Explore

Search

April 20, 2026 11:43 pm

ଅକ୍ଷୟ ତୃତୀୟା : ଶୁଭତା, ସମୃଦ୍ଧି ଓ ନୂତନ ଆରମ୍ଭର ପବିତ୍ର ଦିନ

ଭୁବନେଶ୍ୱର : ଅକ୍ଷୟ ତୃତୀୟା ହେଉଛି ହିନ୍ଦୁ ଧର୍ମର ଏକ ଅତ୍ୟନ୍ତ ପବିତ୍ର ଓ ଶୁଭ ଦିନ । ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଏହା ପାଳନ କରାଯାଏ। ‘ଅକ୍ଷୟ’ ଶବ୍ଦର ଅର୍ଥ ହେଉଛି ‘କେବେ ଶେଷ ହୁଏନାହିଁ’ ବା ‘ଅନନ୍ତ’ । ଏହି ଦିନରେ କରାଯାଇଥିବା ଦାନ, ପୂର୍ଣ୍ଣ୍ୟ କାର୍ଯ୍ୟ ଓ ନୂତନ ଆରମ୍ଭ ସଦା ଫଳଦାୟକ ହୋଇ ରହେ ବୋଲି ମାନ୍ୟତା ରହିଛି ।

ପୁରାଣ ଅନୁସାରେ, ଏହି ଦିନରେ ଭଗବାନ ବିଷ୍ଣୁଙ୍କ ଅବତାର ପର୍ଶୁରାମଙ୍କ ଜନ୍ମ ହୋଇଥିଲା। ଏହି ଦିନକୁ ମହାଭାରତର ଆରମ୍ଭ ଦିନ ବୋଲି ମଧ୍ୟ କୁହାଯାଏ। ଅନ୍ୟଥା, ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଦିନ ବିଶେଷ ମହତ୍ତ୍ୱ ରଖେ । ଆଜିର ଦିନରେ ଲୋକମାନେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜା କରି ଶାନ୍ତି ଓ ସମୃଦ୍ଧିର କାମନା କରନ୍ତି । ଅକ୍ଷୟ ତୃତୀୟା ଦିନରେ ଦାନ କରିବାକୁ ବିଶେଷ ମହତ୍ତ୍ୱ ରହିଛି । ଖାଦ୍ୟ, ପାଣି, ବସ୍ତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଦାନ କଲେ ଅନନ୍ତ ପୂର୍ଣ୍ଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ଏହା ମନୁଷ୍ୟକୁ ସତ୍କର୍ମ ପ୍ରତି ପ୍ରେରିତ କରେ।

ଓଡିଶାରେ ଅକ୍ଷୟ ତୃତୀୟା ଖୁବ ଧୁମଧାମରେ ପାଳନ କରାଯାଏ। ଏହି ଦିନରୁ ଚାଷୀମାନେ ନୂତନ କୃଷି କାମ ଆରମ୍ଭ କରନ୍ତି, ଯାହାକୁ ‘ଅଖି ମୁଠି ଅନୁକୂଳ’ ବୋଲି କୁହାଯାଏ। ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ଦିନ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ, ଯାହା ରଥଯାତ୍ରା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଏହି ପବିତ୍ର ଦିନଟିକୁ ଓଡିଶାରେ କୃଷି ସଂସ୍କୃତି ସହ ଗଭୀର ଭାବେ ଜଡିତ ଥିବାରୁ କୃଷକମାନଙ୍କ ପାଇଁ ବିଶେଷ ମହତ୍ତ୍ୱର ଦିବସ ଭାବେ ମନାଯାଏ। ସରକାରୀ ମାନ୍ୟତା ସହିତ ଏହାକୁ କୃଷକ ଦିବସ ଭାବେ ପାଳନ କରାଯାଇଥାଏ, ଯେଉଁଠାରେ ଚାଷୀମାନେ ଏହି ଅବସରକୁ ପବିତ୍ରତା ଓ ସଫଳତାର ପ୍ରତୀକ ଭାବେ ଗ୍ରହଣ କରନ୍ତି।

