନେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ କ୍ରିକେଟ୍ ମହଲରେ ବିଭିନ୍ନ ଚର୍ଚ୍ଚା ଚାଲିଛି ।

ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବା ପରେ ଆଶା ଅନୁଯାୟୀ ଫଳ ମିଳିନଥିବାରୁ ଆସନ୍ତା ସିଜନ୍‌ରେ ସେ ଦଳ ବଦଳ କରିପାରନ୍ତି ବୋଲି ଅନେକ ଅନୁମାନ କରାଯାଉଛି । ବିଶେଷ କରି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ନେବାକୁ ଆଗ୍ରହୀ ବୋଲି ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଆହୁରି ଜୋର ଧରିଛି।

ସମ୍ପ୍ରତି ଆଇପିଏଲ୍‌ରେ ବଡ଼ ବଡ଼ ଟ୍ରେଡ୍ ଡିଲ୍ ଦେଖିବାକୁ ମିଳୁଥିବାରୁ ହାର୍ଦ୍ଦିକଙ୍କ ମାମଲାରେ ମଧ୍ୟ ସେହିପରି କିଛି ଘଟିପାରେ ବୋଲି ଆଲୋଚନା ହେଉଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ଏକ ବଡ଼ ଟ୍ରେଡ୍ ପରେ ଋଷଭ ପନ୍ତ ପୁଣିଥରେ ଦିଲ୍ଲୀ ଶିବିରକୁ ଫେରିଥିବା ଖବର ଚର୍ଚ୍ଚାରେ ଥିବା ବେଳେ, ଏବେ ଦୃଷ୍ଟି ହାର୍ଦ୍ଦିକଙ୍କ ଉପରେ ରହିଛି।

KKR ଶିବିରରେ ହାର୍ଦ୍ଦିକଙ୍କ ପାଇଁ ଆଗ୍ରହ

କ୍ରିକେଟ୍ ମହଲରେ ଚାଲିଥିବା ଆଲୋଚନା ଅନୁସାରେ, କୋଲକାତା ନାଇଟ୍ ରାଇଡର୍ସ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ନେଇ ବିଚାର କରୁଛି। ତେବେ ଏହି ଟ୍ରେଡ୍‌କୁ ସଫଳ କରିବା ପାଇଁ ଦଳର କୌଣସି ମୁଖ୍ୟ ଖେଳାଳିଙ୍କୁ ଛାଡ଼ିବା ନେଇ ଫ୍ରାଞ୍ଚାଇଜି ଅଧିକ ଉତ୍ସାହୀ ନଥିବା କୁହାଯାଉଛି। ଏହା ସହ କେତେକ ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ମଧ୍ୟ ଦଳ ପାଇଁ ଚିନ୍ତାର ବିଷୟ ହୋଇପାରେ।

ଅନ୍ୟପଟେ, ଦଳର ନେତୃତ୍ୱକୁ ନେଇ ମଧ୍ୟ KKR ନୂଆ ଯୋଜନା କରୁଥିବା ଖବର ମିଳୁଛି। ତେଣୁ ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକଙ୍କୁ ନେଇ ଦଳ କୌଣସି ବଡ଼ ପଦକ୍ଷେପ ନେବ କି ନାହିଁ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସର ଯୋଜନା କ’ଣ?

ହାର୍ଦ୍ଦିକଙ୍କ ନାଁ ସହ ଚେନ୍ନାଇ ସୁପର କିଙ୍ଗ୍ସର ନାଁ ମଧ୍ୟ ଯୋଡ଼ାଯାଉଛି। ତେବେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ । ଦଳ ପରିଚାଳନା ବର୍ତ୍ତମାନ କୋଚିଂ ଷ୍ଟାଫ୍ ଓ ଆଗାମୀ ଯୋଜନା ଉପରେ ଅଧିକ ଧ୍ୟାନ ଦେଉଥିବାରୁ ଟ୍ରେଡ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି । ତଥାପି ହାର୍ଦ୍ଦିକଙ୍କ ଭଳି ମ୍ୟାଚ୍ ବିଜେତା ଖେଳାଳି ପ୍ରତି ଚେନ୍ନାଇର ଆଗ୍ରହ ଥିବା ନେଇ ଚର୍ଚ୍ଚା ଥମିନାହିଁ।

ଆଇପିଏଲ୍‌ରେ ହାର୍ଦ୍ଦିକଙ୍କ ଉଲ୍ଲେଖନୀୟ ଯାତ୍ରା

ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ଆଇପିଏଲ୍‌ର ସବୁଠୁ ପ୍ରଭାବଶାଳୀ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ଭାବେ ପରିଚିତ। ସେ ଏପର୍ଯ୍ୟନ୍ତ ୧୬୨ଟି ମ୍ୟାଚ୍ ଖେଳି ୧୫୦ଟି ଇନିଂସରେ ପ୍ରାୟ ୩ ହଜାର ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ସବୁବେଳେ ଦଳ ପାଇଁ ମ୍ୟାଚ୍‌ର ଗତି ବଦଳାଇବାରେ ସହାୟକ ହୋଇଛି। ବ୍ୟାଟିଂ ସହ ବୋଲିଂରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖି ୮୦ରୁ ଅଧିକ ୱିକେଟ ହାସଲ କରିଛନ୍ତି।

ତେଣୁ ଆସନ୍ତା ଆଇପିଏଲ୍ ସିଜନ୍‌ରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ ନା ନୂଆ ଜର୍ସିରେ ମୈଦାନକୁ ଓହ୍ଲାଇବେ, ତାହା ଏବେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହୋଇ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score