ଛତ୍ରପୁର : ଧୁମଧାମରେ ସରିଲା ଗଞ୍ଜାମ ଜିଲ୍ଲାର ସର୍ବବୃହତ ସାଂସ୍କୃତିକ ଆୟୋଜନ ଛତ୍ରପୁର ମହୋତ୍ସବ–୨୦୨୬ । ଜୁନ୍ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପାଞ୍ଚ ଦିନ ଧରି ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିବା ସହ ସମଗ୍ର ଅଞ୍ଚଳକୁ ଉତ୍ସବମୁଖର କରି ରଖିଥିଲା ଛତ୍ରପୁର ମହୋତ୍ସବ–୨୦୨୬ । ତେବେ ଆଜିର ଶେଷ ଦିନର କାର୍ଯ୍ୟକ୍ରମକୁ ନେଇ ସହରରେ ବ୍ୟାପକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଜୁନ୍ ୧ରୁ ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ମହୋତ୍ସବରେ ଲାଗିଥିଲା ଦର୍ଶକଙ୍କ ଖଚାଖଚ ଭିଡ।
ମହୋତ୍ସବର ଆଜି ଅନ୍ତିମ ସନ୍ଧ୍ୟାରେ ଓଡ଼ିଆ ସଙ୍ଗୀତ ଜଗତର ତିନି ଜଣ ଲୋକପ୍ରିୟ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ, ସଚ୍ଚିନ ରାଉତରାୟ ଓ ପ୍ରଜ୍ଞା ହୋତା ନିଜ ନିଜ ସୁମଧୁର କଣ୍ଠରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ସେମାନଙ୍କର ଲୋକପ୍ରିୟ ଗୀତ, ଭକ୍ତିମୂଳକ ପରିବେଷଣ ଓ ଆଧୁନିକ ସଙ୍ଗୀତର ମିଶ୍ରଣ ଦର୍ଶକଙ୍କୁ ଏକ ସ୍ମରଣୀୟ ସଙ୍ଗୀତମୟ ସନ୍ଧ୍ୟା ଉପହାର ମିଳିଛି ।
ଗତ ଚାରି ଦିନ ଧରି ମହୋତ୍ସବ ମଞ୍ଚରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ପ୍ରତିଷ୍ଠିତ କଳାକାର ନିଜ ପ୍ରତିଭାର ପ୍ରଦର୍ଶନ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ପ୍ରସିଦ୍ଧ ଗାୟକ ଓ ଗାୟିକା ସଚେତ ଏବଂ ପରମ୍ପରାଙ୍କ ସଙ୍ଗୀତ ପରିବେଷଣ ମହୋତ୍ସବକୁ ଏକ ନୂଆ ଉଚ୍ଚତାକୁ ନେଇଥିଲା। ସେମାନଙ୍କର ସଙ୍ଗୀତରେ ସମଗ୍ର ପ୍ରେକ୍ଷାଳୟ ଝୁମି ଉଠିଥିଲା।
କେବଳ ସଙ୍ଗୀତ ନୁହେଁ, ଏହି ମହୋତ୍ସବ ମାଧ୍ୟମରେ ଗଞ୍ଜାମର ସମୃଦ୍ଧ କଳା, ସଂସ୍କୃତି, ଲୋକପରମ୍ପରା ଓ ଐତିହ୍ୟର ଝଲକ ମଧ୍ୟ ପ୍ରଦର୍ଶିତ ହୋଇଛି। ଲୋକନୃତ୍ୟ, ଲୋକସଙ୍ଗୀତ, ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ସମେତ ବିଭିନ୍ନ ଆକର୍ଷଣୀୟ ଆୟୋଜନ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି। ଏହାସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।
ଠାକୁରାଣୀ ଯାତ୍ରାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ମହୋତ୍ସବ ଛତ୍ରପୁର ସହରକୁ ଏକ ବିରାଟ ସାଂସ୍କୃତିକ ମଞ୍ଚରେ ପରିଣତ କରିଛି। ଏହି ଅନ୍ତିମ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ, ଆୟୋଜକମାନେ ସମସ୍ତ ପ୍ରକାର ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେଇଥିଲେ । ସଙ୍ଗୀତ, ମନୋରଞ୍ଜନ, ପରମ୍ପରା ଓ ସଂସ୍କୃତିର ଏହି ମହାମିଳନ ସହ ଛତ୍ରପୁର ମହୋତ୍ସବ–୨୦୨୬ ଆଜି ଶେଷ ହୋଇଛି । ଯାହାର ସ୍ମୃତି ଦୀର୍ଘଦିନ ଧରି ଦର୍ଶକଙ୍କ ମନରେ ସତେଜ ରହିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