ଏହି ଦିନରେ କୃଷକମାନେ ସକାଳୁ ସକାଳୁ ଶୁଭ ମୁହୂର୍ତ୍ତରେ ‘ଅକ୍ଷୟମୁଠି ଅନୁକୂଳ’ କରି ନୂତନ କୃଷି କାମର ଆରମ୍ଭ କରନ୍ତି । ଏହା ତାଙ୍କର ଆସନ୍ତା ଚାଷ ଋତୁ ପାଇଁ ଶୁଭ ସଙ୍କେତ ଭାବେ ଗ୍ରହଣ କରାଯାଏ। ଏହି ଦିନକୁ ଶୁଭମାନି ଲୋକମାନେ ଘର ତିଆରି, ବିବାହ, ନିର୍ବନ୍ଧ ଓ ଉପନୟନ ଭଳି ବିଭିନ୍ନ ମଙ୍ଗଳମୟ କାର୍ଯ୍ୟ ମଧ୍ୟ ଆରମ୍ଭ କରନ୍ତି।

ପାରମ୍ପରିକ ରୀତିରେ ଚାଷୀ ନିଜ ଘରଣୀଙ୍କ ହାତରୁ ହଳଦୀ, ଚନ୍ଦନ ଓ ସିନ୍ଦୁରରେ ଅଳଙ୍କୃତ ଧାନ ବିହନଭରା ନୂଆ ଗାଉଣିକୁ ଗ୍ରହଣ କରିଥାନ୍ତି । ଶଙ୍ଖ ଧ୍ୱନି ଓ ହୁଳହୁଳିର ଶୁଭ ସ୍ୱର ମଧ୍ୟରେ ସେ ଏହାକୁ ମୁଣ୍ଡରେ ବୋହି ଏବଂ ଅନ୍ୟ ଏକ ଟୋକେଇରେ ପିଠା ନେଇ କ୍ଷେତ ଦିଗରେ ପ୍ରସ୍ଥାନ କରନ୍ତି। କ୍ଷେତରେ ପହଞ୍ଚି କୃଷକମାନେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ଭୋଗ ଅର୍ପଣ କରନ୍ତି ଏବଂ ତାହାକୁ କିଆରୀର ଈଶାଣ କୋଣରେ ପୋତି ହଳ ଚଲାଇବା ସହିତ ବିହନ ବୁଣନ୍ତି। ଏହି ପ୍ରଥାକୁ ‘ଅକ୍ଷୟମୁଠି’ ବୋଲି କୁହାଯାଏ।

ଏହାସହିତ, ସଧବା ନାରୀମାନେ ଏହି ଦିନ ‘ଷଠିଦେବୀ’ଙ୍କ ପୂଜା କରି ପରିବାରର ସୁଖ-ସମୃଦ୍ଧି ଓ ସନ୍ତାନଙ୍କ ମଙ୍ଗଳ କାମନା କରନ୍ତି । ଏଭଳି ଭାବରେ ଅକ୍ଷୟ ତୃତୀୟା ଓଡିଶାରେ ଧାର୍ମିକ ଆସ୍ଥା ସହ କୃଷି ପରମ୍ପରାର ଏକ ଅଦ୍ଭୁତ ସମନ୍ୱୟ ରୂପେ ପ୍ରକାଶ ପାଏ ।

ପୌରାଣିକ କଥା ଅନୁସାରେ

ଏହି ଦିନରେ ସୁନା କିଣିବାକୁ ବହୁତ ଶୁଭ ମନାଯାଏ। ଲୋକମାନେ ନୂତନ ଗହଣା କିଣିବା ସହ ଘରେ ଧନ-ସମ୍ପଦ ବୃଦ୍ଧି ହେବାର ଆଶା ରଖନ୍ତି। ବ୍ୟବସାୟୀମାନେ ମଧ୍ୟ ଏହି ଦିନରୁ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଶୁଭ ମାନନ୍ତି । ଏହି ଦିନ ଜଳଦାନର ମହତ୍ତ୍ୱ ବିଷୟରେ ଏକ ଅତ୍ୟନ୍ତ ଶିକ୍ଷାଦାୟକ କଥା ପ୍ରଚଳିତ ଅଛି। ପୁରାତନ କାଳରେ ଜଣେ ବ୍ରାହ୍ମଣ ଥିଲେ, ଯିଏ ସାରା ଜୀବନ କୌଣସି ଦାନ-ଧର୍ମ କାମ କରିନଥିଲେ। ଦିନେ ତାଙ୍କ ଘରକୁ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳ ଭିକ୍ଷା ଚାହିଲେ, କିନ୍ତୁ ସେ ତାଙ୍କୁ ଜଳ ଦେବା ପରିବର୍ତ୍ତେ ଅପମାନ କରି ଘରୁ ବାହାର କରିଦେଲେ। ସେତେବେଳେ ତାଙ୍କ ସ୍ତ୍ରୀ, ଯାହାଙ୍କ ନାମ ସୁଶୀଳା, ଆଗକୁ ଆସି ସେ ତୃଷାର୍ତ୍ତ ବ୍ୟକ୍ତିଙ୍କୁ ସମ୍ମାନ ସହିତ ଜଳଦାନ କଲେ।

କିଛି ସମୟ ପରେ ସେହି ବ୍ରାହ୍ମଣର ମୃତ୍ୟୁ ହେଲା ଓ ଯମଦୂତମାନେ ତାଙ୍କୁ ଯମଲୋକକୁ ନେଇଗଲେ। ସେଠାରେ ତୃଷାର୍ତ୍ତ ହୋଇ ସେ ଜଳ ପାଇଁ ଅନୁରୋଧ କଲେ, କିନ୍ତୁ ଯମଦୂତମାନେ ତାଙ୍କୁ ତିରସ୍କାର କରି କହିଲେ ଯେ, ଜୀବନରେ କେବେ ଜଳଦାନ ନକରିଥିବା ବ୍ୟକ୍ତି କିପରି ଜଳ ଆଶା କରିପାରେ। ଏହି ସମୟରେ ଯମରାଜ ସ୍ୱୟଂ ଆସି ତାଙ୍କୁ ଜଳ ପ୍ରଦାନ କଲେ। ଦୂତମାନେ ଏହାର କାରଣ ପଚାରିଲେ, ଯମରାଜ କହିଲେ ଯେ ଯଦିଓ ସେ ବ୍ରାହ୍ମଣ ପାପୀ ଥିଲେ, କିନ୍ତୁ ଅକ୍ଷୟ ତୃତୀୟା ଦିନ ତାଙ୍କ ସ୍ତ୍ରୀ କରିଥିବା ଜଳଦାନର ପୂର୍ଣ୍ଣ୍ୟ ଫଳରେ ତାଙ୍କ ପାପ ଖଣ୍ଡିତ ହୋଇଛି। ସେହି ପୂର୍ଣ୍ଣ୍ୟରେ ସେ ନରକ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି।

ଏହାଛଡ଼ା, ପ୍ରାଚୀନ କାଳରେ ରାଜା ଜନକ ଭୂମି ପୂଜା କରି କୃଷି କାମର ଆରମ୍ଭ କରୁଥିଲେ। ଭୂମି ଚାଷ କରିବା ସମୟରେ ସେ ସୀତାଙ୍କୁ ପ୍ରାପ୍ତ କରିଥିବା କଥା ପୁରାଣରେ ଉଲ୍ଲେଖ ମିଳେ । ବେଦରେ ସୀତାଙ୍କୁ ଉତ୍କୃଷ୍ଟ ଶସ୍ୟ ଦାତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି, ଯାହା କୃଷି ସମୃଦ୍ଧିର ପ୍ରତୀକ।

ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣ ଇତ୍ୟାଦି ଧାର୍ମିକ ଗ୍ରନ୍ଥରେ ଅକ୍ଷୟ ତୃତୀୟାକୁ ଏକ ଅତ୍ୟନ୍ତ ଶୁଭ ଓ ମଙ୍ଗଳମୟ ଦିନ ଭାବେ ବର୍ଣ୍ଣନା କରାଯାଇଛି। ଏହି ଦିନରେ କରାଯାଇଥିବା ସମସ୍ତ ସତ୍କର୍ମ ଅକ୍ଷୟ ଫଳ ଦେଇଥାଏ ବୋଲି ଭକ୍ତମାନଙ୍କ ମନରେ ଆସ୍ଥା ରହିଛି।

ରଥନିର୍ମାଣର ପବିତ୍ର ଆରମ୍ଭ

ଅକ୍ଷୟ ତୃତୀୟା ଦିନଟି ଶ୍ରୀଜୀଉମାନଙ୍କ ରଥନିର୍ମାଣ ପାଇଁ ବିଶେଷ ଶୁଭ ମୁହୂର୍ତ୍ତ ଭାବେ ପରିଗଣିତ ହୁଏ। ପାରମ୍ପରିକ ତନ୍ତ୍ରବିଧି ଅନୁଯାୟୀ, ମହାକାଳୀ ମନ୍ତ୍ର ଉଚ୍ଚାରଣ ସହିତ ପୂଜିତ କୁରାଢି ଦ୍ୱାରା ବନଯାଗ ହୋମ କରାଯାଇ, ମନ୍ଦିର ପୁରୋହିତ ଓ ଆଚାର୍ଯ୍ୟମାନେ ଏହି କାର୍ଯ୍ୟର ଶୁଭାରମ୍ଭ କରନ୍ତି।

ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ନିର୍ଦ୍ଧାରିତ ଧଉରା କାଠ ଗଣ୍ଡିରେ ପ୍ରଥମେ କୁରାଢି ସ୍ପର୍ଶ କରାଯାଇଥାଏ, ଯାହା ରଥନିର୍ମାଣର ପ୍ରାରମ୍ଭକୁ ସୂଚିତ କରେ। ଏହି ସମୟରେ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନ ଠାକୁରଙ୍କ ସହ ପଟୁଆର ମାଧ୍ୟମରେ ରଥଖଳାକୁ ଅଣାଯାଏ, ଯାହାକୁ ପୂଜାପଣ୍ଡାମାନେ ଶ୍ରଦ୍ଧାସହିତ ବହନ କରନ୍ତି।

ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ବନଯାଗ ପୂଜା ସମ୍ପାଦିତ ହୁଏ। ଏହାସହ ରୂପକାର, କମାର, ଚିତ୍ରକର, ଭୋଇ ଓ ଅନ୍ୟାନ୍ୟ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳନ କରାଯାଏ, ଯାହା ରଥନିର୍ମାଣର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରମ୍ପରା।

ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁଯାୟୀ ରଥ ତିଆରି କରାଯାଏ। ଏହି ନିର୍ମାଣ ପାଇଁ ପ୍ରାୟ ୧୧୩୯ ଖଣ୍ଡ ବିଭିନ୍ନ ପ୍ରକାରର କାଠ ବ୍ୟବହୃତ ହୁଏ, ଯେପରିକି ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ ଓ ଦେବଦାରୁ ଇତ୍ୟାଦି। ଏହି ସମସ୍ତ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନର କର୍ମଚାରୀମାନେ ରଥଖଳାରେ ଉପସ୍ଥିତ ରହି ସହଯୋଗ କରନ୍ତି।

ପରବର୍ତ୍ତୀ ପର୍ଯ୍ୟାୟରେ, ବାହାର ଚନ୍ଦନ ଯାତ୍ରାର ଶେଷ ଦିନରେ ରଥର ଅଖରେ ଚକ ବନ୍ଧାଯାଇ ନିର୍ମାଣ ପ୍ରକ୍ରିୟାକୁ ଆଗକୁ ବଢ଼ାଯାଏ। ଏହିପରି ଭାବେ ଶୁଭ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ଶ୍ରୀଜଗନ୍ନାଥଙ୍କ ମହାନ ରଥଯାତ୍ରା ପାଇଁ ପଥ ପ୍ରସ୍ତୁତ କରେ ।

ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା ହେଉଛି ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ଏକ ବିଶିଷ୍ଟ ଓ ଆଧ୍ୟାତ୍ମିକ ମହତ୍ତ୍ୱର ପର୍ବ, ଯାହା ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୁଏ। ଏହି ପବିତ୍ର ଅବସର କେବଳ ପୁରୀରେ ନୁହେଁ, ଓଡ଼ିଶାର ବିଭିନ୍ନ ମନ୍ଦିରରେ ମଧ୍ୟ ଭକ୍ତିଭାବର ସହିତ ପାଳନ କରାଯାଏ।

ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରାକୁ ସବୁଠୁ ଦୀର୍ଘ ସମୟ ଧରି ଚାଲୁଥିବା ପର୍ବ ଭାବେ ଗଣାଯାଏ। ଏହା ମୋଟ ୪୨ ଦିନ ଧରି ଚାଲିଥାଏ ଓ ଭକ୍ତମାନଙ୍କ ପାଇଁ ଏକ ଅଲଗା ଆକର୍ଷଣ ସୃଷ୍ଟି କରେ। ପର୍ବଟି ଦୁଇ ଭାଗରେ ବିଭକ୍ତ ହୋଇଥାଏ‘ବାହାର ଚନ୍ଦନ’ ଓ ‘ଭିତର ଚନ୍ଦନ’।

ପ୍ରଥମ ୨୧ ଦିନ ‘ବାହାର ଚନ୍ଦନ’ ଭାବେ ପାଳନ ହୁଏ, ଯେଉଁଠାରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରମାନଙ୍କ ନୌକା ବିହାର ଆୟୋଜନ କରାଯାଏ। ଏହି ସମୟରେ ଦେବାଦେବୀଙ୍କୁ ଚନ୍ଦନ ଲଗାଇ ସେମାନଙ୍କୁ ଶୀତଳତା ପ୍ରଦାନ କରାଯାଏ, ଯାହା ଗ୍ରୀଷ୍ମ ଋତୁର ତାପରୁ ରକ୍ଷା କରିବାର ପ୍ରତୀକ।

ପରବର୍ତ୍ତୀ ୨୧ ଦିନ ‘ଭିତର ଚନ୍ଦନ’ ଭାବେ ଶ୍ରୀମନ୍ଦିର ଭିତରେ ପାଳନ ହୁଏ। ଏହା ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ, ଅର୍ଥାତ୍ ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ମନ୍ଦିରରେ ବିଶେଷ ନୀତି-କାନ୍ତି ଓ ପୂଜା-ପାଠ ଅନୁଷ୍ଠିତ ହୁଏ।

ଚନ୍ଦନ ଯାତ୍ରା ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଏକ ସୁନ୍ଦର ସମନ୍ୱୟ। ଏହା ଭକ୍ତମାନଙ୍କୁ ଦେବଦେବୀଙ୍କ ସହିତ ଆତ୍ମୀୟ ସମ୍ପର୍କ ସ୍ଥାପନ କରିବା ସହିତ ଓଡ଼ିଆ ସଂସ୍କୃତିର ଗଭୀରତାକୁ ଅନୁଭବ କରାଏ।

ଅକ୍ଷୟ ତୃତୀୟା କେବଳ ଏକ ପର୍ବ ନୁହେଁ, ଏହା ଜୀବନରେ ନୂତନ ଆଶା, ଶୁଭ ଆରମ୍ଭ ଓ ସମୃଦ୍ଧିର ସନ୍ଦେଶ ନେଇ ଆସେ। ଏହି ଦିନରେ ଲୋକମାନେ ଭକ୍ତି, ଦାନ ଓ ନୂତନ ଯୋଜନା ମାଧ୍ୟମରେ ଜୀବନକୁ ଆଗକୁ ନେବାର ପ୍ରୟାସ କରନ୍ତି। ଏହି ପବିତ୍ର ଅବସର ଆମକୁ ସକାରାତ୍ମକ ଚିନ୍ତାଧାରା ଓ ନିଷ୍ଠାର ସହିତ ଜୀବନ ଯାପନ କରିବାକୁ ପ୍ରେରଣା ଦେଇଥାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score